ଥୁଆମୂଳ ରାମପୁର,୯ା୯(ଦୁର୍ଗା କୀର୍ତ୍ତି): ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ ସୋହାଗୀ ନିଯୁକ୍ତି ଏବଂ ମନରେଗା ଯୋଜନାରେ ବେକାର ଯୁବକ ଉପକୃତ ହେଉଥିବା ନେଇ ସରକାରୀ ଦାବିର ସତ୍ୟତା ଏବେ ପଦାରେ ପଡ଼ିଛି। ଗୋଟିଏ ପଟେ ବାଫ୍ଲାମାଳି ପାହାଡ଼ରୁ ଲକ୍ଷଲକ୍ଷ ଟନ୍ ବକ୍ସାଇଟ ଖନନ କରି ଶିଳ୍ପ ସଂସ୍ଥା ଓ ସରକାର କୋଟି କୋଟି ଟଙ୍କାର ରାଜସ୍ବ କମାଉଛନ୍ତି, ଅନ୍ୟପଟେ ସେହି ଖଣି ପ୍ରଭାବିତ ଅଞ୍ଚଳର ବେକାର ଯୁବକମାନେ ପରିବାର ପ୍ରତିପୋଷଣ ପାଇଁ ସୁଦୂର କେରଳକୁ ଦାଦନ ଯାଉଛନ୍ତି। ଥୁଆମୂଳ ରାମପୁର ବ୍ଲକ୍ର କାନିଗୁମା, ଗୁଣୁପୁର, କେରପାଇ, ତଳ ଆମ୍ବପଦର, ତଳଝାପି, ଓଡ୍ରି, ଗୋପୀନାଥପୁର, ମାଳିଗାଁ ସମେତ ପଡ଼ୋଶୀ ରାୟଗଡ଼ା, ନବରଙ୍ଗପୁର ଓ କୋରାପୁଟ ଜିଲାର ଅନେକ ଗାଁରୁ ଶ୍ରମିକମାନେ ପ୍ରତି ମଙ୍ଗଳବାର ଥୁଆମୂଳ ରାମପୁରରେ ଏକତ୍ରିତ ହୁଅନ୍ତି। ‘କେଏଲ୍-୪୨-୦୭୯୫୬’ ନମ୍ବର ବିଶିଷ୍ଟ ଏକ ଘରୋଇ ବସ୍ରେ ୫୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କୁ ଭର୍ତ୍ତି କରି କାଶୀପୁର, ରାୟଗଡ଼ା ଓ ଆନ୍ଧ୍ରପ୍ରଦେଶ ଦେଇ ପ୍ରାୟ ୧୭୦୦ କିଲୋମିଟର ଦୂର କେରଳକୁ ବେଆଇନ ଭାବେ ଚାଲାଣ କରାଯାଉଥିବା ମଙ୍ଗଳବାର ଦେଖିବାକୁ ମିଳିଛି। ସ୍ଥାନୀୟ ସଚେତନ ଯୁବକ ଜଗାକାଳିଆ ନାଏକ, ପରମେଶ୍ୱର ନାଏକ, ହିତେଶ କୁମାର ନାଏକ ଏବଂ ଦୁର୍ଯ୍ୟୋଧନ ଗୌଡ଼ଙ୍କ ସମେତ ଅଞ୍ଚଳର ରାଜନୈତିକ କର୍ମୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଗତ ୨୪ ବର୍ଷର ବିଜେଡି ଓ ବର୍ତ୍ତମାନର ଭାଜପା ଶାସନ କାଳରେ ବେକାର ଯୁବକଙ୍କ ପାଇଁ କୌଣସି ସ୍ଥାୟୀ ନିଯୁକ୍ତି ବ୍ୟବସ୍ଥା ହୋଇପାରିନାହିଁ। ଅଞ୍ଚଳଟି ଡିଏମ୍ଏଫ୍ ଅଞ୍ଚଳ ହୋଇଥିଲେ ବି ଉତ୍କଳ ଆଲୁମିନା କମ୍ପାନୀ ସ୍ଥାନୀୟ ଯୁବକଙ୍କୁ ସିକ୍ୟୁରିଟି ଗାର୍ଡ କି ଝାଡ଼ୁଦାର ଚାକିରି ଟିକିଏ ବି ଦେଉନାହିଁ। ଗାଁରେ ମନରେଗା ମଜୁରି କିମ୍ବା ଅନ୍ୟାନ୍ୟ କାମ ଠିକ ସମୟରେ ମିଳୁ ନ ଥିବା ଏବଂ କାମ କଲେ ମଧ୍ୟ କମ ପଇସା ମିଳୁଥିବା ବେଳେ କେରଳରେ ଦୈନିକ ୮୦୦ରୁ ୧୮୦୦ ଟଙ୍କା ମିଳୁଥିବାରୁ ଲୋକେ ଯିବାକୁ ବାଧ୍ୟ ହେଉଛନ୍ତି। ସରକାର ତୁରନ୍ତ କଳକାରଖାନା ପ୍ରତିଷ୍ଠା ନକଲେ ଅଞ୍ଚଳ ‘ଯୁବକ ଶୂନ୍ୟ’ ହୋଇଯିବ ବୋଲି ଚେତାବନୀ ଦିଆଯାଇଛି। ଗତ ଦୁଇ ବର୍ଷ ମଧ୍ୟରେ ଅନେକ ଦାଦନ ଶ୍ରମିକଙ୍କ ବାହାର ରାଜ୍ୟରେ ମୃତ୍ୟୁ ଘଟିଥିବା ବେଳେ କେତେକ ନିଖୋଜ ଅଛନ୍ତି, ସ୍ଥାନୀୟ ଥାନାରେ ନିଖୋଜ ମାମଲା ରୁଜୁ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ,। ସେତିକିବେଳେ ଏତେ ବଡ଼ ବେଆଇନ କାରବାର ସତ୍ତ୍ୱେ ବସ୍ର ରୋଡ ପରମିଟ, ଇନ୍ୟୁରାନ୍ସ କିମ୍ବା ଶ୍ରମିକଙ୍କ ବୈଧ ଶ୍ରମ କାର୍ଡ ଯାଞ୍ଚ ହେଉନାହିଁ। ବିଡିଓ ଧ୍ରୁବ ଚରଣ ମୁଦୁଲି ଶ୍ରମ ବିଭାଗକୁ ସୂଚନା ଦେବା କହି ଦାୟିତ୍ୱ ଏଡ଼ାଇ ଯାଉଥିବାବେଳେ ଥାନା ଆଇଆଇସି ପ୍ରଶାନ୍ତ କୋଳହରସ ଫୋନ ଉଠାଉ ନାହାନ୍ତି ଏବଂ ଏସଆଇ ସନ୍ତୋଷ କୁମାର ସେଠୀ ସୂଚନା ପାଇ ବି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଏହି ୧୭୦୦ କିମି ଯାତ୍ରାରେ କୌଣସି ଦୁର୍ଘଟଣା ଘଟିଲେ କିଏ ଦାୟୀ ରହିବ, ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

