ଶ୍ରମିକ ନେତାଙ୍କ ବିୟୋଗରେ ଶୋକ

ତାଳଚେର,୨୫ା୨ (ମନୋଜ ନନ୍ଦ)ବିଶିଷ୍ଠ ଶ୍ରମିକ ନେତା ଲମ୍ବୋଦର ନାୟକ(୮୪)ଙ୍କ ଶନିବାର ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିିଟାଲରେ ପରଲୋକ ଘଟିଛି। ଶ୍ରମିକମାନଙ୍କ ଅଧିକାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଏହି ଶ୍ରମିକ ନେତାଙ୍କ ମୃତ୍ୟୁରେ ଶ୍ରମିକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ନାୟକ ସିପିଆଇଏମ୍‌ ତଥା ସିଆଇଟିୟୁ ଶ୍ରମିକ ସଂଘର ରାଜ୍ୟ ସଭାପତି ଏବଂ କୋଲ୍‌ଫିଲଡ୍ସ ୱାର୍କର୍ସ ୟୁନିୟନର ସଭାପତି ଦାୟିତ୍ୱ ନେଇ ଆନ୍ଦୋଳନ କରିବା ସହ କାରାବରଣ ମଧ୍ୟ କରିଥିଲେ। ଦୀର୍ଘ ୫୦ ବର୍ଷ ଧରି ଶ୍ରମିକମାନଙ୍କ ଦାବି, ଅଧିକାର ପାଇଁ ତାଳଚେର ତଥା ଅନ୍ୟାନ୍ୟ ଅଞ୍ଚଳରେ ଜୋର୍‌ଦାର ଆନ୍ଦୋଳନ କରି ସଫଳତା ହାସଲ କରିଥିଲେ। ସେହିପରି କେନ୍ଦୁଝରସ୍ଥିତ କାଲ୍‌ଟା ଲୁହା ଖଣିର ନିଷ୍ପେଷିିତ ଶ୍ରମିକମାନଙ୍କ ବିଭିନ୍ନ ଦାବି ହାସଲରେ ପ୍ରମୁଖ ଭୂମିକା ତୁଲାଇଥିଲେ। ତାଙ୍କ ବିୟୋଗରେ ଏମ୍‌ସିଏଲ୍‌ର ବରିଷ୍ଠ ଶ୍ରମିକ ନେତା ଆନନ୍ଦ ଚନ୍ଦ୍ର ଆଚାର୍ଯ୍ୟ ଗଭୀର ଶୋକବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ସେହିପରି ଶ୍ରମିକ ନେତା ଉପେନ୍ଦ୍ର ଶର୍ମା, ଆଇନଜୀବୀ ପ୍ରଦୀପ ପଣ୍ଡା, ପ୍ରକାଶ ତ୍ରିପାଠୀ ପ୍ରମୁଖ ଶୋକବ୍ୟକ୍ତ କରିବା ସହ ଶ୍ରମିକମାନଙ୍କ ହକ୍‌ ପାଇଁ ସେ କରିଥିବା ଆନ୍ଦୋଳନ ଯୋଗୁ ଚିରକାଳ ମନେ ରହିବେ ବୋଲି ପ୍ରକାଶ କରିଛନ୍ତି।