ସହରରେ କୁଲିଆରି ଶାଗର ପସରା

କେନ୍ଦୁଝର, ୧୮।୪ (ସ୍ବ.ପ୍ର.): ଖରା ଦିନରେ ପତ୍ରଛଡା ପରେ ନୂଆପତ୍ର କଅଁଳିଥାଏ। ସେପରି କୁଲିଆରି ଗଛରେ ମଧ୍ୟ ଏହି ସମୟରେ ପତ୍ର କଅଁଳିଥାଏ।
ଏହି କଅଁଳିଆ ପତ୍ରକୁ ଶାଗ ଭାବରେ ସମସ୍ତେ ଖାଇଥାନ୍ତି। ବଣପାହାଡ଼ରେ ପ୍ରାକୃତିକ ପରିବେଶରେ କୁଲିଆରି ଗଛ ଉଠିଥାଏ। ଏହି ଦିନରେ ବନବାସୀ ମାନେ ବଣଜଙ୍ଗଲ ବୁଲି ଗଛ ଚଢି ଏହି କଅଁଳିଆ ପତ୍ର ତୋଳିଥାନ୍ତି। ଏହି ସଂଗୃହୀତ ପତ୍ରକୁ ଶାଗ ଭାବରେ ନିଜେ ଖାଇବା ସହ ହାଟବଜାରରେ ବିକ୍ରି କରିଥାନ୍ତି। ଏହି ଦିନରେ ଏହି ଶାଗର ସ୍ବାଦ ବହୁତ ଭଲ। ଏଣୁ ପ୍ରାୟ ଗାଁ ଠୁ ସହର ଅନେକଙ୍କ ଘରେ କୁଲିଆରି ଶାଗ ପ୍ରସ୍ତୁତ ହୋଇଥାଏ।
ସହରାଞ୍ଚଳରେ ଏହାର ଚାହିଦା ଅଧିକ ଥିବାରୁ ବନବାସୀ ମାନେ ବଣପାହାଡ ତଥା ବାଡିବଗିଚାରୁ କୁଲିଆରି ପତ୍ର ତୋଳି ହାଟବଜାରରେ ବିକିଥାନ୍ତି। ଏହି ଭାଗ ୨୦ ଟଙ୍କାରେ ବିକିଥାନ୍ତି ା ପ୍ରାକୃତିକ ପରିବେଶରେ ବଢୁଥିବାରୁ ସ୍ବାସ୍ଥ୍ୟପକ୍ଷେ ଏହା ବେଶ୍‌ ହିତକର। ଏଣୁ ସମସ୍ତେ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି ବୋଲି ପରିବେଶବିତ ଡ. ବିମ୍ବାଧର ବେହେରା କୁହନ୍ତି। ବିନା ଖର୍ଚ୍ଚରେ ଏଥିରୁ ବନବାସୀ ମାନେ ଭଲ କରି ଦୁଇ ପଇସା ରୋଜଗାର କରିଥାନ୍ତି। ଏହାମଧ୍ୟ ପରିବେଶର ସନ୍ତୁଳନ ରକ୍ଷା କରିଥାଏ। ପିଲାଠୁ ବଡ ସମସ୍ତେ ଏହାକୁ ଖାଇବାକୁ ଭଲ ପାଆନ୍ତି। ଖରା ଦିନରେ ପଖାଳ ସାଙ୍ଗକୁ କୁଲିଆରି ଶାଗର ସ୍ବାଦ ସମସ୍ତେ ଉଠାଇଥାନ୍ତି। ଏପରିକି ହୋଟେଲ ମାନଙ୍କ ମଧ୍ୟରେ ଖାଇବା ଥାଳିରେ କୁଲିଆରି ଶାଗ ପରଶାଯାଇଥାଏ ା ଉକ୍ତ ଶାଗ ବନବାସୀଙ୍କୁ ଏହି ଋତୁରେ ଜିବିକା ଦେଇଆସୁଛି ଏଣୁ ବିଭିନ୍ନ କାରଣରୁ ଜଙ୍ଗଲ କ୍ଷୟ ହେଉଥିବାରୁ ଏହି ଗଛ ସବୁ ନଷ୍ଟ ହୋଇଯାଉଛି। ଏହାର ସୁରକ୍ଷା କରିବା ଜରୁରୀ ବୋଲି ମତପ୍ରକାଶ ପାଉଛି।