ଖାଦ୍ୟାଭାବ ବନାମ ଖାଦ୍ୟନଷ୍ଟ

ନିରଞ୍ଜନ ସାହୁ

କେତେ ଜଣ ଖାଦ୍ୟ ବିଷୟରେ ଟିକିଏ ନିୟନ୍ତ୍ରଣ ରଖିପାରନ୍ତି ନାହିଁ। ପାଖରେ କିଏ କିଛି ଖାଦ୍ୟ ଜିନିଷ ରଖିଦେଲେ ଅଜାଣତରେ ହାତଟି ସେଇଟିକୁ ଚାଲିଯାଏ। ପାଟିରୁ ଅକସ୍ମାତ କିଛି କ୍ଷରଣ ହୁଏ ଆଉ ଅବବୋଧ ହେବା ପୂର୍ବରୁ ଖାଦ୍ୟ ଜିନିଷଟି ପାଟିରେ ପଡ଼ିସାରିଥାଏ। କେତେକ ଅଛନ୍ତି ଖାଦ୍ୟରେ ସେମାନେ ଭାରି ମାପଚୁପ। ଖାଦ୍ୟଦ୍ରବ୍ୟଟିଏ ପରଷି ଦେଉ ଦେଉ ଏତେ ଜୋର୍‌ରେ ସେମାନେ ନାସ୍ତିବାଣୀ ଶୁଣାନ୍ତି ଯେ, ଆପଣ ହୁଏତ ଚିନ୍ତାରେ ପଡ଼ିବେ ଖାଦ୍ୟଦ୍ରବ୍ୟଟି ପୂରା ଫେରେଇନେବେ ବା କିଛି କମେଇଦେବେ; ମାତ୍ର ଟିକିଏ ବଳେଇ କି ଦେଲେ ସେମାନେ ବି ସେଥିରୁ ଟିକିନିଖି କରି ଖାଇଦେବେ। ଆଉ କେହି କେହି କବିବର ରାଧାନାଥଙ୍କ କବିତା ପ୍ରକାରେ ଅର୍ଥାତ୍‌ ‘ଲୋଭୀ ଭୁଞ୍ଜେ ଯଥା ସ୍ବ ମର୍ଯ୍ୟାଦା ଜାଗି, ପ୍ରତିବେଶୀ ପତ୍ରେ କହେ ଦେବା ଲାଗି।’ ପଙ୍ଗତରେ ବସିଲା ବେଳେ ମହାଶୟ ଡାକିବେ ତାଙ୍କ ପାଖରେ ବସିଥିବା ଶ୍ରୀମାନଙ୍କୁ ଅମୁକ ଚିଜଟି ଦେବାକୁ। ତାଙ୍କୁ ଯେତେବେଳେ ସେଇ ଦ୍ରବ୍ୟଟି ପରଷାଯିବ, ସେତିକିବେଳେ ସେ ଖାଲି ଅଙ୍ଗୁଳି ବଢ଼େଇଦେବେ ନିଜ ପତ୍ର ଆଡ଼କୁ।
କେତେ ଜଣ ଖାଇବା ବେଳେ ଏତେ ମନ ଲଗେଇ ଖାଆନ୍ତି ଯେ, ଚାଟିଚୁଟି ସଫା କରି ଦିଅନ୍ତି ବାସନ। ରୋଷେଇ କରିଥିବା ଲୋକଟି ଦେଖିଲେ ଖୁସିପାଏ ଯେ ତା’ର ରୋଷେଇ ବୋଧହୁଏ ଉଚ୍ଚକୋଟୀର ହୋଇଛି। ମାତ୍ର ଆହୁରି ଦଳେ ଅଛନ୍ତି, ଯେଉଁମାନେ ଅନେକ ଖାଦ୍ୟ ନଷ୍ଟ କରନ୍ତି। ଫିଙ୍ଗା ଫୋପଡ଼ା କରନ୍ତି। କିଛି ବର୍ଷ ତଳେ ଆମେରିକାର ଜନୈକ ରାଷ୍ଟ୍ରପତି କହିଲେ ଯେ, ଭାରତୀୟମାନେ ଅଧିକ ଖାଉଥିବାରୁ ପୃଥିବୀରେ ଖାଦ୍ୟଦ୍ରବ୍ୟର ଅଭାବ ପଡ଼ୁଛି। ଏହା ସେତେବେଳେ ଅନେକ ଖବରର ଶିରୋନାମା ପାଲଟିଗଲା। କିଛିଦିନ ପରେ ଲୋକେ ସେକଥା ଭୁଲିଗଲେ। ପ୍ରଶ୍ନଟି କିନ୍ତୁ ଅମୀମାଂସିତ ରହିଗଲା। ଭାରତୀୟମାନେ ଗୋଟିଏ ଅତିଭୁକ୍‌ ଜାତି କି? ପ୍ରାୟ ଷାଠିଏ ବର୍ଷ ତଳେ ଆମ ଦେଶର ଲୋକମାନେ ଖାଦ୍ୟଶସ୍ୟ ଆବଶ୍ୟକତା ଅନୁଯାୟୀ ଉପତ୍ାଦନ କରିପାରୁ ନ ଥିଲେ। ସେଥିପାଇଁ ସେମାନେ ବିଦେଶରେ ହାତ ପାତୁଥିଲେ, ଏପରିକି ମାର୍କିନ ଗହମ ଯାହାକି ‘କେୟାର’ (ସେଣ୍ଟର ଫର୍‌ ଆମେରିକାନ୍‌ ରିଲିଫ୍‌ ଏଭ୍ରିହୋୟାର) ମାଧ୍ୟମରେ ଆମ ଦେଶର ଦୁଃଖୀରଙ୍କୀଙ୍କ ଭିତରେ ବଣ୍ଟା ହେଉଥିଲା। କ୍ରମେ ସବୁଜ ବିପ୍ଳବରେ ଆମ ଦେଶର କୃଷିଭିତ୍ତିକ ସାମର୍ଥ୍ୟ ବୃଦ୍ଧି ହେବା ପରେ ଆମେ ପ୍ରଧାନ ଖାଦ୍ୟଦ୍ରବ୍ୟ, ଧାନ ଗହମ ଆମଦାନୀରେ ବିଦେଶୀ ରାଷ୍ଟ୍ର ଉପରେ ଏତେ ନିର୍ଭରଶୀଳ ହେଲୁ ନାହିଁ। ଯଦିଓ ଏବେବି ତୈଳଜାତ ଦ୍ରବ୍ୟ ଏବଂ କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ପଦାର୍ଥରେ ଆମେମାନେ ଏପର୍ଯ୍ୟନ୍ତ ଆତ୍ମନିର୍ଭରଶୀଳ ହୋଇ ପାରିନାହୁଁ।
ଭାରତୀୟମାନଙ୍କ ଭିତରୁ ଅନେକଙ୍କର ଖାଦ୍ୟଦ୍ରବ୍ୟ ନଷ୍ଟ କରିବା ଭଳି ବଦଭ୍ୟାସଟାଏ ରହିଯାଇଛି। ଯେତେବେଳେ ଅନ୍ୟ କେହି ମାଗଣା ଖାଦ୍ୟ ଦିଅନ୍ତି, ସେତେବେଳେ ଏଇ ପ୍ରବୃତ୍ତିଟି ଖୋଲାଖୋଲି ବାହାରିପଡ଼େ। ଫଳ ହୁଏ ଏତିକି ଯେ ଯେତିକି ଖାଦ୍ୟ ପ୍ରକୃତରେ ବ୍ୟବହୃତ ହୁଏ, ସେତିକି ହୁଏତ ନଷ୍ଟ ହୁଏ।
