କୁଚିଣ୍ଡା ଉପଖଣ୍ଡ: ଧାନକିଣା ଆରମ୍ଭରୁ ଅବ୍ୟବସ୍ଥା

କୁଚିଣ୍ଡା,୩ା୧୨(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡର ୯ଗୋଟି ଲ୍ୟାମ୍ପ୍ସ ଓ ଗୋଟିଏ ମହିଳା ଏସ୍‌ଏଚ୍‌ଜି ଦ୍ୱାରା ବୁଧବାର ଖରିଫ ଧାନକିଣା ଆରମ୍ଭ ହୋଇଛି। କୁଚିଣ୍ଡା ସହକାରୀ ନିବନ୍ଧକଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ଥିବା କୁଚିଣ୍ଡା ଓ ଜମନକିରା ବ୍ଲକର ୭ଗୋଟି ମଣ୍ଡି ଆର୍‌ଏମ୍‌ସି ସମ୍ପାଦକ ମନୋଜ ମହନ୍ତ ଏବଂ ବାମରା ବ୍ଲକର ୩ଗୋଟି ମଣ୍ଡି ଆର୍‌ଏମ୍‌ସି ମାର୍କେଟିଂ ସୁପରଭାଇଜର ଅନିଲ ପୁରୋହିତଙ୍କ ତତ୍ତ୍ୱାବଧାନରେ ଧାନକିଣା ଆରମ୍ଭ ହୋଇଛି। ମାତ୍ର ବାମରା ବ୍ଲକର ବାଉଁଶଲଗା ଓ କିନାବଗା ମଣ୍ଡି ଏବଂ କୁଚିଣ୍ଡା ବ୍ଲକର ବାଉରିଗୋଡା ମଣ୍ଡିରେ ମିଲର୍ସ କିମ୍ବା ନିଯୁକ୍ତ ଏଜେଣ୍ଟ ଆସି ନ ଥିବାରୁ ଖୋଲା ଆକାଶ ତଳେ ୧୦ଜଣ ଚାଷୀଙ୍କ ମୋଟ ୧୨ଶହ୨୮ପ୍ୟାକେଟ ଧାନ ପକାଇ ରଖାଯାଇଛି।
ବୁଧବାର ଉପଖଣ୍ଡର ୩ଗୋଟି ବ୍ଲକର ୮ ଲ୍ୟାମ୍ପ୍ସରେ ୯୦ଜଣ ଚାଷୀଙ୍କଠାରୁ ୧୦ ହଜାର ୬୩୯ ପ୍ୟାକେଟ ଧାନ କିଣାଯାଇଥିବା ସରକାରୀ ସୂତ୍ରରୁ ଜଣାଯାଇଛି। ଉପଖଣ୍ଡର ୩ ବ୍ଲକରେ ୫୪ଗୋଟି ଧାନକ୍ରୟ ମଣ୍ଡି ହୋଇଥିବା ବେଳେ କୁଚିଣ୍ଡା ବ୍ଲକରେ ୩, ବାମରା ଓ ଜମନକିରା ବ୍ଲକରେ ୨ଟି ଲେଖାଏ ଏଭଳି ମୋଟ ୭ଟି ମହିଳା ଏସ୍‌ଏଚ୍‌ଜିକୁ ବାଦଦେଲେ ବାକିସବୁ ମଣ୍ଡିରେ ଲ୍ୟାମ୍ପ୍ସ ଧାନ କିଣୁଛି। ବୁଧବାର ମଣ୍ଡିରେ କିଣାଯାଇଥିବା ଚାଷୀଙ୍କ ଧାନ ବିନା ଟେଷ୍ଟିଂରେ ମିଲକୁ ଯାଇଛି। ମିଲରେ କଟ୍‌ନୀଛଟ୍‌ନୀ ନିର୍ଦ୍ଧାରଣ ହେବ ବୋଲି ଉପସ୍ଥିତ ଥିବା ମିଲର୍ସ ଏଜେଣ୍ଟମାନେ କହୁଥିବାରୁ ଚାଷୀମାନେ ପ୍ରତିକ୍ରିୟାଶୀଳ ହୋଇଥିବା ଦେଖିବାକୁ ମିଳିଛି। ସେହିପରି ୩ଟି ମଣ୍ଡିରେ ଚାଷୀଙ୍କ ଧାନ କିଣା ହୋଇ ନ ପାରି ଖୋଲା ଆକାଶ ତଳେ ପକାଇ ରଖିଥିବାରୁ ଚାଷୀ ଅସନ୍ତୋଷକୁ ନେଇ ପ୍ରଶାସନର ମୁଣ୍ଡବ୍ୟଥା ଆରମ୍ଭ ହୋଇଛି। ଆରମ୍ଭରୁ ଯଦି ଏଭଳି ଅବ୍ୟବସ୍ଥା ହୁଏ ତେବେ ଆଗାମୀ ଦିନରେ କିଭଳି ମଣ୍ଡି ପରିଚାଳନା ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ୩ ମଣ୍ଡିରେ ମିଲର୍ସ ନ ଆସିବା ସମ୍ପର୍କରେ କୁଚିଣ୍ଡା ସହକାରୀ ନିବନ୍ଧକ ଭବାନୀକାନ୍ତ ନାଏକଙ୍କୁ ପଚାରିବାରେ ଏସବୁ ମଣ୍ଡିରେ ମିଲର୍ସ ଅଥରାଇଜେସନ ହୋଇ ନ ଥିବା କାରଣରୁ ଧାନ କିଣାଯାଇ ନ ଥିବା କହି
ଜିଲା ପ୍ରଶାସନ ଏହାକୁ ଗୁରୁତର ସହ ନେଇ ସମାଧାନ ପାଇଁ ମିଲର୍ସଙ୍କ ସହ ଆଲୋଚନା କରିଥିବା କହିଛନ୍ତି।