‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ ଭାରତୀୟ କ୍ରିକେଟର କ୍ରିସ ଶ୍ରୀକାନ୍ତ ମଧ୍ୟ ବଡ଼ ପ୍ରଶଂସା କରିଛନ୍ତି। ଶ୍ରୀକାନ୍ତଙ୍କ ମତରେ, ବୈଭବ ପୁଣି ଥରେ କ୍ରିକେଟକୁ ରୋମାଞ୍ଚକର କରି ତୋଳୁଛନ୍ତି।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)ର ସଚିବ ଦେବଜିତ ସାଇକିଆ ମଧ୍ୟ ବୈଭବଙ୍କ ଉପରେ ନଜର ରଖାଯିବ ବୋଲି କହିସାରିଛନ୍ତି। ତାଙ୍କୁ ସଚିନ ତେନ୍ଦୁଲକରଙ୍କ ଭଳି ଜଣେ ମହାନ ଖେଳାଳି ଭାବେ ଗଢ଼ି ତୋଳିବାକୁ ପ୍ରୟାସ କରାଯିବ ବୋଲି ମଧ୍ୟ ସାଇକିଆ କହିଥିଲେ।

ବୈଭବଙ୍କ ପାଇଁ ୨୦୨୬ ବର୍ଷ ଅତ୍ୟନ୍ତ ଦମଦାର ରହିଛି। IPL ୨୦୨୬ରେ ସେ ୭୭୬ ରନ କରି ଅରେଞ୍ଜ କ୍ୟାପ ହାସଲ କରିଥିଲେ। ଏହାପରେ ଜିମ୍ବାୱେ ବିପକ୍ଷ ସିରିଜ୍ରେ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ। ଦଲୀପ ଟ୍ରଫି ସେମିଫାଇନାଲରେ ମଧ୍ୟ ତାଙ୍କ ବ୍ୟାଟରୁ ୯୨ ଓ ୪୦ ରନର ଦମଦାର ଇନିଂସ ଦେଖିବାକୁ ମିଳିଥିଲା।

ନିଜ ୟୁଟ୍ୟୁବ ଚ୍ୟାନେଲରେ କ୍ରିସ ଶ୍ରୀକାନ୍ତ କହିଛନ୍ତି ଯେ ବୈଭବ ଅତ୍ୟନ୍ତ ଚମତ୍କାର ଖେଳୁଛନ୍ତି। ତାଙ୍କୁ ଉତ୍ସାହିତ କରାଯିବା ଦରକାର ଏବଂ କେବେ ବି ନିରୁତ୍ସାହିତ କରିବା ଉଚିତ୍‌ ନୁହେଁ। ଠିକ ଭାବେ ତାଙ୍କୁ ଗଢ଼ାଗଲେ ବୈଭବ ଜଣେ ବଡ଼ ସୁପରଷ୍ଟାର ହୋଇପାରିବେ। ଏପରିକି ସେ ଟେଷ୍ଟ କ୍ରିକେଟକୁ ତାହାର ଗୌରବ ଫେରାଇ ଆଣିପାରିବେ ବୋଲି ଶ୍ରୀକାନ୍ତ କହିଛନ୍ତି।

ବୈଭବଙ୍କ ଲୋକପ୍ରିୟତା କେତେ ବଢ଼ିଛି, ତାହା ଶ୍ରୀକାନ୍ତଙ୍କ ଏକ କଥାରୁ ମଧ୍ୟ ଜଣାପଡ଼ୁଛି। ସେ କହିଛନ୍ତି, ବୈଭବଙ୍କ ପାଇଁ ଲୋକମାନେ ଦୁଲୀପ ଟ୍ରଫି ଦେଖୁଥିଲେ ଏବଂ ତାଙ୍କ ପତ୍ନୀ ମଧ୍ୟ କେବଳ ବୈଭବଙ୍କୁ ଦେଖିବା ପାଇଁ ମ୍ୟାଚ ଦେଖୁଥିଲେ।

ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲରେ ବୈଭବ ମାତ୍ର ୮ ରନ କରିଥିଲେ। ହେଲେ ସେମିଫାଇନାଲରେ ସେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ସେଣ୍ଟ୍ରାଲ ଜୋନ ବିପକ୍ଷରେ ପ୍ରଥମ ଇନିଂସ୍ରେ ୯୨ ରନର ଧମାକାଦାର ପାଳି ଖେଳିଥିଲେ। ଏହି ଇନିଂସ ସହ ସେ ଦୁଲୀପ ଟ୍ରଫି ଇତିହାସରେ ସବୁଠାରୁ କମ ବୟସରେ ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟର ହୋଇଥିଲେ। ସେତେବେଳେ ତାଙ୍କ ବୟସ ଥିଲା ୧୫ ବର୍ଷ ୧୫୭ ଦିନ।

 

Odisha’s No.1 Odia Daily

Share