Categories: ଗଞ୍ଜାମ

କେଏସୟୁବି, ସାବିତ୍ରୀ ମହାବିଦ୍ୟାଳୟରେ ୧୦ ଅଧ୍ୟାପକ ନିଯୁକ୍ତ

ଭଞ୍ଜନଗର,୧୯।୫(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ୬୩୮ଜଣ ନୂତନ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ସେଥିମଧ୍ୟରେ ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ୪ ଜଣ ଏବଂ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ(କେଏସ୍‌ୟୁବି) ମହାବିଦ୍ୟାଳୟରେ ୬ ଜଣ ଅଧ୍ୟାପକ ନିଯୁକ୍ତି ପାଇଛନ୍ତି। ସାବିତ୍ରୀ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗରେ ଜଣେ, ଅର୍ଥନୀତିରେ ଜଣେ, ଗଣିତରେ ଜଣେ ଏବଂ ପଦାର୍ଥ ବିଜ୍ଞାନ ବିଭାଗରେ ଜଣେ ଅଧ୍ୟାପକ ନିଯୁକ୍ତି ପାଇଛନ୍ତି। ସେହିପରି କେଏସ୍‌ୟୁବି କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗରେ ଜଣେ, ରସାୟନ ବିଜ୍ଞାନରେ ଜଣେ, ପଦାର୍ଥ ବିଜ୍ଞାନରେ ୨ ଜଣ, ବାଣିଜ୍ୟରେ ଜଣେ ଏବଂ ଗଣିତରେ ଜଣେ ଅଧ୍ୟାପକ ନିଯୁକ୍ତି ପାଇଛନ୍ତି । କଲେଜଗୁଡିକୁ ବୁଧବାର ଏ ସମ୍ପର୍କିତ ଚିଠି ଆସିଛି। ଏଥିସହ ଆସନ୍ତା ୩୦ ତାରିଖ ସୁଦ୍ଧା ରାଜନୀତି ବିଜ୍ଞାନ ଏବଂ ଇଂଲିଶ ବିଭାଗରେ ଖାଲିଥିବା ପଦବୀଗୁଡିକ ପୂରଣ ପାଇଁ ପ୍ରକ୍ରିୟା ଚାଲିଛି। ଅପରପକ୍ଷରେ ସ୍ଥାନୀୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଏନସିଟିଇର ଅନୁମୋଦନ ନ ଥିବା ଯୋଗୁ ଗତ ଦୁଇବର୍ଷ ହେବ ନାମଲେଖା ବନ୍ଦ ଥିଲା। ଚଳିତବର୍ଷ ଏନ୍‌ସିଟିଇର କିଭଳି ଅନୁମୋଦନ ମିଳିବ ସେଥିପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଛି। କମ ଦିନ ମଧ୍ୟରେ ରାଜ୍ୟରେ ବିଭିନ୍ନ ବିଏଡ କଲେଜରେ ଖାଲିଥିବା ୩୮୫ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପୂରଣ ହେବ। ଏଥିପାଇଁ ନିଯୁକ୍ତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗଣିତ ଓ ଭୂଗୋଳ ପାଇଁ ଚୟନ ପ୍ରକ୍ରିୟା ସରିଛି। ଭଞ୍ଜନଗର ବିଏଡ କଲେଜରେ ଖାଲିଥିବା ୧୩ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ମଧ୍ୟ କମ ଦିନରେ ପୂରଣ ହେବା ଆଶା କରାଯାଉଛି। ବିଏଡ୍‌ କଲେଜର ବାଳିକା ଏବଂ ବାଳକ ଛାତ୍ରାବାସ, ପାଚେରୀ, ନୂତନ କ୍ୱାର୍ଟର୍ସ ସମେତ ଅନ୍ୟାନ୍ୟ କାମ ପାଇଁ ୩ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହାର କାମ ଆରମ୍ଭ ପାଇଁ ପ୍ରକ୍ରିୟା ଚାଲିଛି। ବିଏଡ୍‌ କଲେଜ ଅଧ୍ୟକ୍ଷା ଡ. ସରୋଜିନୀ ବରାଇଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଚଳିତ ଶିକ୍ଷା ବର୍ଷରେ ନୂତନ ଛାତ୍ରୀଛାତ୍ର କିଭଳି ନାମ ଲେଖାଇବେ ସେ ନେଇ ସରକାର ଆବଶ୍ୟକ ପଦକ୍ଷେପ ନେଉଥିବା କହିଛନ୍ତି।