ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ

ପୁରୀ ଅଫିସ,୧୮।୮: ଭାଦ୍ରବ କୃଷ୍ଣ ତ୍ରୟୋଦଶୀ ତିଥିରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହୋଇଛି। ମଧ୍ୟାହ୍ନ ଧୂପ ନୀତି ପରେ ରତ୍ନସିଂହାସନରେ ଏହି ବେଶ ଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀକୃଷ୍ଣ ରୂପରେ, ବଡଠାକୁର ବଳରାମ ଓ ଦେବୀ ସୁଭଦ୍ରା ଭଗିନୀ ରୂପରେ ଶୋଭା ପାଇଥାନ୍ତି। ଶ୍ରୀଜଗନ୍ନାଥ ଦକ୍ଷିଣ ଭୁଜରେ ବଂଶୀ ଓ ବାମ ଭୁଜରେ ସୋଲ ନିର୍ମିତ ପଦ୍ମ, ବଡଠାକୁର ଡାହାଣ ଭୁଜରେ ସିଙ୍ଗା ଏବଂ ବାମ ଭୁଜରେ ସୋଲ ପଦ୍ମ ଧାରଣ କରିଥାନ୍ତି। ଶ୍ରୀଜଗନ୍ନାଥ ଓ ବଳରାମ ପଦକୁ ଛନ୍ଦି ଦଣ୍ଡାୟମାନ ଭଙ୍ଗୀରେ ରହିଥାନ୍ତି। ଦେବୀ ସୁଭଦ୍ରା ଏକ ଛୋଟ ଖଟୁଳି ଉପରେ ପଦ୍ମାସନରେ ଉପବେଶନ କଲାଭଳି ରହିଥାନ୍ତି। ବର୍ଷକ ମଧ୍ୟରେ ଏହି ଗୋଟିଏ ଦିନ ଦେବୀ ସୁଭଦ୍ରା ଚାରି ଭୁଜ ଧାରଣ କରନ୍ତି। ତଳ ଦୁଇ ଭୁଜରେ ଅଭୟ ଓ ବରଦ ମୁଦ୍ରା ଏବଂ ଉପର ଦୁଇ ଭୁଜରେ ପାଶ ଓ ଅଙ୍କୁଶ ଧାରଣ କରିଥାନ୍ତି। ଏହି ବେଶରେ ଶ୍ରୀଜଗନ୍ନାଥ ଓ ବଡଠାକୁର ଚୁଳ ଧାରଣ କରନ୍ତି। ଏଥିରେ ସୋଲ ନିର୍ମିତ କଦମ୍ବଫୁଲ, ମଲ୍ଲି କଢି ପ୍ରଭୃତି ଖଞ୍ଜାଯାଇଥାଏ। ତିନିଠାକୁର ସୋଲ ନିର୍ମିତ କିରୀଟ ପରିଧାନ କରିଥାନ୍ତି। ଶ୍ରୀବିଗ୍ରହଙ୍କ ସମ୍ମୁଖ ଭାଗରେ କାଠ ନିର୍ମିତ ଚାରୋଟି ଗାଈ ବାଛୁରୀ ସମେତ ନନ୍ଦ, ଉପନନ୍ଦ, ବସୁଦେବ, ଚତୁର୍ମୁଖ ବ୍ରହ୍ମା, ସହସ୍ରଚକ୍ଷୁ ଇନ୍ଦ୍ର, ନାରଦ, ଦେବକୀ, ଯଶୋଦା, ରୋହିଣୀ, ଗୋପୀ, ଗୋପାଳ ପ୍ରଭୃତି ରଖାଯାଇଥାଏ। ଏହି ବେଶ ଦେଖିଲେ ଗୋପୀ ଗୋପାଳଙ୍କ ସହିତ କୃଷ୍ଣ ବଳରାମ ବୃନ୍ଦାବନରେ ଲୀଳା କରୁଥିଲା ଭଳି ପ୍ରତୀୟମାନ ହୁଏ। ଏହି ବେଶରେ ମହାପ୍ରଭୁଙ୍କୁ ଖିରି ଓ ଅମାଲୁ ଭୋଗ ଅର୍ପଣ କରାଯାଏ।