୪ ସପ୍ତାହ ପାଇଁ ଘୁଞ୍ଚିଲା କୋଟିଆ ବିବାଦ ଶୁଣାଣି

କୋରାପୁଟ,୨୪ା୧(ସ୍ବ.ପ୍ର.): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକର ଆନ୍ଧ୍ର ସୀମାନ୍ତ କୋଟିଆ ବିବାଦ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ରୁଜୁ ମାମଲାର ସୋମବାର ଶୁଣାଣି ରହିଥିଲା। ଏହାକୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏଏମ୍‌ ଖାନୱିଲକର ଓ ବିଚାରପତି ସିଟି ରବି କୁମାରଙ୍କ ଖଣ୍ଡପୀଠ ବିଚାର କରି ମାମଲାକୁ ଆସନ୍ତା ୪ ସପ୍ତାହ ପାଇଁ ଘୁଞ୍ଚାଇ ଦେଇଛନ୍ତି। ସେହିପରି କୋଟିଆରେ ଗତବର୍ଷ ଫେବୃୟାରୀରେ ଆନ୍ଧ୍ର ସରକାର କରିଥିବା ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ଓଡ଼ିଶା ପକ୍ଷରୁ ଅଦାଲତ ଅବମାନନା ମାମଲା ଦାଖଲ କରାଯାଇଥିଲା। ଏହାକୁ ରଦ୍ଦ କରିବା ପାଇଁ ଆନ୍ଧ୍ର ସରକାରଙ୍କ ନିବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।

ସୂଚନାଯୋଗ୍ୟ, କୋଟିଆ ବିବାଦକୁ ନେଇ ପୂର୍ବରୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ରାଜନୈତିକ ସ୍ତରରେ ଆଲୋଚନା ହୋଇଛି। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଆଲୋଚନା କରିଛନ୍ତି।