Categories: ବାଣିଜ୍ୟ

କଓ୍ବୋଇସି ଠକେଇ: ସତର୍କ କଲା ଆର୍‌ବିଆଇ

ନୂଆଦିଲ୍ଲୀ,୧୪।୯: ନୋ ୟୋର କଷ୍ଟମର(କଓ୍ବୋଇସି) ଅପ୍‌ଡେଟ୍‌ କରାଇବା ଆଳରେ ଲୋକମାନେ ବ୍ୟାଙ୍କ ଠକେଇର ସାମ୍ନା କରୁଥିବା ଦେଖାଯାଉଛି। ଏହାକୁ ନେଇ ଲୋକଙ୍କୁ ରିଜର୍ଭ ବ୍ୟାଙ୍କ ସତର୍କ କରାଇଛି। ଆକାଉଣ୍ଟ ଲଗ୍‌ଇନ୍‌ ସମ୍ପର୍କିତ ତଥ୍ୟ, ବ୍ୟକ୍ତିଗତ ତଥ୍ୟ, କଓ୍ବୋଇସି ଡକ୍ୟୁମେଣ୍ଟ କପି, କାର୍ଡ ସୂଚନା, ପିନ୍‌, ପାସ୍‌ଓ୍ବାର୍ଡ କିମ୍ବା ଓଟିପି ଅଚିହ୍ନା ଲୋକ କିମ୍ବା ଏଜେନ୍ସିକୁ ନ ଦେବାକୁ ଆର୍‌ବିଆଇ ପକ୍ଷରୁ କୁହାଯାଇଛି। ସେହିଭଳି ଅନଧୀକୃତ ଏବଂ ଯାଞ୍ଚ ହୋଇ ନ ଥିବା ଓ୍ବେବ୍‌ସାଇଟ୍‌ ଏବଂ ଆପ୍ଲିକେଶନଗୁଡ଼ିକରେ ଏଭଳି ତଥ୍ୟ ଶେୟାର ନ କରିବା ଆବଶ୍ୟକ। ଯଦି କୌଣସି ବ୍ୟକ୍ତିବିଶେଷ ଏ ସଂକ୍ରାନ୍ତ ତଥ୍ୟ ମାଗେ ତେବେ ତୁରନ୍ତ ବ୍ୟାଙ୍କ ଶାଖାକୁ ଜଣାଇବାକୁ ଆର୍‌ବିଆଇ ପରାମର୍ଶ ଦେଇଛି। କଓ୍ବୋଇସି ଅପ୍‌ଡେଟ୍‌ କରାଇବା ଆଳରେ ଅନେକ ଲୋକ ଠକେଇର ଶିକାର ହେଉଥିବା ଅଭିଯୋଗ ଆର୍‌ବିଆଇ ନିକଟକୁ ଆସିଛି।
କଲ୍‌, ଏସ୍‌ଏମ୍‌ଏସ୍‌ ଏବଂ ଇମେଲ୍‌ ମାଧ୍ୟମରେ ଲୋକଙ୍କ ସହ ଠକ୍‌ମାନେ ସମ୍ପର୍କ କରୁଛନ୍ତି। ଲୋକଙ୍କଠାରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆକାଉଣ୍ଟ ତଥ୍ୟ ପାଇବା ପରେ ଠକେଇ ହେଉଥିବା ଦେଖାଯାଉଛି। ନିୟାମକ ସଂସ୍ଥାଗୁଡ଼ିକ ଏହି ଦିଗକୁ ବିଚାରକରି ସମୟ ସମୟରେ ଲୋକଙ୍କୁ ଠିକ୍‌ ଉପାୟରେ ସେବା ଯୋଗାଣ କରିବା ଲାଗି ଆର୍‌ବିଆଇ ପରାମର୍ଶ ଦେଇଛି।

Share