ଖାଦ୍ୟ ଖାଇବାର କିଛି ବିଧି ଅଛି। ଯେମିତି ସକାଳେ ଟିକିଏ ଅଧିକ ଖାଦ୍ୟ ଖାଇବା କଥା। ଦିନ ବେଳକୁ ତା’ଠାରୁ କମ୍‌ ଏବଂ ସନ୍ଧ୍ୟା ସାତଟା ପରେ ନ ଖାଇଲେ ଭଲ ଏବଂ ଖାଦ୍ୟକୁ ଭୋକ ହେଲେ ହିଁ ଖାଇବା କଥା। ଏକଥା କିଏ ବା ଆଜିକାଲି ମାନୁଛି! ଆଗ କାଳରେ କୁହାଯାଉଥିଲା ଯିଏ ଦିନରେ ଥରେ ଖାଏ, ସିଏ ହେଲା ଯୋଗୀ। ଯିଏ ଦୁଇଥର ଖାଏ, ସିଏ ଭୋଗୀ। ଯିଏ ତିନିଥର ଖାଏ, ସିଏ ରୋଗୀ। ଯିଏ ଚାରିଥର ଖାଏ, ସିଏ ଶିଶୁ ଏବଂ ଚାରିରୁ ଅଧିକ ଥର ଖାଉଥିବା ଲୋକ ପଶୁ। ପଶୁ କହିବାର ଅର୍ଥ ହେଲା ସେମାନଙ୍କର ଜିହ୍ବା ଉପରେ ନିୟନ୍ତ୍ରଣ ନଥାଏ, ଯାହାକି ପଶୁ ସ୍ବଭାବ ସହ ସମାନ।
ମଣିଷର ଖାଦ୍ୟ ସହିତ ତା’ର ନୀରୋଗ ରହିବାର ସମ୍ପର୍କ ରହିଛି। ‘ନୀରୋଗ କିଏ’ର ଉତ୍ତର ଏକ ଚମତ୍କାର କାହାଣୀ ମାଧ୍ୟମରେ ଦିଆଯାଇଛି। କାହାଣୀଟି ଏହିପରି। ଦିନେ ଗୋଟିଏ ଅଜଣା ପକ୍ଷୀ ଗୋଟିଏ ଅଦ୍ଭୁତ ଶବ୍ଦ କରି ଉଡ଼ିଯାଉଥିଲା। ତାହା ଆଶ୍ରମର ଶିଷ୍ୟମାନେ ଶୁଣିପାରୁଥିଲେ – କୋଽରୁକ – କୋଽରୁକ – କୋଽରୁକ – ଅର୍ଥାତ୍‌ ନୀରୋଗ କିଏ? ଆଶ୍ରମର ସନ୍ନ୍ୟାସୀ ତାଙ୍କର ଶିଷ୍ୟମାନଙ୍କଠାରୁ ଏହି ପ୍ରଶ୍ନର ଉତ୍ତର ପୁଚ୍ଛା କରନ୍ତେ ଆଶାନୁରୂପ ଉତ୍ତର ନ ମିଳିବାରୁ ଋଷି ପୁଙ୍ଗବଙ୍କୁ ଏଇ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥିଲା। ତାଙ୍କ ଭାଷାରେ ଏହାର ଉତ୍ତର ହେଲା – ହିତ୍‌ଭୁକ୍‌, ମିତଭୁକ୍‌ ଓ ଋତ୍‌ଭୁକ୍‌ – କ’ଣ ଏଇ ତିନୋଟି ଶବ୍ଦର ଅର୍ଥ- ତାହା ଥିଲା ସମସ୍ତଙ୍କର ଧାରଣାର ବାହାରେ। ସନ୍ନ୍ୟାସୀଙ୍କୁ ହିଁ କହିବାକୁ ପଡ଼ିଲା ସବୁକଥା ବିଶଦ ଭାବରେ। ମିତଭୁକ୍‌ ଅର୍ଥହେଲା ଯିଏ ଅଳ୍ପ ଖାଆନ୍ତି ବା ଯାହାଙ୍କୁ କୁହାଯାଏ ମିତାହାରି। କିଛି ଲୋକ ଆବଶ୍ୟକତାଠାରୁ ଅଧିକ ଖାଇଥାଆନ୍ତି। ସମସ୍ତେ ବୁଝିବା କଥା ଯେ, ଆମର ପାକସ୍ଥଳୀ ଖାଦ୍ୟର ଏକ ଗୋଦାମ ଘର ନୁହେଁ। ସେହିପରି ହିତ୍‌ଭୁକ୍‌ ହେଲେ ସେଇ ବ୍ୟକ୍ତି, ଯିଏକି ନିଜର ପରିଶ୍ରମ ଦ୍ୱାରା ଅର୍ଜିତ ଖାଦ୍ୟ ହିଁ ଖାଇଥା’ନ୍ତି। ନିଜର ଶ୍ରମ ଦ୍ୱାରା ଅର୍ଜିତ ଖାଦ୍ୟଦ୍ରବ୍ୟ ହିଁ ଶରୀରକୁ ପ୍ରକୃତ ପୁଷ୍ଟି ପ୍ରଦାନ କରେ ଏବଂ ଅନ୍ୟ କାହାରି ଦୟା, କାର୍ପଣ୍ୟ ଉପରେ ଏହା ନିର୍ଭରଶୀଳ ହୋଇ ନ ଥାଏ। ଏହା ଖାଦ୍ୟଶୃଙ୍ଖଳରେ ଶୃଙ୍ଖଳା ସୃଷ୍ଟି କରିଥାଏ ଏବଂ ଋତ୍‌ଭୁକ୍‌ ହେଲା ସେଇ ଖାଦ୍ୟଦ୍ରବ୍ୟ ବା ପନିପରିବା ବା ଫଳମୂଳ ଯାହା ନିର୍ଦ୍ଦିଷ୍ଟ ଋତୁରେ ଉପଲବ୍‌ଧ ହୋଇଥାଏ। ଅତଏବ ଏଇ ତିନି ଶ୍ରେଣୀୟ ବ୍ୟକ୍ତି ହିଁ ନୀରୋଗ ଜୀବନଯାପନ କରିଥା’ନ୍ତି।
ଗାନ୍ଧିଜୀଙ୍କ ସାବରମତୀ ଆଶ୍ରମକୁ ଥରେ ତାଙ୍କର ଜଣେ ଝିଆରୀ ଆସିଥାଆନ୍ତି। ସେ ନିଜକୁ ଅତିଥି ଭାବୁଥାଆନ୍ତି ଏବଂ ତାଙ୍କର ଧାରଣା ଥାଏ ଯେ, ତାଙ୍କୁ କିଛି କାମ କରିବାର ଆବଶ୍ୟକତା ନାହିଁ, ଯେମିତିକି ସଚରାଚର ଆମର ଅତିଥିମାନେ ଭାବନ୍ତି। ଝିଆରୀ ଜଣକ ଦେଖିଲେ ତାଙ୍କୁ କେହି ଖାଇବାକୁ ଡାକୁନାହାନ୍ତି। ଏତିକିବେଳେ ସଚେତନ ହେଲେ କସ୍ତୁରବା ଯେ, ଆଶ୍ରମ ନିୟମ ଅନୁସାରେ ଜଣେ କିଛି କାମ ନ କଲେ ତାଙ୍କୁ ଖାଇବାକୁ ମିଳିବ ନାହିଁ। ତୁରନ୍ତ ସେ କିଛି ମୁଗଜାଇ ନେଇ ଝିଆରୀଙ୍କୁ ଦେଲେ ଏବଂ ତାକୁ ସେତେକ ପେଷି ଦେବା ପାଇଁ ଅନୁରୋଧ କଲେ। ସେ ସେତେକ କାମ କରିଦେଲା ପରେ ତାଙ୍କୁ ଖାଦ୍ୟ ପରଷା ଯାଇଥିଲା। ଯେଉଁମାନେ ରୋଗୀ, ଶିଶୁ ଅଥବା ଜରାଜୀର୍ଣ୍ଣ ସେମାନେ ଏଇ ନିୟମର ଅନ୍ତର୍ଭୁକ୍ତ ନୁହନ୍ତି। ଅର୍ଥାତ୍‌ ଏହା ଏକ ଭଲ ଅଭ୍ୟାସ ଯେ, କର୍ମ କରିବା ଦ୍ୱାରା ଜଣେ ଖାଦ୍ୟ ଆହରଣ କଲେ ତାଙ୍କୁ ଖାଦ୍ୟ ହଜମରେ ଅସୁବିଧା ହୁଏ ନାହିଁ।
ପୃଥିବୀରେ ଅନେକ ଲୋକ ନିଜର ଦୈନନ୍ଦିନ ଖାଦ୍ୟ ପାଇପାରନ୍ତି ନାହିଁ; ମାତ୍ର ପୃଥିବୀରେ ଯେତେ ଖାଦ୍ୟ ଉପତ୍ାଦନ ହେଉଛି ତାହା ସମସ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଯଥେଷ୍ଟ। ଆକଳନରୁ ଜଣାଯାଇଛି, ପୃଥିବୀର ସବୁ ଲୋକଙ୍କୁ ଖାଦ୍ୟଶସ୍ୟ କେବଳ ଚାଇନା ବା ଭାରତ କିମ୍ବା ବ୍ରାଜିଲ ଯୋଗାଇ ଦେଇପାରିବେ। ଆମର ଖାଦ୍ୟ ସମସ୍ତଙ୍କ ନିକଟରେ ପହଞ୍ଚୁ ନ ଥିବାର ଅନେକ କାରଣ ରହିଛି। ତା’ ମଧ୍ୟରୁ ରାଷ୍ଟ୍ରର କିଛି ନୀତି ନିୟମର ତ୍ରୁଟି ସାଙ୍ଗକୁ ମଣିଷର ଲୋଭ ମୁଖ୍ୟତଃ ଦାୟୀ। ଗାନ୍ଧିଜୀ ଥରେ କହିଥିଲେ, ”ପେଟ ଭରୋ, ଲେକିନ୍‌ ପେଟୀ ମତ ଭରୋ- ଏକ୍‌ ପେଟୀ ଭରେଗେଁ ତୋ ସଇକୋଡ଼ୋ ଲୋଗ୍‌ ଭୂଖା ରହ୍‌ ଯାଏଗେଁ“ ଅର୍ଥାତ୍‌ ଠିକ୍‌ ସେଇକଥା ଯାହା କହିଥିଲେ ଲିଓ ଟଲ୍‌ଷ୍ଟୟ ଯେ, ପୃଥିବୀରେ ସମସ୍ତଙ୍କୁ ଉପଯୁକ୍ତ ଖାଦ୍ୟ ଯୋଗାଇବା ପାଇଁ ପର୍ଯ୍ୟାପ୍ତ ସମ୍ବଳ ରହିଛି; ମାତ୍ର ଜଣେ ଲୋକର କାର୍ପଣ୍ୟ ଏତେ ବେଶି ଯେ ସମଗ୍ର ପୃଥିବୀର ଧନ ତା’ ପାଇଁ ବି ନିଅଣ୍ଟ। ମଣିଷର ଲୋଭ ଏତେ ବେଶି ଯେ, ତା’ର ଆବଶ୍ୟକତା ଏତେ ସେ ବଢ଼େଇ ଦେଇଛି ଯେ, ତା’ର ଭବିଷ୍ୟତ ପାଇଁ ଏତେ ଚିନ୍ତା ଯେ, ସେ ସବୁବେଳେ ଭାବୁଥାଏ ତାକୁ ନିଅଣ୍ଟ ହେଉଛି। ଏହା ବାସ୍ତବତା ନୁହେଁ, ବରଂ ଏକ ମାନସିକ ବ୍ୟାଧି।
