ପଟ୍ଟାଙ୍ଗି, ୨୭।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନରୁ ଲାଗିରହିଥିବା ସୀମା ବିବାଦକୁ ନେଇ ସ୍ଥିତି ପୁଣି ସଙ୍ଗୀନ ହୋଇପଡ଼ିଛି। ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସର ଏକ ବିଶେଷ ‘ଫ୍ୟାକ୍ଟ ଫାଇଣ୍ଡିଂ’ ଟିମ୍ କୋଟିଆ ଗସ୍ତ କରି ସ୍ଥାନୀୟ ସ୍ଥିତି ଅନୁଧ୍ୟାନ କରିବା ସହ ଆନ୍ଧ୍ରପ୍ରଦେଶର ଅନୁପ୍ରବେଶକୁ ତୀବ୍ର ବିରୋଧ କରିଛନ୍ତି।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଲାଗିରହିଥିବା ବର୍ଷା ଓ ପବନ ଯୋଗୁ ବାହାରେ ସଭା ହୋଇ ନ ପାରି, ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଓ ବୈଠକ ଆୟୋଜିତ ହୋଇଥିଲା। ବୈଠକରେ MP ସପ୍ତଗିରି ଉଲକା ଯୋଗଦେଇ କୋଟିଆରେ ଦୀର୍ଘ ମାସ ହେବ ରାଜସ୍ୱ ନିରୀକ୍ଷକ (RI) ପଦବୀ ଖାଲି ପଡ଼ିଥିବାରୁ ଜିଲା ପ୍ରଶାସନର ଭୂମିକା ଉପରେ ପ୍ରଶ୍ନ ଉଠାଇ କ୍ଷୋଭ ପ୍ରକାଶ କରିଥିଲେ। ସେହିପରି ଓଡ଼ିଶାର ଶାସକ ଦଳର MPମାନେ ଭୟରେ ସଂସଦରେ ମୁହଁ ଖୋଲୁ ନ ଥିବାରୁ କୋଟିଆ ଓ ପୋଲାଭରମ୍ ବିବାଦର ସମାଧାନ ହୋଇପାରୁନାହିଁ ବୋଲି ସେ ଅଭିଯୋଗ କରିଥିଲେ।
ପିସିସି ସଭାପତି ଭକ୍ତ ଚରଣ ଦାସ ଆନ୍ଧ୍ର ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, “କୋଟିଆରେ ନିର୍ବାଚନ କରି ଆନ୍ଧ୍ର ଦୁଇ ରାଜ୍ୟ ମଧ୍ୟରେ ଥିବା ଭାଇଚାରା ନଷ୍ଟ ନକରୁ। ଏହି ମାଟି ଆମର, ଏହା କାହାର ନିଜସ୍ୱ ସମ୍ପତ୍ତି ନୁହେଁ। କୋଟିଆର ଖଣି ସମ୍ପଦକୁ ହାତେଇବା ପାଇଁ ଆନ୍ଧ୍ର ଯେଉଁ ଷଡ଼ଯନ୍ତ୍ର କରୁଛି, ତାହାକୁ ଆମେ କଦାପି ସଫଳ ହେବାକୁ ଦେବୁ ନାହିଁ।”
ବୈଠକ ପରେ କଂଗ୍ରେସ ପ୍ରତିନିଧି ଦଳ ନେରିଡିବାଲସା ଗ୍ରାମକୁ ଯାଉଥିବା ବାଟରେ, ଉପରସେମ୍ବି ଗ୍ରାମ ନିକଟରେ ମୁତୟନ ଥିବା ଆନ୍ଧ୍ର ପୋଲିସ୍କୁ ଦେଖି ଉତ୍ତେଜନା ପ୍ରକାଶ ପାଇଥିଲା। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କୋପାନ୍ୱିତ ହୋଇ ଆନ୍ଧ୍ର ପୋଲିସ୍କୁ ତାଗିଦ୍ କରି କହିଥିଲେ, “ଏହା ତୁମମାନଙ୍କ ପୈତୃକ ସମ୍ପତ୍ତି ନୁହେଁ, ତୁରନ୍ତ ଏହି ସ୍ଥାନ ଛାଡ଼ି ଚାଲିଯାଅ।” ଏହାସହ କଂଗ୍ରେସ କର୍ମୀମାନେ ରାସ୍ତାରେ ଆନ୍ଧ୍ର ପୋଲିସ୍ ଲଗାଇଥିବା ଟ୍ରାଫିକ୍ ବୋର୍ଡଗୁଡ଼ିକୁ ଫିଙ୍ଗିଦେବା ସହ ‘ଆନ୍ଧ୍ର ଗୋ ବ୍ୟାକ୍’ ସ୍ଲୋଗାନ ଦେଇଥିଲେ।
କୋଟିଆରେ ଆନ୍ଧ୍ର ପୋଲିସ୍କୁ କଂଗ୍ରେସର ବିରୋଧ ପରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ଓଡ଼ିଶା ପୋଲିସ୍ ସତର୍କତା ଗ୍ରହଣ କରିଥିଲା। ପୋଲିସ୍ କଂଗ୍ରେସ ଟିମ୍କୁ ସେହି ରାସ୍ତାରେ ଫେରିବାକୁ ଅନୁମତି ନଦେଇ, ବ୍ରିଟିଶ ରାସ୍ତା ଦେଇ ପଟ୍ଟାଙ୍ଗି ବ୍ଲକ୍ ସଦର ମହକୁମାକୁ ଫେରିବା ପାଇଁ ପରାମର୍ଶ ଦେଇଥିଲା।
ଏହି ଗସ୍ତରେ ସ୍ଥାନୀୟ ବିଧାୟକ ରାମଚନ୍ଦ୍ର କାଡାମ୍, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାନ୍ତା, ରାୟଗଡ଼ା ବିଧାୟକ ଆପଲ୍ ସ୍ୱାମୀ, ଗୁଣୁପୁର ବିଧାୟକ ସତ୍ୟଜିତ୍ ଗୋମାଙ୍ଗ, ବିଷମ କଟକ ବିଧାୟକ ନୀଳମାଧବ ହିକକା, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ରାଜ୍ୟ ମହିଳା ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ଜିଲା କଂଗ୍ରେସ ସଭାପତି ରୂପକ ତୁରୁକ୍ଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ।