ପ୍ରଫେସର କୃତ୍ତିବାସ ବିଶ୍ୱାଳଙ୍କୁ ‘ଭଞ୍ଜଶ୍ରୀ ଶ୍ରୀଧର ଶତପଥୀ ସ୍ମୃତି ସମ୍ମାନ’

ଭଞ୍ଜନଗର,୧୫।୯ (ବାବୁଲା ପ୍ରଧାନ): ଘୁମୁସର ମାଟିର ବିଶିଷ୍ଟ ଜ୍ୟୋତିଷ, ଭଞ୍ଜ ସାହିତ୍ୟ ଗବେଷକ ତଥା ପ୍ରତିଷ୍ଠିତ ସାହିତ୍ୟିକ ଭଞ୍ଜଶ୍ରୀ ପଣ୍ଡିତ ଶ୍ରୀଧର ଶତପଥୀଙ୍କ ୧୧୩ତମ ଜୟନ୍ତୀ ମଙ୍ଗଳବାର ଭଞ୍ଜନଗରଠାରେ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିକାଶ ପରିଷଦ ଏବଂ ଭଞ୍ଜଶ୍ରୀ ପଣ୍ଡିତ ଶ୍ରୀଧର ଶତପଥୀ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏହି ଜୟନ୍ତୀ ଉତ୍ସବ ଆୟୋଜିତ ହୋଇଥିଲା।

ଏହି ସମାରୋହରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର କୃତ୍ତିବାସ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଡକ୍ଟର ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ ଜେନା ଏବଂ ସଂସ୍କୃତି ଗବେଷକ ତଥା ପଣ୍ଡିତ ଶ୍ରୀଧର ଶତପଥୀଙ୍କ ପୁତ୍ର ସୁରେନ୍ଦ୍ର କୁମାର ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଏହି ଅବସରରେ ଫାଉଣ୍ଡେସନ ପକ୍ଷରୁ ପ୍ରଫେସର କୃତ୍ତିବାସ ବିଶ୍ୱାଳଙ୍କୁ ‘ଭଞ୍ଜଶ୍ରୀ ଶ୍ରୀଧର ଶତପଥୀ ସ୍ମୃତି ସମ୍ମାନ-୨୦୨୬’ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସଭାପତି ଜଗବନ୍ଧୁ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାକୁ ଉପସଭାପତି ସନ୍ତୋଷ ଜେନା ସଂଯୋଜନା କରିଥିଲେ ଏବଂ ସମ୍ପାଦକ ତ୍ରିନାଥ ବେହେରା ସ୍ୱାଗତ ଭାଷଣ ଦେଇଥିଲେ। ଏହାସହ ଘୁମୁସର ଅଞ୍ଚଳର ବିଶିଷ୍ଟ ସାହିତ୍ୟିକ, କବି ଓ ଶିକ୍ଷାବିତ୍‌ମାନଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଧ୍ୟାପକ ଅଶୋକ ସ୍ୱାଇଁ, ଅଧ୍ୟାପକ ଦୁର୍ଗାମାଧବ ଦାସ ଏବଂ କଣ୍ଠଶିଳ୍ପୀ ରୀନା ସେଠୀ ଭଞ୍ଜ ସଙ୍ଗୀତ ପରିବେଷଣ କରିଥିଲେ। ପରେ ଅନୁଷ୍ଠିତ ଆଲୋଚନାଚକ୍ରରେ ବିଶିଷ୍ଟ ବକ୍ତାମାନେ ପଣ୍ଡିତ ଶ୍ରୀଧର ଶତପଥୀଙ୍କ ଭଞ୍ଜ ସାହିତ୍ୟ, ଜ୍ୟୋତିଷ ଓ ଗବେଷଣା କ୍ଷେତ୍ରରେ ଅତୁଳନୀୟ ଅବଦାନକୁ ସ୍ମରଣ କରିଥିଲେ। ସୂଚନାଯୋଗ୍ୟ, ସାହିତ୍ୟ ସାଧନା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଆର୍ତ୍ତତ୍ରାଣ ପୁରସ୍କାର ଭଳି ଅନେକ ମର୍ଯ୍ୟାଦାପୂର୍ଣ୍ଣ ସମ୍ମାନରେ ସମ୍ମାନିତ ହୋଇଥିଲେ। ଶେଷରେ ଉପସଭାନେତ୍ରୀ ପ୍ରଭାତି ମଞ୍ଜରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Dharitri – Odisha’s No.1 Odia Daily

Share