କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀଙ୍କ ଭିଡ଼ ବଢ଼ିବା ସହ ବେଡ୍ ଅଭାବରୁ ରୋଗୀ ତଳେ ଶୋଇ ଚିକିତ୍ସିତ ହେଉଥିବା ଅଭିଯୋଗ ହୋଇଛି । ଅଭିଭକ୍ତ କୋରାପୁଟ ଜିଲା ସମେତ ପଡ଼ୋଶୀ ଅଞ୍ଚଳରୁ ପ୍ରତିଦିନ ଶହ ଶହ ରୋଗୀ ଏଠାକୁ ଆସୁଥିବାରୁ ସ୍ଥିତି ଅଧିକ ଜଟିଳ ହୋଇଛି । ଏଭଳି ଅବ୍ୟବସ୍ଥା ନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବୁଧବାର ମେଡିକାଲ ପରିଦର୍ଶନ କରି ଅସନ୍ତୋଷ ପ୍ରକାଶ କରିଛନ୍ତି।
ପରିଦର୍ଶନ ସମୟରେ ସେ ରୋଗୀ ଓ ସମ୍ପର୍କୀୟଙ୍କ ସହ ଆଲୋଚନା କରି ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । କାଡାମଙ୍କ ଅଭିଯୋଗ ଅନୁଯାୟୀ, ନୂଆ କୋଠାର ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍କୁ ନେଇ ସମସ୍ୟା ରହିଛି। ଏଥିସହ ମେଡିକାଲକୁ ଯିବା ପାଇଁ ଆବଶ୍ୟକ ରାସ୍ତା ମଧ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ନୂଆ କୋଠା ନିର୍ମାଣ ହୋଇଥିଲେ ମଧ୍ୟ ଏହା ରୋଗୀଙ୍କ କାମରେ ନ ଆସିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ତୁରନ୍ତ ଅଗ୍ନି ନିରାପତ୍ତା ସମସ୍ୟା ସମାଧାନ କରି ଆବଶ୍ୟକ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ କରିବା ସହ ନୂଆ ମେଡିକାଲକୁ କାର୍ଯ୍ୟକ୍ଷମ କରାଯାଉ । ଏଥିସହ ରୋଗୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି କାଡାମ ଦାବି କରିଛନ୍ତି ।