ଦେବଗଡ଼,୨୫ା୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ପୋଲିସ ୨୧ ତାରିଖ ରାତିରେ ଶ୍ରମିକ ଈନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ ଠାବ କରିଥିଲା। ପରେ ୨୨ ତାରିଖରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଉଦ୍ଧାର କରାଯାଇଥିଲା। ସେହିଦିନ ମୃତ ଶ୍ରମିକ ଈନ୍ଦ୍ରଙ୍କ ପରିବାରକୁ ୬୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ସହିତ ହତ୍ୟାଘଟଣାରେ ସମ୍ପୃକ୍ତ ବାଲିଘାଟ ଠିକାଦାର, ପ୍ରୋକୋଲିନ୍ ଅପରେଟର, ହାଇଓ୍ବା ଚାଳକ ଓ ଅନ୍ୟମାନଙ୍କୁ ଗିରଫ ଦାବିରେ ସମ୍ପୃକ୍ତ ଅଞ୍ଚଳବାସୀ ଉକ୍ତ ବାଲିଘାଟ ନିକଟସ୍ଥ ବାହାଡ଼ାପୋଶି-ରାଉରକେଲା ସଂଯୋଗକାରୀ ୧୦ ନମ୍ବର ରାଜ୍ୟ ରାଜପଥ ଅବରୋଧ କରାଯାଇଥିଲା । ତେବେ ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ହସ୍ତକ୍ଷେପ କରି ମୃତକଙ୍କ ପରିବାରକୁ ବାଲିଘାଟ ଠିକାଦାରଙ୍କ ଠାରୁ ୧୦ଲକ୍ଷ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ସହ ପ୍ରଶାସନ ପକ୍ଷରୁ ଅନ୍ୟାନ୍ୟ ସହାୟତା ଓ ଅଭିଯୁକ୍ତମାନଙ୍କୁ ଅବିଳମ୍ବେ ଗିରଫ ପାଇଁ ଉତ୍ତ୍ୟକ୍ତ ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଯେନ ତେନ ପ୍ରକାରେଣ ବୁଝାଇବାରେ ସଫଳ ହୋଇଥିଲା। ଫଳରେ ରାସ୍ତାରୋକୋ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। କିନ୍ତୁ ଈନ୍ଦ୍ରଙ୍କ ମୃତ୍ୟୁ ଘଟଣାର ୫ ଦିନ ବିତିଯାଇଥିବା ବେଳେ ଗିରଫଦାରୀଙ୍କ ପ୍ରତିଶ୍ରୁତିକୁ ୩ ଦିନ ବିତିଯାଇଛି। ମାତ୍ର ବିଡମ୍ବନାର ବିଷୟ ଏହା ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇନାହିଁ। ଫଳରେ ପୋଲିସ କାର୍ଯ୍ୟ ଦକ୍ଷତା ଓ ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍ୟପକ୍ଷରେ ପୋଲିସ ଓ ପ୍ରଶାସନର ଜ୍ଞାତ ସାରରେ ପୂର୍ବରୁ ବେଆଇନ ଭାବେ ବାଲିଘାଟ ପରିଚାଳିତ ହେଉଥିବାରୁ ବାରକୋଟ ଥାନା ପୋଲିସ ଜାଣିଶୁଣି ବାଲିଘାଟ ଠିକାଦାରଙ୍କୁ ଗିରଫ କରୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ଏଣୁ ଦେବଗଡ଼ ଜିଲା ଆରକ୍ଷୀ ଅଧୀକ୍ଷକ ଏବଂ ବିବାଗୀୟ ଉଚ୍ଚ କର୍ତୃପକ୍ଷ ଏ ଘଟଣାରେ ହସ୍ତକ୍ଷେପ କରି ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି। ଏ ସମ୍ପର୍କରେ ଦେବଗଡ଼ ଜିଲା ଆରକ୍ଷୀ ଅଧୀକ୍ଷକ କିଶୋର ଚନ୍ଦ୍ର ମୁଣ୍ଡଙ୍କୁ ପଚାରିବାରୁ ବ୍ୟବହୃତ ଏସ୍କାଭେଟରକୁ ଜବତ ହୋଇଥିବା ଏବଂ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ଉଦ୍ୟମ ଜାରି ରହିଥିବା ପ୍ରକାଶ କରିଛନ୍ତି।