ଭୁବନେଶ୍ୱର, ୨୩।୧୦(ସୁନିତ୍ ମିଶ୍ର): କୋଟିଆକୁ ନେଇ ରାଜ୍ୟ ରାଜନୀତି ଜୋର୍ ଧରିବାରେ ଲାଗିଛି। କୋଟିଆର କେତୋଟି ପଞ୍ଚାୟତରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଥିବାରୁ ଓଡ଼ିଶାରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ସବୁ ରାଜନୈତିକ ଦଳ ପକ୍ଷରୁ ଏହାକୁ ଜୋରଦାର ବିରୋଧ ଆରମ୍ଭ ହୋଇଛି। ଏହାରି ଭିତରେ କୋରାପୁଟ ଜିଲାପାଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ପୂଜାରୀ ଆହୁରି କହିଛନ୍ତି, ଗତ ୧୦ ତାରିଖରେ ଜିଲା ପରିଷଦ, ସମିତିସଭ୍ୟ ନିର୍ବାଚନ ପାଇଁ ଆନ୍ଧ୍ର ପ୍ରଦେଶ ବିଜ୍ଞପ୍ତି ବାହାର କଲା। ଏଥିରେ କୋଟିଆ ଗ୍ରାମପୁଞ୍ଜକୁ ଆନ୍ଧ୍ର ସାମିଲ କରିଛି। ଏହା ସ୍ଥିତାବସ୍ଥାର ପରିପନ୍ଥୀ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା। ଆନ୍ଧ୍ରର ରାଜ୍ୟ ନିର୍ବାଚନ କମିଶନର, ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପାର୍ବତୀପୁରମ୍ ଜିଲାପାଳଙ୍କ ନାଁରେ ମଧ୍ୟ ମାମଲା ଦାଏର କରାଯାଇଛି।
ସୁପ୍ରିମକୋର୍ଟରେ ଦାଏର ହୋଇଥିବା କେସ୍ ନମ୍ବର ୬୬୭୨୭ । ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଉଭୟ ରାଜ୍ୟ ଷ୍ଟାଟସ୍ କୋ ରକ୍ଷା କରିବା ଦରକାର, ଯାହାକୁ ଆନ୍ଧ୍ର ଅବମାନନା କରିଛି। ସେହିପରି ପୂଜାରୀ ଆହୁରି କହିଛନ୍ତି, କୋଟିଆକୁ ନେଇ ସର୍ବଦଳୀୟ ବୈଠକ ଡାକିବାର ଯୋଜନା ରହିଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଟେଲିଫୋନ୍ ମାଧ୍ୟମରେ କଥା ହୋଇଛନ୍ତି। ହେଲେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ମୁଖ୍ୟମନ୍ତ୍ରୀଙ୍କ ସହ ଚୂଡ଼ାନ୍ତ ହେବାପରେ ସବୁ ଦଳର ପ୍ରତିନିଧିଙ୍କ ସହ ଏ ବିଷୟରେ ଆଲୋଚନା କରି ମତାମତ ନିଆଯାଇପାରେ। କୋରାପୁଟରେ ଏନେଇ ସର୍ବଦଳୀୟ ବୈଠକ ହେବାକୁ ଯାଉଛି। ପଟ୍ଟାଙ୍ଗୀରେ ସର୍ବଦଳୀୟ ବୈଠକ ଶେଷ ହୋଇସାରିଛି।