କୋଟିଆରେ ଓଡ଼ିଶାର ଦୃଢ଼ ଆଭିମୁଖ୍ୟ: ପ୍ରଶାସନ-ପୋଲିସର ବିରୋଧ ପରେ ପଛଘୁଞ୍ଚା ଦେଲା ଆନ୍ଧ୍ର ପୋଲିସ୍

ପଟ୍ଟାଙ୍ଗି,୩।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନସ୍ଥ ବିବାଦୀୟ କୋଟିଆ ପଞ୍ଚାୟତର ନେରିଡିବାଲସା ଗ୍ରାମରେ ପୁଣି ଥରେ ସୀମା ବିବାଦ ଉଗ୍ର ରୂପ ନେଇଛି। ତେବେ ଓଡ଼ିଶା ପୋଲିସ, ଜିଲା ପ୍ରଶାସନ ଏବଂ ସ୍ଥାନୀୟ ରାଜନୈତିକ ଦଳଗୁଡ଼ିକର କଡ଼ା ବିରୋଧ ଓ ଦୃଢ଼ ପଦକ୍ଷେପ ଯୋଗୁଁ ଆନ୍ଧ୍ର ପୋଲିସ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଛି।

ସୂଚନା ମୁତାବକ, କୋଟିଆ ପଞ୍ଚାୟତର ନେରିଡିବାଲସା, ତାଡିବାଲସା, ଧୁଳିପଦର ଓ ଉପରସେମ୍ବି ଆଦି ଗ୍ରାମର କିଛି ଗ୍ରାମବାସୀ ଏକତ୍ରିତ ହୋଇ ଆନ୍ଧ୍ର ସମର୍ଥନରେ ବାହାରି ଓଡ଼ିଶା ପ୍ରଶାସନକୁ ବିରୋଧ କରିଥିଲେ। ଏହି ସମୟରେ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର ଏକ ଗାଡ଼ି ନେରିଡିବାଲସାରୁ କୋଟିଆ ଅଭିମୁଖେ ଯାଉଥିବା ବେଳେ ଉତ୍ତ୍ୟକ୍ତ ଗ୍ରାମବାସୀ ଗାଡ଼ିଟିକୁ ଅଟକାଇ ଓଡ଼ିଶା ପୋଲିସ ସହ ଠେଲାପେଲା କରିଥିଲେ। ଏହା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଓଡ଼ିଶାର ରାଜନୈତିକ ଦଳ, ସଙ୍ଗଠନ ଓ ପ୍ରଶାସନିକ ଅଧିକାରୀମାନେ ତୀବ୍ର ପ୍ରତିବାଦ କରିଥିଲେ। ଓଡ଼ିଶା ପକ୍ଷର କଡ଼ା ଆଭିମୁଖ୍ୟ ଦେଖି ଆନ୍ଧ୍ର ସମର୍ଥକ ଗ୍ରାମବାସୀ ଛତ୍ରଭଙ୍ଗ ଦେଇଥିଲେ ଏବଂ ଆନ୍ଧ୍ର ପୋଲିସ ମଧ୍ୟ ଘଟଣାସ୍ଥଳରୁ ପଛକୁ ହଟିଯାଇଥିଲା।

ଏହି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ପରେ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍ ମାନ୍ୟାମ୍ ଜିଲାର ଉପଜିଲାପାଳ ସଚିନ୍ ରାହାର୍‌ଙ୍କ ସମେତ ଉଚ୍ଚପଦସ୍ଥ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ଓଡ଼ିଶା ତଥା କୋଟିଆ ପଞ୍ଚାୟତର ନୋଡାଲ୍ ଅଧିକାରୀ ତଥା ଉପଜିଲାପାଳ ଫାବି ରସିଦ୍, ଏଡିଏମ୍ ତପନ ନାୟକ, ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଏବଂ ଏସଡିପିଓ ସୁମିତ୍ରା ଜେନାଙ୍କ ସହ ଆଲୋଚନା ହୋଇଥିଲା।

ଆଲୋଚନା ସମୟରେ ଓଡ଼ିଶା ଉପଜିଲାପାଳ ଫାବି ରସିଦ୍ ସ୍ପଷ୍ଟ ଭାବେ କହିଥିଲେ ଯେ, “ଆମେ ପଡ଼ୋଶୀ ଭାବେ ସୁସମ୍ପର୍କ ରଖିବା ଉଚିତ୍। ଆନ୍ଧ୍ର ପୋଲିସ ଆମ ପୋଲିସ ପ୍ରତି ଖରାପ ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ।” ଏଥିସହିତ ଆନ୍ଧ୍ରରେ ନିର୍ବାଚନ ସରିବା ଯାଏ ଓଡ଼ିଶା ସୀମାନ୍ତ ଗ୍ରାମଗୁଡ଼ିକରେ ବେଆଇନ ଭାବେ ପ୍ରବେଶ ନ କରିବାକୁ ସେ ଆନ୍ଧ୍ର ଉପଜିଲାପାଳଙ୍କୁ ସୃଷ୍ଟ ଚେତାବନୀ ଦେଇଥିଲେ। ଏହାର ଉତ୍ତରରେ ଆନ୍ଧ୍ର ଉପଜିଲାପାଳ ରାହାର୍ ଏହି ବିଷୟରେ ନିଜ ଜିଲା ପ୍ରଶାସନ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Dharitri – Odisha’s No.1 Odia Daily

Share