ପଦା ହୋଇଯିବ କୁଟାସିଙ୍ଗା ଜଙ୍ଗଲ: ସୀମାନ୍ତରେ ଥିବାରୁ ମିଳୁନି ସୁରକ୍ଷା

ବଇଣ୍ଡା, ୧୭ା୧୧ (ଡି.ଏନ.ଏ.): ମୂଲ୍ୟବାନ ଗଛକୁ ଟାର୍ଗେଟ୍‌ କରୁଛନ୍ତି କାଠ ମାଫିଆ। ସେଥିପାଇଁ ନିୟମିତ କଟାଯାଉଛି ଶାଳ, ଶାଗୁଆନ ଗଣ୍ଡି। ଗୁପ୍ତ ସ୍ଥାନରେ ଲୁଚାଇ ରଖି ଅବାଧରେ କରାଯାଉଛି ଚୋରା ଚାଲାଣ। ଏ ନେଇ ଅଞ୍ଚଳବାସୀ ଆପତ୍ତି ଅଭିଯୋଗ ଉଠାଉଛନ୍ତି। ଜଙ୍ଗଲ ପଦା ହୋଇଯିବାର ଆଶଙ୍କା କରୁଛନ୍ତି। ହେଲେ ଏଯାଏ ଚେତାପଶୁନି ବନ ବିଭାଗର। ଦୁଇ ବନଖଣ୍ଡ ସୀମାରେ ଥିବାରୁ କଡ଼ାକଡ଼ି ହେଉନି ପାଟ୍ରୋଲିଂ। ଫଳରେ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ରେଞ୍ଜ କୁଟାସିଙ୍ଗା ଜଙ୍ଗଲକୁ ମିଳିପାରୁନି ଉପଯୁକ୍ତ ସୁରକ୍ଷା।

କୁଟାସିଙ୍ଗା ଗ୍ରାମବାସୀ କହିଛନ୍ତି, ରେଢାଖୋଲ ଓ ଆଠମଲ୍ଲିକ ବନଖଣ୍ଡ ଅଧୀନରେ ରହିଛି କୁଟାସିଙ୍ଗା ଜଙ୍ଗଲ। ଶାଳ, ପିଆଶାଳ, ଶାଗୁଆନ, ଶିଶୁ ଆଦି ମୂଲ୍ୟବାନ ଗଛରେ ଏହା ପରିପୂର୍ଣ୍ଣ। ଅଧିକ ଘଞ୍ଚ ହୋଇଥିବାରୁ ଏହାର ସୁଯୋଗ ନେଇ ଦୀର୍ଘଦିନ ହେଲା ଏଠାରେ କାଠ ମାଫିଆ ସକ୍ରିୟ ହୋଇପଡ଼ିଛନ୍ତି। ଏପରି କି ଦିନବେଳା ମଧ୍ୟ ସେମାନେ ଅବାଧରେ କାଠ କାଟି ଚାଲାଣ କରୁଛନ୍ତି। ବିଳମ୍ବିତ ରାତିରେ କରତ ସାହାଯ୍ୟରେ ଗଛଗୁଡିକକୁ କାଟି ଜଙ୍ଗଲରେ ଲୁଚାଇ ରଖୁଛନ୍ତି। ରାତିରେ ସେଥିରୁ ପଟା ପ୍ରସ୍ତୁତ କରି ନାମୀଦାମୀ ଗାଡିରେ ଜିଲା ତଥା ଜିଲା ବାହାରକୁ ପଠାଉଛନ୍ତି। ବନ ବିଭାଗର କେତେଜଣ କର୍ମଚାରୀଙ୍କୁ ହାତକରି କାଠ ମାଫିଆମାନେ ଏହି କାରବାର ଚଳାଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ସେତେଟା ଗୁରୁତ୍ୱ ଦେଉନାହାନ୍ତି। ଏ ନେଇ ଅଞ୍ଚଳବାସୀ ବହୁବାର ରେଞ୍ଜ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି। କାଠ ମାଫିଆମାନଙ୍କୁ ରୋକା ନ ଗଲେ ଜଙ୍ଗଲ ପଦା ହୋଇଯିବ ବୋଲି ସତର୍କ କରାଇଛନ୍ତି। ହେଲେ ବାମୁର ରେଞ୍ଜ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉ ନାହିଁ। ସୀମାନ୍ତ ଅଞ୍ଚଳ ହୋଇଥିବାରୁ ଆଠମଲ୍ଲିକ ଓ ରେଢ଼ାଖୋଲ ବନଖଣ୍ଡ ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଉ ନାହିଁ। କିଛି ଦିନ ପୂର୍ବେ ଜଙ୍ଗଲ ନିକଟରେ ଥିବା ଏକ ଠିକାସଂସ୍ଥା କ୍ୟାମ୍ପରୁ ଚୋରା କାଠ ଜବତ କରାଯାଇଥିଲା। କିନ୍ତୁ ଏଥିରେ ସମ୍ପୃକ୍ତ ଥିବା କାଠ ବ୍ୟବସାୟୀଙ୍କୁ ଗିରଫ କରିବାରେ ବନ ବିଭାଗ ସକ୍ଷମ ହୋଇପାରିନାହିଁ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ଜଙ୍ଗଲକୁ ସୁରକ୍ଷା ଯୋଗାଇ ଦେବାକୁ ସେମାନେ ମଙ୍ଗଳବାର ଅନୁଗୋଳ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଆଠମଲ୍ଲିକ ଡିଏଫ୍‌ଓ ଏସ. ଆନନ୍ଦ କହିଛନ୍ତି, ଆବଶ୍ୟକ ଯାଞ୍ଚ କରାଯାଇ ଜଙ୍ଗଲର ସୁରକ୍ଷା ଦିଗରେ ପଦକ୍ଷେପ ନିଆଯିବ।