ଖାଦ୍ୟ ଅଭାବର ଅନେକ କାରଣ ଭିତରୁ ଆଉ ଏକ ପ୍ରମୁଖ କାରଣ ଆମର ଖାଦ୍ୟ ପଦାର୍ଥକୁ ସଜେଇ ଗୋଦାମ ଘରେ ରଖିବା ଭିତରେ ମୂଷାମାନେ ସେଥିରେ ବଇରି ସାଧନ୍ତି। କେବଳ ଖାଦ୍ୟଦ୍ରବ୍ୟ ଖାଇବାରେ ସୀମିତ ନୁହେଁ, ସେମାନଙ୍କର କାର୍ଯ୍ୟ, ବରଂ ବହୁ ଖାଦ୍ୟ ନଷ୍ଟ କରିବାରେ ସେମାନଙ୍କର ଅସୀମ ଆନନ୍ଦ। ଏହାକୁ ଲକ୍ଷ୍ୟ କରି କିଛି ବର୍ଷତଳେ ମୂଷାମରା ଅଭିଯାନ ଆରମ୍ଭ ହୋଇଥିଲା ଗୋଟିଏ ଦେଶରେ; ମାତ୍ର ପରେ ତାହା ପ୍ରକୃତିର ସନ୍ତୁଳନକୁ ବିଗାଡ଼ି ଦେଇଥିଲା ବୋଲି ସମାଜ ବିଜ୍ଞାନୀମାନେ ମତ ଦେଇଥିଲେ। ଯେଉଁ ମୂଷାମାନେ ଖାଦ୍ୟଦ୍ରବ୍ୟ ନଷ୍ଟ କରନ୍ତି, ତା’ଠାରୁ ଶହେଗୁଣ ଭୟଙ୍କର କିଛି ଅସାଧୁ ଗୋଦାମ ଦାୟିତ୍ୱରେ ଥିବା ବାବୁମାନେ। ବୋଧହୁଏ ସେଇମାନଙ୍କୁ ଲକ୍ଷ୍ୟ କରି ଏକ ପ୍ରଜାତିର ମୂଷା ଭାବରେ ତାଙ୍କୁ ତାଚ୍ଛଲ୍ୟ କରାଯାଏ। ଇଂଲିଶ୍‌ ସେଇ ଶବ୍ଦଟି ହେଲା ବଣ୍ଡିକୁଟ- Bandicoot। ଏହାର ଆକ୍ଷରିକ ଅର୍ଥ ହେଲା – ବିରାଡ଼ି ଆକାରର ମୂଷା – (A rat as big as a cat)। ଏହି ମଣିଷ-ମୂଷାମାନଙ୍କୁ ସାବାଡ଼ କରାଯାଇ ନ ପାରିଲେ ଖାଦ୍ୟାଭାବ କ’ଣ ସତରେ କମିବ!
ଅନ୍ନ ଦ୍ୱାରା ଶରୀର ପୁଷ୍ଟ ହେଉଥିବାରୁ ଏବଂ ଅନ୍ନ ବିହୁନେ ମଣିଷର ଜ୍ଞାନ ଚେତନା ସବୁ ଲୋପ ପାଇବାର ସମ୍ଭାବନା ଥିବାରୁ ଅନ୍ନକୁ ବ୍ରହ୍ମ ସହିତ ତୁଳନା କରାଯାଇଛି। ସେଇ ଅନ୍ନ ବା ଖାଦ୍ୟ ସମ୍ଭାର ପାଇଁ ମଣିଷ ନିଜର ମଣିଷପଣିଆ ଦେଖାଇବା ଦରକାର। କିପରି ସମସ୍ତେ ଖାଦ୍ୟ ଖାଇବାକୁ ପାଇବେ, କେହି ଖାଦ୍ୟ ନଷ୍ଟ କରିବେ ନାହିଁ, ତାହା ଏକ ରାଷ୍ଟ୍ରଧର୍ମରେ ଅନ୍ତର୍ଭୁକ୍ତ ହେବା ଜରୁରୀ।
ସଦସ୍ୟ, ଓଡ଼ିଶା ଲୋକସେବା ଆୟୋଗ
ମୋ: ୯୪୩୮୪୮୨୯୧୧


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?