ନୂଆଦିଲ୍ଲୀ,୬।୭: ଅଯୋଧ୍ୟା ରାମମନ୍ଦିର ଦାନ ଅର୍ଥ ଆତ୍ମସାତ ଅଭିଯୋଗ ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଓ ସଦସ୍ୟ ଅନିଲ ମିଶ୍ରା ଇସ୍ତଫା ଦେଇଥିବାବେଳେ ସୋମବାର ଟ୍ରଷ୍ଟ ଏହାକୁ ଗ୍ରହଣ କରିଛି। କ୍ରିଷ୍ଣ ମୋହନଙ୍କୁ ମନ୍ଦିର ଟ୍ରଷ୍ଟର ଅନ୍ତରୀଣ ସାଧାରଣ ସମ୍ପାଦକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ସୋମବାର ଅପରାହ୍ନରେ ୩ ଘଣ୍ଟା ଧରି ଟ୍ରଷ୍ଟ ବୈଠକ ବସିବା ପରେ କୋଷାଧ୍ୟକ୍ଷ ଗୋବିନ୍ଦ ଗିରି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ରାମ ଜନ୍ମଭୂମି କମ୍ପ୍ଲେକ୍ସ ପରିସରରେ ଥିବା ଗେଷ୍ଟ ହାଉସ୍ରେ ଅନୁଷ୍ଠିତ ବୈଠକରେ ଟ୍ରଷ୍ଟ ଅଧ୍ୟକ୍ଷ ନୃତ୍ୟଗୋପାଳ ଦାସଙ୍କ ସମେତ ୯ ଜଣ ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ୭ ଜଣ ଉପସ୍ଥିତ ଥିଲେ। ଚମ୍ପତ ଓ ଅନିଲ ବୈଠକରେ ଯୋଗ ଦେଇ ନ ଥିଲେ।
ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ ସାଧାରଣ ସମ୍ପାଦକ ବଜରଙ୍ଗ ବଗ୍ରା ଟ୍ରଷ୍ଟର ପରବର୍ତ୍ତୀ ସାଧାରଣ ସମ୍ପାଦକ ହୋଇପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ବଗ୍ରା ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏବଂ ନାଲ୍କୋର ପୂର୍ବତନ ମୁଖ୍ୟ। ତାଙ୍କର ପ୍ରଶାସନ ଏବ ଆର୍ଥତ୍କ ବ୍ୟାପାରରେ ଗଭୀର ଅଭିଜ୍ଞତା ରହିଛି। ନୂଆ ସଧାରଣ ସମ୍ପାଦକ ନିଯୁକ୍ତି ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଘୋଷଣା ହୋଇନାହିଁ। ଆଗାମୀ ୧୯-୨୦ରେ ଦିଲ୍ଲୀରେ ବିଶ୍ୱହିନ୍ଦୁ ପରିଷଦର ଦ୍ୱିବାର୍ଷିକ ଜାତୀୟ କାର୍ଯ୍ୟକାରିଣୀ ବୈଠକ ବସିବାକୁ ଥିବାବେଳେ ସେଠାରେ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ନିଷ୍ପତ୍ତି ନିଆଯିବ।