Posted inଫୁରସତ

କୋଟପାଡ଼ ଶାଢ଼ି

ଓଡ଼ିଶାର ହସ୍ତତନ୍ତ ଶାଢ଼ି ମଧ୍ୟରେ କୋଟପାଡ଼ ଶାଢ଼ିର ରହିଛି ଏକ ସ୍ବତନ୍ତ୍ର ନାମ। ସମ୍ପୂର୍ଣ୍ଣ ଜୈବିକ ପ୍ରକ୍ରିୟାରେ ପ୍ରସ୍ତୁତ ଏହି ଶାଢ଼ି କେବଳ ଆମ ରାଜ୍ୟ ନୁହେଁ, ଦେଶ ତଥା ବିଦେଶରେ ଲୋକପ୍ରିୟ ହୋଇପାରିଛି …

ନାରୀକୁ ସୌନ୍ଦର୍ଯ୍ୟମୟୀ କରେ ତା’ର ପରିଧାନ, ବେଶ ପରିପାଟୀ, ଯାହା ମଧ୍ୟରେ ଶାଢ଼ିର ରହିଛି ସ୍ବତନ୍ତ୍ର ସ୍ଥାନ। ଶାଢ଼ି ବୋଧହୁଏ ଏମିତି ଏକ ପରିଧାନ ଯାହା ଯେକୌଣସି ନାରୀର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ମୁଖ୍ୟତଃ ଭାରତୀୟ ନାରୀମାନେ ଶାଢ଼ି ପିନ୍ଧୁଥିବାବେଳେ ଭାରତର ବିଭିନ୍ନ ରାଜ୍ୟର ଶାଢ଼ିର ସ୍ବାତନ୍ତ୍ର୍ୟ ଭିନ୍ନ ଭିନ୍ନ। ଏହିକ୍ରମରେ ଦେଖିଲେ ଭାରତୀୟ ଶାଢ଼ି ଭିତରେ ଓଡ଼ିଶା ଶାଢ଼ିର ସ୍ଥାନ ସବୁବେଳେ ସ୍ବତନ୍ତ୍ର ରହିଆସିଛି। ତେବେ ଓଡ଼ିଶାର ଶାଢ଼ି କହିଲେ ବି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପ୍ରକାରର ଶାଢ଼ି ଦେଖିବାକୁ ମିଳିଥାଏ। କିନ୍ତୁ ମୋଟ୍‌ ଉପରେ କହିଲେ ଓଡ଼ିଶାର ହସ୍ତତନ୍ତ ଶାଢ଼ିର କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ବେଶ୍‌ ଚାହିଦା ରହିଛି। ଯାହା ମଧ୍ୟରେ କୋଟପାଡ ଶାଢ଼ି ସ୍ବତନ୍ତ୍ର ମର୍ଯ୍ୟାଦା ରଖେ।
କୋରାପୁଟ ଜିଲାରୁ ୮୦କି.ମି. ଦୂର କୋଟପାଡ଼ ସହର ବିଜ୍ଞାପିତ ଅଞ୍ଚଳର ୯ ନମ୍ବର ୱାର୍ଡ଼ର କୁସୁମୀ ଛକଠାରୁ ୧୦ କି.ମି. ଦୂର ସୁନାରବେଲି ନୂଆ ଗାଁ ପଞ୍ଚାୟତର ଡଙ୍ଗରିଗୁଡା ଓ ଭୋଂଶୁଲି ପଞ୍ଚାୟତରେ କେଉଁ ରାଜରାଜୁଡା ସମୟରୁ ଜୈବିକ ପ୍ରଣାଳୀରେ ଶାଢ଼ି ପ୍ରସ୍ତୁତ ହେଉଛି, ଯାହା କୋଟପାଡ଼ ଶାଢି ରୂପେ ସାରା ଭାରତରେ ଏପରିକି ବିଦେଶରେ ମଧ୍ୟ କେତେକ ସ୍ଥାନରେ ପହଞ୍ଚତ୍ବା ସହ ଫ୍ୟାଶନ ଜଗତରେ ବେଶ୍‌ ଆଦୃତ ହୋଇଛି। ଏଠାକାର କାରିଗରମାନେ ପୁରୁଷ ପୁରୁଷ ଧରି ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ସହ ରାଜ୍ୟ, ଦେଶ ତଥା ବିଦେଶରେ ସୁନାମ ଅର୍ଜନ କରୁଛନ୍ତି। ରାଜ୍ୟ ସରକାରଙ୍କ ହସ୍ତତନ୍ତ ବୟନ ଶିଳ୍ପ ବିଭାଗ ୧୯୫୬ ମସିହାରେ କୋଟପାଡ଼ ତଥା ମିରିଗାନ ଶାଢ଼ିକୁ ମାନ୍ୟତା ଦେବା ସହ ଏହାର ବିକ୍ରି ପାଇଁ ମଧ୍ୟ ସହଯୋଗ କରୁଛନ୍ତି। ଯେଉଁଥିପାଇଁ ଭାରତର ବିଭିନ୍ନ ରାଜ୍ୟରେ ମେଳା, ପ୍ରଦର୍ଶନୀ ପ୍ରଦର୍ଶିତ ହେବା ସହ ରପ୍ତାନି ମଧ୍ୟ କରାଯାଉଛି। ଫଳରେ କାରିଗରମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କାର ଲାଭ କରିବା ସହ ବୟୋଜ୍ୟେଷ୍ଠ କାରିଗର ଗୋବର୍ଦ୍ଧନ ପନିକା ପଦ୍ମଶ୍ରୀ ଉପାଧି ପାଇଛନ୍ତି।

ଶାଢ଼ି ପ୍ରସ୍ତୁତି: କୋଟପାଡ଼ ଶାଢ଼ି ପାଇଁ କଞ୍ଚାମାଲ ଭାବରେ ବରଗଡ଼ ଜିଲାରୁ କଟନ ସୂତା ଅଣାଯାଉଥିବାବେଳେ ଟସର ସୂତା ପଡ଼ୋଶୀ ରାଜ୍ୟ ଛତିଶଗଡ଼ ବସ୍ତର ଜିଲାରୁ ଅଣାଯାଇ ଶାଢି ପାଇଁ ପ୍ରସ୍ତୁତି ଆରମ୍ଭ ହୁଏ। ଏଥିପାଇଁ ପ୍ରଥମେ ସୂତା ପ୍ରସ୍ତୁତ କରାଯାଏ। ତାପରେ ରଙ୍ଗ ଦେବା ସକାଶେ ଆଲ ଗଛର ମାଟି ତଳେ ଥିବା ଚେରର ବକଳ, ଗାଈ ଗୋବର, ଜଡ଼ାତେଲ, ହରିଡା, ବାହାଡ଼ା, ହୀରକୋଶି, ଲୁହାଜଙ୍କ, ପାଉଁଶ ଇତ୍ୟାଦି ପ୍ରାକୃତିକ ସାମଗ୍ରୀ ଆବଶ୍ୟକ ପଡିଥାଏ। ଆଲ ଗଛ କୋରାପୁଟ, କଳାହାଣ୍ଡିରେ ମିଳୁଥିବା କାରିଗର କହନ୍ତି। ପ୍ରଥମେ ଆଲ ଗଛ ଚେରର ବକଳକୁ ଶୁଖାଇ ଘୋରଣାରେ ଗୁଣ୍ଡକରି ଆଲ ପାଉଡର ପ୍ରସ୍ତୁତ କରାଯାଏ। ଗୋଟେ ବଣ୍ଡଲ ସୂତାରେ ୪.୫ କି.ଗ୍ରା. ଆଲ ପାଉଡର ଆବଶ୍ୟକ ପଡେ। ତା’ପରେ ବଣ୍ଡଲ ସୂତାକୁ ୧୦ ଭାଗ କରାଯାଏ। ତାକୁ ବଡ଼ ହାଣ୍ଡିରେ ଦିନସାରା ବତୁରାଇ ରଖାଯାଏ। ପରେ ୫ କି.