କିମ୍ବଦନ୍ତୀରେ କୃଷ୍ଣଙ୍କ ଭଉଣୀ

ମହାରାଷ୍ଟ୍ରର ଏଲୋରାରେ ଥିବା ୨୭ଟି ପୁରାତନ ଗୁମ୍ଫା ମଧ୍ୟରୁ ଗୋଟିକରେ ଏକ ଦେବୀଙ୍କ ମୂର୍ତ୍ତି ଅଛି। ଏହାର ବାମରେ ବିଷ୍ଣୁ ଓ ଡାହାଣରେ ବଳରାମ ଅଛନ୍ତି ବୋଲି ଚିହ୍ନଟ କରାଯାଇଛି। ସେହି ଦେବୀଙ୍କ ନାମ ଏକନମ୍‌ସା। ସେ ହେଉଛନ୍ତି ପରମ ଦେବୀ ତଥା କୃଷ୍ଣଙ୍କ ଭଉଣୀ। କିନ୍ତୁ ତାଙ୍କ ବାମରେ କୃଷ୍ଣ ନାହାନ୍ତି, ଅଛନ୍ତି ବିଷ୍ଣୁ ଏବଂ ସେ ତାଙ୍କ ୪ ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧରିଛନ୍ତି। ଏହା ଦୁଇଟି ବିଷୟକୁ ସୂଚିତ କରେ। ପ୍ରଥମରେ ଗୋପାଳକ କୃଷ୍ଣଙ୍କ କାହାଣୀକୁ ବୈଦିକ ଦେବତା ବିଷ୍ଣୁଙ୍କ ସହ ଜଡ଼ିତ କରାଯାଇଛି। ଦ୍ୱିତୀୟରେ ମୂର୍ତ୍ତି ଓ ମନ୍ଦିର ଆଧାରିତ ହିନ୍ଦୁଧର୍ମର ଉତ୍‌ଥାନରେ ଦେବତାଙ୍କୁ ଚତୁର୍ବାହୁ ଭାବେ ଉପସ୍ଥାପିତ କରାଯାଇଛି। ଏହା ପାଖାପାଖି ୫ମ ଶତାବ୍ଦୀରେ ଗୁପ୍ତ ରାଜବଂଶ ଶାସନରେ ଘଟିଛି।
ବହୁ ପୂର୍ବରୁ ଯେତେବେଳେ କୌଣସି ଧର୍ମୀୟ ଗୋଷ୍ଠୀ ନ ଥିଲା ସେତେବେଳେ ଲୋକେ ହଳୀ ନାମକ ଦେବତାଙ୍କୁ ପୂଜା କରୁଥିଲେ। ସେ ହଳ କରୁଥିବାରୁ ତାଙ୍କ ନାମକରଣ ଏଭଳି କରାଯାଇଥିଲା। ଆଉ ଏକ ଦେବତାଙ୍କୁ ବି ପୂଜା କରାଯାଉଥିଲା, ଯାହାଙ୍କୁ କୁହାଯାଉଥିଲା ଚକ୍ରୀ। ସେ ହାତରେ ବଳଦ ଓ ଘୋଡ଼ା ଦ୍ୱାରା ଟଣାଯାଉଥିବା ଗାଡ଼ିର ଚକ ଧରିଥିଲେ। ମୁଖ୍ୟତଃ ଅଧିକାଂଶ ଲୋକଙ୍କର ଏହି ଦୁଇ ବୃତ୍ତି ରହିଛି ଏବଂ ଉଭୟ ପାଇଁ ଦରକାର ପୃଥିବୀ ବା ଦେବୀ ଏକନମ୍‌ସା। ଏଣୁ କୃଷି ଓ ପଶୁପାଳନ ଦେବତାଙ୍କ ବିଚାର ପୃଥିବୀଦେବୀଙ୍କ ସହ ଜଡ଼ିତ। ଚକ୍ରଧାରୀ ଏବଂ ହଳ କରୁଥିବା ଦେବତାଙ୍କ ମୂର୍ତ୍ତି ଆମେ ଗ୍ରୀକ୍‌ ମୁଦ୍ରାରେ ବି ଦେଖିବାକୁ ପାଉ। ଏସବୁ ୨,୧୦୦ ବର୍ଷର ପୁରୁଣା।
