ପଟ୍ଟାଙ୍ଗି,୨୮/୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତକୁ ନେଇ ସୀମା ବିବାଦ ଥମିବାର ନାଁ ଧରୁନଥିବା ବେଳେ ଏବେ ଏକ ନୂଆ ଘଟଣା ସାମ୍ନାକୁ ଆସିଛି। ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ପାଇଁ ଯାଇଥିବା ୱାର୍ଡ ସଭ୍ୟ ପ୍ରାର୍ଥୀମାନଙ୍କୁ ଆନ୍ଧ୍ର ପୋଲିସ ଦୀର୍ଘ ସମୟ ଧରି ଅଟକ ରଖିବା ସହ ବିଳମ୍ବିତ ରାତିରେ ଓଡ଼ିଶା ସୀମାନ୍ତରେ ଛାଡ଼ି ଚାଲିଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା କୋଟିଆ ଅଞ୍ଚଳରେ ପୁଣି ଥରେ ଉତ୍ତେଜନା ଓ ବିବାଦକୁ ବଢ଼ାଇଦେବ ବୋଲି ଅନୁମାନ କରାଯାଉଛି।
ସୂଚନା ଅନୁଯାୟୀ, କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର ଗ୍ରାମ ପାଇଁ ୫ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଶୁକ୍ରବାର ଉକ୍ତ ପ୍ରାର୍ଥୀମାନଙ୍କ ମଧ୍ୟରୁ ସୁନ୍ଦୁରୁ ତାଡିଙ୍ଗିଙ୍କ କହିବା ଅନୁଯାୟୀ, ସେମାନେ ୱାର୍ଡ ସଭ୍ୟ ପଦ ପାଇଁ ଦାଖଲ କରିଥିବା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ନିମନ୍ତେ ଏକ ଓଡ଼ିଶା ନମ୍ବର ଥିବା ଯାତ୍ରୀବାହୀ ଗାଡ଼ି ଭଡ଼ା କରି ଯାଇଥିଲେ। କୋଟିଆ ପଞ୍ଚାୟତର ମାଡକାର୍ ଗ୍ରାମରୁ ସୁନୀଲ ତାଡିଙ୍ଗି, ସାଲୁଲ ତାଡିଙ୍ଗି, ତ୍ରିନାଥ ତାଡିଙ୍ଗି ଓ ଜୁଲମେ ତାଡିଙ୍ଗି ପ୍ରମୁଖ ଏଥିରେ ସାମିଲ ଥିଲେ।
ତେବେ ଏହି ସମୟରେ ଆନ୍ଧ୍ରପ୍ରଦେଶର ମାଉଡୁପେଲି ପୋଲିସ ସେମାନଙ୍କ ଗାଡ଼ିକୁ ଅଟକ ରଖି ପଚରାଉଚରା କରିଥିଲା। ପ୍ରାର୍ଥୀମାନେ ୱାର୍ଡ ସଭ୍ୟ ପଦ ପାଇଁ ଦାଖଲ କରିଥିବା ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ଉଦ୍ଦେଶ୍ୟରେ ଯାଉଥିବା ଜାଣିବା ପରେ ପୋଲିସ ଗାଡ଼ି ସହ ସମସ୍ତଙ୍କୁ ଥାନାରେ ଦୀର୍ଘ ସମୟ ଧରି ଅଟକ ରଖିଥିଲା। ପରେ ପ୍ରତ୍ୟାହାର ସମୟ ଗଡ଼ିଯାଇଥିବା ଦର୍ଶାଇ ଏକ ଧଳା କାଗଜରେ ସମସ୍ତଙ୍କ ଦସ୍ତଖତ ନେଇଥିବା ପ୍ରାର୍ଥୀମାନେ ଅଭିଯୋଗ କରିଛନ୍ତି। ଏଥିସହ ଭଡ଼ାରେ ନିଆଯାଇଥିବା ଗାଡ଼ି ଓ ଡ୍ରାଇଭରକୁ ଅଟକ ରଖି ଆନ୍ଧ୍ର ପୋଲିସ ବିଳମ୍ବିତ ରାତିରେ ସମସ୍ତଙ୍କୁ ଓଡ଼ିଶାର ସୀମାନ୍ତ ଗ୍ରାମ ନେରିଡିବାଲସା ନିକଟରେ ଛାଡ଼ି ପଳାଇଥିଲା।
ବାଧ୍ୟ ହୋଇ ପ୍ରାର୍ଥୀମାନେ ସେହି ବିଳମ୍ବିତ ରାତିରେ ପ୍ରାୟ ୨୦ରୁ ୨୫ କିଲୋମିଟର ବାଟ ଚାଲି ଚାଲି ନିଜ ଗ୍ରାମରେ ପହଞ୍ଚିଥିଲେ। ଏନେଇ ଶନିବାର ପ୍ରାର୍ଥୀମାନେ କୋଟିଆ ଥାନାରେ ପହଞ୍ଚି ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ପୋଲିସକୁ ଅବଗତ କରାଇଛନ୍ତି। ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ ପୂଜାରୀ କହିଛନ୍ତି ଯେ, ଉକ୍ତ ଘଟଣା ସମ୍ପର୍କରେ ସେମାନଙ୍କ ନିକଟକୁ ଅଭିଯୋଗ ଆସିଛି। କେଉଁ ପରିସ୍ଥିତିରେ ଆନ୍ଧ୍ର ପୋଲିସ ଗାଡ଼ି ସହ ଡ୍ରାଇଭରକୁ ଅଟକ ରଖିଛି, ତାହାର ତଦନ୍ତ କରାଗଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ଏବଂ ବର୍ତ୍ତମାନ ପ୍ରାଥମିକ ସ୍ତରରେ ତଦନ୍ତ ଆରମ୍ଭ ହୋଇଛି।