ଗ୍ରା. ଜଡାତେଲ ଆଣି ସିଝାଯାଏ। ସୂତାକୁ ବିଛେଇ ରଖି ତା’ ଉପରେ ସେହି ତେଲ ପକାଯାଏ। ଟିକେ ଥଣ୍ଡା ହେଲେ ସୂତାକୁ ଭଲରେ ହାତରେ ଚକଟାଯାଏ। ପରେ ଉଭୟ ପଟକୁ ଗୋବରରେ ଲେପ ଦିଆଯାଏ। ଏହାପରେ ସେହି ସୂତା ଶୁଖାଯାଏ। ପରେ କାଠର ପାଉଁଶକୁ ହାଣ୍ଡି ପାଣିରେ ସିଝା ହୁଏ। ସେହି ଖାର ପାଣିକୁ ସୂତାରେ ଛିଞ୍ଚି ଛିଞ୍ଚି ସୂତାକୁ ଚକଟା ହୁଏ ଓ ପୁଣି ଶୁଖା ହୁଏ। ଏମିତି ୧୫ ଦିନ ଦିନକୁ ଦୁଇ ଥର ଏହିଭଳି ଖାର ପାଣିରେ ସୂତା ଚକଟା ହୁଏ ଏବଂ ଶୁଖାହୁଏ। ୧୫ ଦିନ ପରେ ପୋଖରୀକୁ ନେଇ ସୂତାକୁ ସଫା କରାଯାଏ। ତାପରେ ୧୦ ବଣ୍ଡଲ କରି ତାକୁ ଛୋଟ ଛୋଟ ହାଣ୍ଡିରେ ଗରମ ପାଣି କରାଯାଇ ସେଥିରେ ସୂତା ପକାଯାଏ। ଏହାପରେ ସେଥିରେ ଆଲ ପାଉଡର ପକାଇ ବାଡିରେ ଘଣ୍ଟାଯାଏ। ଦିନସାରା ସେହି ପାଣିରେ ସୂତା ରହିବ। ପରଦିନ ପୁଣି ୧ ଘଣ୍ଟା ସିଝା ହେବ। ପରେ ପୋଖରୀରେ ଧୁଆଯିବ। ସୁଖା ହେବ। ପୁଣି ତା’ପରଦିନ ତାକୁ ଆଉ ଥରେ ସିଝା ହେବ। ପରଦିନ ପୁଣି ଧୁଆଯିବ। ଏଭଳି ୪-୫ ଦିନ ପର୍ଯ୍ୟନ୍ତ ସିଝାଇବା, ଧୋଇବା ଶୁଖାଇବା ଚାଲୁ ରହେ। ରଙ୍ଗ ସକାଶେ ହରିଡା, ବାହାଡ଼ା ଆଦି ପ୍ରାକୃତିକ ଜିନିଷ ବ୍ୟବହାର କରାଯାଏ। ଗୋଟିଏ ଶାଢ଼ି ପ୍ରସ୍ତୁତି ପାଇଁ ଏକ ମାସ ଲାଗିଯାଏ।

ଶାଢ଼ି ଗୁଡ଼ିକର ନାମ: ପୂର୍ବେ ଶାଢିଗୁଡିକୁ ଲାଲ ବୋରି, ସୁନ୍ଦରମଣୀ ଧୋତି, କୋବୋରି ପାଟ, ଠେକ୍ର ପାଟ, ତୋରଫୁ ପାଟ, ଟେଣ୍ଡକି ଧୋତି, ସାରି ଧଡି, ଆଞ୍ଚ ଧଡି, ବନ୍ଧି ଟାବାଲ, ଫୁଲ ଟାବଲ ଇତ୍ୟାଦି ନାମକରଣ କରାଯାଉଥିଲା। ବର୍ତ୍ତମାନ ଏହି ନାମକୁ ବଦଳାଇ ମିରଗାଁନ ପାଟ, ସୁନ୍ଦର ମଣୀ ପାଟ, ସଲଜା ପାଟ, ଦୁପଟା, ମିରଗାଁନ ଟସର ସିଲକ ଶାଢି ଇତ୍ୟାଦି ଦିଆଯାଉଛି ବୋଲି କରିଗର କପିଳେଶ୍ୱର ମହନ୍ତ କୁହନ୍ତି। ଏହି ଶାଢିଗୁଡିକର ଦାମ ୧୦ ହଜାରରୁ ଆରମ୍ଭ କରି ୩୦/୪୦ ହଜାର ପର୍ଯ୍ୟନ୍ତ ରହୁଛି।
ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ ତିଆରି ଏହି ଶାଢିର ଚାହିଦା ରାଜ୍ୟରେ ଯେତିକି ରାଜ୍ୟ ବାହାରେ ତଥା ବିଦେଶୀ ପର୍ଯ୍ୟଟକଙ୍କୁ ବହୁ ଆକୃଷ୍ଟ କରୁଛି। ପର୍ଯ୍ୟଟକମାନେ ଏଠାରେ ଶାଢି ପ୍ରସ୍ତୁତି ଦେଖିବା ସହ ଶାଢି କିଣି ନେଉଛନ୍ତି। ଏହାଛଡ଼ା ଶାଢିଗୁଡିକୁ ଦେଶ ତଥା ଆମେରିକା, ଜାପାନ, ଫ୍ରାନସ, ଇଟାଲୀ, ଜର୍ମାନ ଇତ୍ୟାଦି ବାହାର ଦେଶକୁ ରପ୍ତାନି ହେଉଛି।

ଏ ଆମର କୌଳିକ ବୃତ୍ତି: ମିରଗାଁନ ସମ୍ପ୍ରଦାୟର ୨ ଶହରୁ ଊର୍ଦ୍ଧ୍ୱ ପରିବାର ଏହି କୌଳିକ ବୃତ୍ତି ଆପଣାଇ ଥିବାବେଳେ ଏବେ ପ୍ରାୟ ଅଶୀ ପରିବାର କାମ କରୁଛନ୍ତି। ଏଥିମଧ୍ୟରୁ ଡଙ୍ଗରିଗୁଡାର ୨୫ ଭୋଂଶୁଲିର ୨୦ ପରିବାର ରହିଥିବାବେଳେ ବାକି ସମସ୍ତେ କୋଟପାଡ ସହରାଞ୍ଚଳରେ ବସବାସ କରନ୍ତି। ଏଥିମଧ୍ୟରୁ ୧୫ ରୁ ୨୦ ଜଣ କାରିଗର ଉଚ୍ଚକୋଟୀର ଶାଢି ତିଆରି କରୁଛନ୍ତି। ଏମାନଙ୍କୁ ସରକାରୀ ସହାୟତା ହସ୍ତତନ୍ତ ବୟାନ ଶିଳ୍ପ ବିଭାଗ ତରଫରୁ ସମସ୍ତ ସାହାଯ୍ୟ ସହଯୋଗ ମିଳୁ ଥିବାବେଳେ କାରିଗରମାନଙ୍କ ସକାଶେ ୪ଗୋଟି ସ୍ଥାନରେ ତାଲିମ କେନ୍ଦ୍ର ଖୋଲା ଯାଇଛି। ଯଥା କୋଟପାଡ ମିରଗାଁନ ସାହି, ଭୋଂଶୁଲି, ଡଙ୍ଗରିଗୁଡା, ବୋତାସନା ଆଦି ଅଞ୍ଚଳ। ଉକ୍ତ ତାଲିମ କେନ୍ଦ୍ରରେ ୫୦ରୁ ଊଦ୍ଧର୍‌ବ ଯୁବତୀ ଯୁବକ ତାଲିମ ନେଉଛନ୍ତି। ଚଳିତ ବର୍ଷ କରୋନା ସମୟରେ ବହୁ ଅସୁବିଧାର ସମୁଖୀନ ହେଇ ଥିବାବେଳେ ସରକାରୀ ସହାୟତା ଠିକ ସମୟରେ ମିଳିପାରି ନାହିଁ ବୋଲି କାରିଗର କହନ୍ତି। ଗତ ୨୦୧୭ ମସିହାରେ ରାଜ୍ୟ ସରକାର ମିରଗାଁନ ଶାଢି ଉତ୍ପାଦନ ପ୍ରଚାର ପ୍ରସାର ତାଲିମ ସହ ବିଭିନ୍ନ ଯୋଜନା ସହ ଏକ ଗୋଦାମ ଗୃହ ନିର୍ମାଣ କରିବାକୁ ୧କୋଟି ୮୭ ଲକ୍ଷ ଟଙ୍କା ମଞ୍ଜୁର କରି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଉକ୍ତ ଟଙ୍କା କୋଟପାଡ ବ୍ୟାଙ୍କରୁ ଅନ୍ୟତ୍ର କୋରାପୁଟ ବ୍ୟଙ୍କକୁ ସ୍ଥାନାନ୍ତର କରାଯାଇ ଥିବାରୁ ଏଠାରେ ଗୋଦାମ ଗୃହ ନିର୍ମାଣ ହୋଇପାରୁ ନ ଥିବା କୋଟପାଡ ଡବ୍ଲ୍ୟୁସିଏସ୍‌ ସଭାପତି ପ୍ରୋଲାଦ ମହନ୍ତ କହିଛନ୍ତି। ଗତ କରୋନା ସମୟରେ ଗୋଟେ ପାଖେ ବେପାର ଠିକ୍‌ ଭାବରେ ହୋଇପାରି ନ ଥିଲା। ଅନ୍ୟପକ୍ଷରେ ଗୋଦାମ ଗୃହ ନ ଥିବାରୁ ଉତ୍ପାଦିତ ବସ୍ତ୍ରଗୁଡିକୁ ମୂଷା କାଟି ନଷ୍ଟ କରି ଥିବାର କହନ୍ତି। ତେଣୁ ଏକ ଗୋଦାମ ଗୃହ ଆବଶ୍ୟକ ପଡୁଛି। ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ମହିଳା କାରିଗର ଜେମାମଣୀ ମହନ୍ତ କୁହନ୍ତି।
ନିଜର କୌଳିକ ବୃତ୍ତିକୁ ବଞ୍ଚେଇ ରଖିବା ସହ ଓଡ଼ିଶା ହସ୍ତତନ୍ତ ଶାଢ଼ିର ମର୍ଯ୍ୟାଦା ବଢ଼ାଇଥିବା କୋଟପାଡର ଶାଢ଼ି କାରିଗରମାନଙ୍କ ପରିଶ୍ରମ ଓ ନିଷ୍ଠା ସତରେ ସ୍ବୀକାର ଯୋଗ୍ୟ।

ମତାମତ
ପଦ୍ମଶ୍ରୀ ଗୋବର୍ଦ୍ଧନ ପନିକା- ମୁଁ କେବେ ହେଲେ ଏଭଳି ଏତେ ବଡ଼ ସମ୍ମାନଜନକ ଉପାଧି ପାଇବି ବୋଲି ଆଶା କରୁ ନ ଥିଲି। ଏହାପୂର୍ବରୁ ଅନେକ ପ୍ରଦର୍ଶନୀ, ଆନ୍ତର୍ଜାତିକ ମେଳାରେ ଅଂଶ ଗ୍ରହଣ କରି ଅନେକ ଡିଜାଇନ୍‌ର ଶାଢି ବିକ୍ରି କରିଛି। ତେବେ ବି ଜାଣି ନ ଥିଲି ଯେ ମୋ ହାତତିଆରି ବସ୍ତ୍ରଗୁଡ଼ିକର ଏତେ ଚାହିଦା ରହୁଛି ବୋଲି। ମୁଁ କେବଳ ପିଢ଼ି ପିଢ଼ି ଧରି ମୋର କୌଳିକ ବୃତ୍ତିକୁ ଆପଣେଇଥିଲି। ମାତ୍ର ୧୨ ବର୍ଷ ବୟସରେ ଯେତେବେଳେ ୫ମ ଶ୍ରେଣୀ ପଢୁଥିଲି ମୋ ଜେଜେବାପାଙ୍କଠାରୁ ଏହି କାମ କିଛି କିଛି ଶିଖି ଥିଲି। ପରବର୍ତ୍ତୀ ସମୟରେ ବାପାଙ୍କଠାରୁ ଏହି କାମ ଶିଖି ଆମ ଅଞ୍ଚଳର ସଂସ୍କୃତିକୁ ନେଇ ଡିଜାଇନ ତିଆରି କଲି; ଯାହା କି ଆମ କାରିଗର କରିପାରୁ ନ ଥିଲେ। ପରେ ଆମେ ପ୍ରସ୍ତୁତ କରୁଥିବା ଶାଢ଼ିଗୁଡ଼ିକୁ ନେଇ ବିଭିନ୍ନ ମେଳା, ପ୍ରଦର୍ଶନୀରେ ଅଂଶଗ୍ରହଣ କରି ପ୍ରଦର୍ଶିତ କଲି। ସେଇଠୁ ଜାଣିଲି ଲୋକଙ୍କର ଏଇ ଶାଢ଼ି ପ୍ରତି ଏତେ ଆଗ୍ରହ ଅଛି। ସେଇଠୁ ଚିନ୍ତା କଲି ଅଧିକରୁ ଅଧିକ ଯୁବପିଢ଼ି କିପରି ଏହି ଶାଢ଼ି ପ୍ରସ୍ତୁତିର ତାଲିମ ନେଇପାରିବେ। ବର୍ତ୍ତମାନ ଏହି ଅଞ୍ଚଳର ଯୁବତୀ ଯୁବକମାନଙ୍କ ସକାଶେ ସରକାର ତରଫରୁ ତାଲିମ କେନ୍ଦ୍ର ଖୋଲାଯାଇ ସେମାନଙ୍କୁ ତାଲିମ ଦେଉଛୁ। ମିରିଗାଁନ ଶାଢ଼ିକୁ ଅଧିକରୁ ଅଧିକ ଦେଶ ବିଦେଶରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ଆଶା ମହନ୍ତ- ସରକାର ଆମକୁ ବର୍ତ୍ତମାନ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ବ୍ୟାଙ୍କ ଋଣ ଦେଉଛନ୍ତି; ଯେଉଁଥିପାଇଁ ଆମର ପିଢ଼ି ପଢ଼ି ଧରି ଚାଲିଥିବା ଏହି କୌଳିକ ବୃତ୍ତିକୁ ଆପଣାଇବା ସହ ରୋଜଗାର ମଧ୍ୟ କରିପାରୁଛୁ। ଆଗରୁ ଆର୍ଥିକ ପରିସ୍ଥିତି ବହୁତ ଖରାପ ଥିଲା, ପିଲାମାନଙ୍କ ସକାଶେ ପାଠ ପଢ଼ା ପାଇଁ ବହୁ ଅସୁବିଧା ହେବା ସହ ଅନ୍ୟାନ୍ୟ ଘର ଖର୍ଚ୍ଚ ସକାଶେ ଅନ୍ୟପାଖରେ କାମ କରିବାକୁ ପଡୁଥିଲା ବର୍ତ୍ତମାନ ନିଜ କାମ କରିବା ସହ ନିଜ ରୋଜଗାରରେ ପିଲାମାନଙ୍କୁ ଭଲରେ ମଣିଷ କରିପାରୁଛୁ।
ଯେମାମଣି ପନିକା- ମୁଁ ଶାଢ଼ି ତିଆରି କରୁଥିଲି। କିନ୍ତୁ ଜାଣି ନ ଥିଲି ଯେ ଆମ ଅଞ୍ଚଳର ଶାଢ଼ି ଏତେ ଟଙ୍କାରେ ବିକ୍ରି ହୋଇପାରିବ ବୋଲି। ଯେବେ ରାଜ୍ୟସ୍ତରୀୟ ପୁରସ୍କାର ପାଇଲି ବହୁତ ଆନନ୍ଦ ଲାଗିଥିଲା। ଆଗ ଆଖ ପାଖ ହାଟ ବଜାରମାନଙ୍କରେ ବିକ୍ରି କରି ପରିବାର ଚଳାଉଥିଲୁ। ଯେବେ କୋରାପୁଟ ପରବ ମେଳା, ଭୁବନେଶ୍ୱର ଆଦିବାସୀ ମେଳାକୁ ଗଲି ସେଠାରେ ଅନେକ ଅଞ୍ଚଳରୁ ଆମ ଭଳି କେତେ ଲୋକ ଶାଢ଼ି ଆଣିଥିଲେ ବିକ୍ରି ପାଇଁ। ମେଳା ଦେଖିବାକୁ ଆସୁଥିବା ଲୋକମାନେ କୋଟପାଡ ଶାଢ଼ି ଦୋକାନ କେଉଁଠି ଖୋଜି ଖୋଜି ଆସୁଥିଲେ; ଯାହା କି ଖୁବ୍‌ ଖୁସି ଲାଗୁଥିଲା। ଏବେ ସ୍ବୟଂ ସହାୟକା ଗ୍ରୁପ ତରଫରୁ ବ୍ୟାଙ୍କ ଋଣ ଆଣି କାମ କରୁଛୁ ଏବଂ କୋରାପୁଟ ବୟନିକା ଡିପୋର ଅଫିସରମାନେ ଆସି ଆମ ବସ୍ତ୍ରଗୁଡ଼ିକ ପସନ୍ଦ କରି ନେଉଛନ୍ତି। ଆଗକୁ ଏ କାମ ଆମ ପିଲାଙ୍କୁ ଶିଖାଇବୁ ।
ପ୍ରହ୍ଲାଦ ମହନ୍ତ w.c.s. ସଭାପତି-ବହୁ ପୁରାତନ ସମୟରୁ ଏହି ମିରଗାଁନ ଶାଢ଼ି ଏହି ଅଞ୍ଚଳରେ ବିକ୍ରି ହେବା ସହ ହାଟ ବଜାରରେ ଏହା ଖୁବ୍‌ କମ୍‌ ଦାମ୍‌ ରେ ବିକ୍ରି ହେଉଥିଲା। କିନ୍ତୁ ମାସ ମାସ ଧରି ଗୋଟେ ଗୋଟେ ଶାଢ଼ି ତିଆରି ପାଇଁ ସମୟ ଲାଗୁ ଥିବା ବେଳେ କାରିଗର ତା’ର ଉଚିତ ପ୍ରାପ୍ୟ ପାଇଁ ପାରୁ ନ ଥିଲା। ବଡ଼ ସହରରେ ମେଳାମାନଙ୍କରେ ଏହାର ପ୍ରଦର୍ଶନ ହେବାପରେ ଧୀରେ ଧୀରେ ଲୋକ ଲୋଚନକୁ ଆସିଲା। ଏବେ ଏହି ଅଞ୍ଚଳରେ ୪ ଗୋଟି ସୟଂସହାୟକ ଗୋଷ୍ଠୀ ଗଢ଼ି ଉଠିଥିବା ବେଳେ ୧୦୦ରୁ ଊର୍ଦ୍ଧ୍ୱ ପରିବାର କାମ କରୁଛନ୍ତି । ଏଥିମଧ୍ୟରୁ ୧୫/୨୦ଜଣ କାରିଗିର ଏହି କାର୍ଯ୍ୟ ସକାଶେ ସିଦ୍ଧ ହସ୍ତ, ଏମାନଙ୍କ ଦ୍ୱାରା ପ୍ରସ୍ତୁତ ଶାଢ଼ି ରାଜ୍ୟ ତଥା ବିଦେଶରେ ବିକ୍ରି ହେଉଛି। ଆମ ସୋସାଇଟି ତରଫରୁ ପ୍ରତ୍ୟେକ କାରିଗର ପାଖରୁ ବସ୍ତ୍ର ସଂଗ୍ରହ କରି ରାଜ୍ୟ ସରକାରଙ୍କ ବୟନିକା ବସ୍ତ୍ର ଭଣ୍ଡାର, ଉତ୍କଳିକା ସଂସ୍ଥାକୁ ଯୋଗାଇ ଦିଆଯାଉଛି। ସେମାନେ ଭାରତ ତଥା ବିଦେଶକୁ ରପ୍ତାନି କରୁଛନ୍ତି।
-କେ. ରାଜଶେଖର ରାଓ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri