ଥୁଆମୂଳ ରାମପୁର, ୨୪।୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବୋରା ଗ୍ରାମ ନିକଟରେ ଘଟିଥିବା ମର୍ମନ୍ତୁଦ ବାଇକ୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବିରିକୋଟ ଗ୍ରାମର ବଲେଶ୍ୱର ନାଏକଙ୍କ ମୃତ୍ୟୁ ଘଟିଛି। ଗତ ୧୮ ତାରିଖରୁ ମେଡିକାଲରେ ଜୀବନ-ମରଣ ସହ ସଂଘର୍ଷ କରିବା ପରେ ମଙ୍ଗଳବାର ସକାଳ ୮ଟା ସମୟରେ ଭବାନୀପାଟଣାସ୍ଥିତ ବାଲାଜୀ ନର୍ସିଂ ହୋମରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ୧୮ ତାରିଖରେ କୋଷାବୋରା ଗ୍ରାମର ଗୋଦରା ମସ୍କା ତେନ୍ତୁଳି ଗଛ ଓ ମଶାଣି ବୁଲାଣିଆ ନିକଟରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ବାଗଡିଆଣି ଗ୍ରାମର ଯୁବ ଆଇନଜୀବୀ ତୁଳସୀରାମ ମାଝୀ (୨୬)ଙ୍କ ମୃତ୍ୟୁ ଘଟିଥିବା ବେଳେ ବଲେଶ୍ୱର ନାଏକ ଏବଂ ହଳଧର ମାଝୀ ଗୁରୁତର ଭାବେ ଆହତ ହୋଇଥିଲେ।
ଅତି ସଙ୍କଟାପନ୍ନ ଅବସ୍ଥାରେ ବଲେଶ୍ୱରଙ୍କୁ ଉଦ୍ଧାର କରାଯାଇ ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ବୁର୍ଲା ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ ମଧ୍ୟ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ନିଆଯାଇପାରିନଥିଲା। ଫଳରେ ଭବାନୀପାଟଣାସ୍ଥିତ ବାଲାଜୀ ନର୍ସିଂ ହୋମରେ ରଖି ତାଙ୍କର ଚିକିତ୍ସା ଚାଲିଥିଲା, ଯେଉଁଠାରେ ମଙ୍ଗଳବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା।
ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ କରାଯାଇ ସନ୍ଧ୍ୟା ୬ଟା ସମୟରେ ମୃତଦେହକୁ ନିଜ ଗ୍ରାମ ବିରିକୋଟକୁ ଅଣାଯାଇଥିଲା ଏବଂ ସେଠାରେ ଶୋକାକୂଳ ପରିବେଶ ମଧ୍ୟରେ ଶବ ସତ୍କାର ସମ୍ପନ୍ନ ହୋଇଛି। ଗୋଟିଏ ଦୁର୍ଘଟଣାରେ ଯୁବ ଆଇନଜୀବୀ ତୁଳସୀରାମ ମାଝୀ ଏବଂ ବଲେଶ୍ୱର ନାଏକଙ୍କ ଅକାଳ ବିୟୋଗରେ ବିରିକୋଟ ସମେତ ସମଗ୍ର ଥୁଆମୂଳ ରାମପୁର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ଅଞ୍ଚଳବାସୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଦିବଂଗତ ଆତ୍ମାର ସଦଗତି କାମନା କରିଛନ୍ତି।