ଅଧିକାଂଶ ହିନ୍ଦୁ ପୁରାଣରେ କୁହାଯାଇଛି, ମଥୁରା ରାଜା କଂସକୁ ହୋଇଥିବା ଦିବ୍ୟବଣୀ କହେ ଯେ, ତାଙ୍କ ଭଉଣୀଙ୍କ ୮ମ ପୁତ୍ର ତାଙ୍କୁ ମାରିବ। ଗ୍ରୀକ୍‌ ପୁରାଣରେ ବି ସମାନ ପ୍ରକାର କଥା ଶୁଣାଯାଏ। ସେଥିରେ ଜଣେ ଅତ୍ୟାଚାରୀକୁ ଦୈବୀବାଣୀ ହୋଇଛି ଯେ, ତାଙ୍କୁ ଯିଏ ବଧ କରିବ ସେ ତାଙ୍କ ପରିବାରରେ ହିଁ ଜନ୍ମ ନେବ। କୃଷ୍ଣଙ୍କ କାହାଣୀରେ ସପ୍ତମ ସନ୍ତାନଙ୍କୁ ଅନ୍ୟ ଜଣଙ୍କ ଗର୍ଭରେ ପ୍ରତିସ୍ଥାପିତ କରାଯିବା ଯୋଗୁ ସେ ବଞ୍ଚିଯାଇଛନ୍ତି। ଅଷ୍ଟମ ସନ୍ତାନଙ୍କୁ ନିଆଯାଇ ତା’ବଦଳରେ ଜଣେ ଗୋପାଳକଙ୍କ କନ୍ୟାକୁ ରଖାଯାଇଛି। ଫଳରେ କଂସ ଏହି କନ୍ୟାକୁ ମାରିବାକୁ ଚେଷ୍ଟା କରନ୍ତେ ସେ ଦେବୀ ପାଲଟିଯାଇଛନ୍ତି। ବଞ୍ଚିଯାଇଥିବା ଏହି ୩ ଜଣ ସନ୍ତାନ ବଳରାମ, କୃଷ୍ଣ ଓ ସୁଭଦ୍ରା ହୋଇଛନ୍ତି। କୃଷ୍ଣ ଓ ବଳରାମ କୁସ୍ତିରେ କଂସକୁ ବଧ କରିଛନ୍ତି।
ବୌଦ୍ଧଧର୍ମର ଘାଟ ଜାତକରେ ସମାନ ପ୍ରକାର କାହାଣୀକୁ ସାମାନ୍ୟ ଭିନ୍ନ ଭାବେ ବର୍ଣ୍ଣନା କରାଯାଇଛି। କଂସ ତାଙ୍କ ଭଉଣୀଙ୍କୁ ଏକ ଟାଓ୍ବାର ବା ଉଚ୍ଚ ମିନାର ଉପରେ ଲୁଚାଇ ରଖିଛନ୍ତି। କିନ୍ତୁ ସେହି ଭଉଣୀଙ୍କର ସାଗର ନାମକ ଜଣେ ରାଜକୁମାରଙ୍କ ସହ ଗୁପ୍ତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଛି। ଏହା ଜଣାପଡ଼ିବା ପରେ କଂସ କନ୍ୟା ସନ୍ତାନଙ୍କୁ ବଞ୍ଚାଇବାକୁ ରାଜି ହୋଇଛି, କିନ୍ତୁ ପୁତ୍ର ସନ୍ତାନଙ୍କୁ ନୁହେଁ। ଗୋଟିଏ ଝିଅ ଜନ୍ମ ହୋଇଛି ଓ ସେ ବଞ୍ଚିଯାଇଛି। ପରେ କଂସର ଭଉଣୀ ୧୦ଟି ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। କିନ୍ତୁ ସେମାନଙ୍କୁ ଅନ୍ୟତ୍ର ନିଆଯାଇ ସେମାନଙ୍କ ସ୍ଥାନରେ ତାଙ୍କ ଦାସୀଙ୍କ ଗର୍ଭରୁ ମୃତ କନ୍ୟାସନ୍ତାନଙ୍କୁ ରଖାଯାଇଛି, ଯିଏକି ସମାନ ସମୟରେ ସନ୍ତାନ ଜନ୍ମ ଦେଇଛନ୍ତି। ଏହି ୧୦ ଜଣ ରାଜକୁମାର ଦାସୀଙ୍କ ଘରେ ବଢ଼ିଛନ୍ତି ଓ ଯୋଦ୍ଧା ପାଲଟି କଂସଙ୍କୁ ବଧ କରିଛନ୍ତି।
ଜୈନ କାହାଣୀରେ, କଂସକୁ ସପ୍ତମ ସନ୍ତାନ ମାରିବ ବୋଲି କୁହାଯାଇଛି, ଅଷ୍ଟମ ସନ୍ତାନ ନୁହେଁ। ୬ଟି ପିଲାଙ୍କୁ ଅନ୍ୟତ୍ର ନିଆଯାଇ ସେମାନଙ୍କ ସ୍ଥାନରେ ଗର୍ଭରୁ ମୃତ ଝିଅମାନଙ୍କୁ ରଖାଯାଇଛି। ୭ମ ସନ୍ତାନ ସ୍ଥାନରେ ନାକ କଟାଯାଇଥିବା ଜଣେ ଜୀବିତ ଝିଅକୁ ରଖାଯାଇଛି, ଯାହାଫଳରେ କଂସ ପ୍ରତି ବିପଦ ହେବାକୁ ଥିବା ଜଣେ ଶକ୍ତିଶାଳୀ ପୁରୁଷଙ୍କୁ ବାହା ହୋଇପାରିବ ନାହିଁ। ତେବେ ବଞ୍ଚିଯାଇଥିବା ଦେବକୀଙ୍କ ଗର୍ଭରୁ ଜନ୍ମିତ ୬ ପୁତ୍ର ସନ୍ତାନ ପରବର୍ତ୍ତୀ ଜୀବନରେ ଜୈନ ସାଧୁ ହୋଇଥିବା ପଢ଼ିବାକୁ ପାଉ। କଂସକୁ ୭ମ ସନ୍ତାନ କୃଷ୍ଣ ବଧ କରିଛନ୍ତି। ଦେବକୀ ଆଉ ଗୋଟିଏ ସନ୍ତାନ ଚାହିଁଛନ୍ତି ଓ ତାଙ୍କର ୮ମ ସନ୍ତାନ ହୋଇଛି ଏବଂ ସେ ମଧ୍ୟ ଜୈନ ସନ୍ନ୍ୟାସୀ ହୋଇଯାଇଛନ୍ତି। ଜୈନ କିମ୍ବଦନ୍ତୀରେ ବଳରାମ ଆଉ ଜଣେ ସ୍ତ୍ରୀ ରୋହିଣୀଙ୍କଠାରୁ ଜନ୍ମ ହୋଇଛନ୍ତି ଏବଂ ସେ ଅହିଂସା ପଥ ବାଛି ନେଇଛନ୍ତି। ଏହା ବ୍ୟତୀତ ଜୈନ କିମ୍ବଦନ୍ତୀରେ ଶୁଣିବାକୁ ମିଳେ ଯେ, ନାକ କଟିଯାଇଥିବା କୃଷ୍ଣଙ୍କ ଭଉଣୀ ଜଣେ ଜୈନ ସନ୍ନ୍ୟାସିନୀ ହୋଇଯାଇଛନ୍ତି। ଉଲ୍ଲେଖନୀୟ ଯେ, ଓଡ଼ିଶାର ପୁରୀରେ ଦେବୀ ସୁଭଦ୍ରାଙ୍କୁ ଚେପି ନାକୀ ବୋଲି ଉପହାସ ଛଳରେ କୁହାଯାଇଥାଏ, ଯାହା ଜୈନ ପୁରାଣ ସହ ସମ୍ପର୍କ ସ୍ପଷ୍ଟ କରେ। ଜୈନ ସନ୍ନ୍ୟାସିନୀ ଭାବେ ଜଙ୍ଗଲରେ ତପସ୍ୟା କରୁଥିବା ସମୟରେ ଆଦିବାସୀମାନେ ତାଙ୍କୁ ଜଣେ ଦେବୀ ଭାବି ଫଳମୂଳ ଦେଇ ଆଖି ବନ୍ଦ କରି ପୂଜା କରିବାବେଳେ ଦେବୀଙ୍କୁ ବାଘ ଆକ୍ରମଣ କରିଛି। ଦେବୀ ବାଘକୁ ରୋକିନାହାନ୍ତି କି ସାହାଯ୍ୟ ଲାଗି କହିନାହାନ୍ତି। ଆଦିବାସୀମାନେ ଆଖି ଖୋଲିବା ପରେ ସେ ବସିଥିବା ସ୍ଥାନରେ ରକ୍ତ ଓ ଅନ୍ତ ଦେଖିଛନ୍ତି। ସେମାନେ ଦେଇଥିବା ଫଳମୂଳରେ ଦେବୀ ଅସନ୍ତୁଷ୍ଟ ହୋଇ ସେହି ଜାଗା ଛାଡ଼ି ଚାଲିଯାଇଛନ୍ତି ଏବଂ ଏହି ରକ୍ତ ଓ ମାଂସ ଚାହାନ୍ତି ବୋଲି ସେମାନେ ନିଶ୍ଚିତ ହୋଇଛନ୍ତି। ଏଣୁ ଏହି ବିଶ୍ୱାସକୁ ଆଧାର କରି ସେତେବେଳେ ଆଦିବାସୀ ପରମ୍ପରାରେ ଦେବୀଙ୍କୁ ମଇଁଷି ବଳି ଦେବା ଆରମ୍ଭ ହୋଇଥିଲା। ଆର୍ଯ୍ୟାବର୍ତ୍ତର ଦକ୍ଷିଣ ଭାଗରେ ବିନ୍ଧ୍ୟ ପାହାଡ଼ ଉପରେ ବିରାଜିତା ବିନ୍ଧ୍ୟବାସିନୀଙ୍କୁ ପୁରାତନ ଆର୍ଯ୍ୟ ଯୁଗରେ ଏଭଳି ବଳି ଦିଆଯାଇଥିଲା।
ସମ୍ଭବତଃ, ବିନ୍ଧ୍ୟର ଉତ୍ତର ଭାଗରେ ୨,୦୦୦ରୁ ଅଧିକ ବର୍ଷ ପୂର୍ବେ ସୁଭଦ୍ରା ଏବଂ ତାଙ୍କ ଭାଇମାନଙ୍କ କାହାଣୀକୁ ହିନ୍ଦୁ, ବୌଦ୍ଧ ଏବଂ ଜୈନ କିମ୍ବଦନ୍ତୀରେ ସନ୍ନିବେସିତ କରାଯାଇଥିଲା। ସେଥିପାଇଁ ମୌର୍ଯ୍ୟ ରାଜବଂଶର ମୁଦ୍ରାରେ ଏବଂ ମଧ୍ୟପ୍ରଦେଶର ଗୁମ୍ଫାଗୁଡ଼ିକର ପଥର ଖୋଦେଇରେ ଏସବୁ ଦେଖିବାକୁ ମିଳେ। ଏଗୁଡ଼ିକ ବି ବିନ୍ଧ୍ୟର ଉତ୍ତର ଭାଗରେ ଅବସ୍ଥିତ। ଜଣେ ଦେବୀ ଓ ୨ ଜଣ ଦେବତାଙ୍କୁ ନେଇ ହିନ୍ଦୁଧର୍ମର ବିଚାର ସମ୍ଭବତଃ ଗୁପ୍ତ ରାଜବଂଶ (୧,୭୦୦ ବର୍ଷ ପୂର୍ବେ) ସମୟରେ ପ୍ରଥମେ ରାଜକୀୟ ସ୍ବୀକୃତି ଲାଭ କରିଥିଲା। ଏହି କାହାଣୀ କ୍ରମଶଃ ବିନ୍ଧ୍ୟ ପାହାଡ଼ ଅଞ୍ଚଳ ଦେଇ ୧,୦୦୦ ବର୍ଷ ପୂର୍ବେ ଡେକାନ ଅଞ୍ଚଳକୁ ଆସିଥିଲା ଓ ଏଲୋରା ଗୁମ୍ଫାଗୁଡ଼ିକରେ ମୂର୍ତ୍ତିଗୁଡ଼ିକ ଖୋଦିତ ହୋଇଥିଲା। ସେହି ସମୟରେ ଦେବୀଙ୍କୁ ଶକ୍ତି ସହ ଜଡ଼ିତ କରାଯାଇଥିଲା। ଦେବୀଙ୍କ ସହ ଥିବା ଦୁଇ ଦେବତା ତାଙ୍କ ଭାଇ କୃଷ୍ଣ ଓ ବଳରାମ ନ ଥିଲେ। ସେମାନେ ଥିଲେ ଶିବ ଓ ବିଷ୍ଣୁ। ଏହିପରି ଭାବେ ସେହି ଦେବୀଙ୍କୁ ନୂଆ ହିନ୍ଦୁଧର୍ମରେ ନୂଆ ରୂପ ଦିଆଯାଇଥିଲା। ସମୟକ୍ରମେ ଅଧିକାଂଶ ହିନ୍ଦୁ ସମାଜ ଏକନମ୍‌ସାଙ୍କୁ ଭୁଲିିଗଲେ, ଯାହାଙ୍କ ଦୁଇ ପାଖରେ ହଳୀ ଓ ଚକ୍ରୀ ଥିଲେ। ଏହା ବଦଳରେ ୩ ଦେବତା ବ୍ରହ୍ମା , ବିଷ୍ଣୁ ଓ ଶିବଙ୍କୁ ଗୁରୁତ୍ୱ ଦିଆଗଲା।
ଦେବୀଙ୍କ ଏହି ମୂର୍ତ୍ତିର ଦୁଇ ପାଖରେ ଥିବା ୨ ଦେବତାଙ୍କ ମୂର୍ତ୍ତି ଦେଖିବାକୁ ମିଳେ ପୁରୀ ଜଗନ୍ନାଥ ମନ୍ଦିରରେ। କିନ୍ତୁ ଏବକାର ମୂର୍ତ୍ତିର ରୂପ ପାଖାପାଖି ଦ୍ୱାଦଶ ଶତାବ୍ଦୀର। ଏହା ଅନୁମାନ କରାଯାଏ ଯେ, ଏହି ରୂପ ସ୍ଥାନୀୟ ଆଦିବାସୀଙ୍କର ପ୍ରିୟ ଥିଲା ଏବଂ ତାହାକୁ ଓଡ଼ିଶାର ବୈଷ୍ଣବ ମନ୍ଦିରରେ ସଂଯୁକ୍ତ କରାଯାଇଥିଲା। ଏହି ୩ ଦିଅଁ କାଠର ମୂର୍ତ୍ତି। ମଝି ମୂର୍ତ୍ତି ହଳଦିଆ, ବାମରେ କଳା ଓ ଡାହାଣରେ ଧଳା ଦିଅଁ ରହିଛନ୍ତି, ଯେଉଁମାନେ ସୁଭଦ୍ରା, କୃଷ୍ଣ ଓ ବଳରାମ ଭାବେ ଜଣାଶୁଣା। ତେବେ କେତେଜଣଙ୍କ ମତରେ, ଏହି ୩ ଦିଅଁ ହିନ୍ଦୁଧର୍ମର ୩ ଧାରା ଯଥା ଶୈବ (ବଳରାମ), ଶାକ୍ତ (ସୁଭଦ୍ରା) ଏବଂ ବୈଷ୍ଣବ (ଜଗନ୍ନାଥ)କୁ ବୁଝାଏ। ଅନ୍ୟପକ୍ଷରେ ଆଉ କେତେକେ କହନ୍ତି, ଶକ୍ତିଙ୍କ ଦୁଇପାଖରେ କଳା ଭୈରବ ଓ ଧଳା ଭୈରବ ବିଦ୍ୟମାନ।
-devduttofficial@gmail.com

 


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri