କୋରାପୁଟ ଲୋକସଭା ଆସନ: ୩ ଆଶାୟୀଙ୍କ ମଧ୍ୟରୁ କାଳୀରାମଙ୍କ ଉପରେ ଆସ୍ଥା ପ୍ରକଟ କଲା ଭାଜପା

ରାୟଗଡ଼ା,୨୪।୩(ଆଶିଷ ରଞ୍ଜନ ପଣ୍ଡା)-ପଞ୍ଚମ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାଜପା। କୋରାପୁଟରୁ ଜଣେ ମହିଳାଙ୍କ ସମେତ ୩ ପ୍ରମୁଖ ଆଶାୟୀ ରହିଥିବା ବେଳେ ଭାଜପା ଜାତୀୟ ଆଦିବାସୀ ମୋର୍ଚ୍ଚା ସମ୍ପାଦକ କାଳୀରାମ ମାଝୀଙ୍କ ଉପରେ ଆସ୍ଥା ପ୍ରକଟ କରିଛି। କାଳୀରାମଙ୍କୁ କୋରାପୁଟ ଲୋକ ସଭା ଆସନ ପ୍ରାର୍ଥୀ ଘୋଷଣା କରିଛନ୍ତି କେନ୍ଦ୍ରୀୟ କମିଟି।

ଏହି ଘୋଷଣା ପରେ କାଳିରାମ ଭାଜପା କେନ୍ଦ୍ରୀୟ ସଭାପତି ଜେପି ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମନ୍ତ୍ରୀ ଅମିତ ଶାହା, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଉଭୟ କୋରାପୁଟ ଏବଂ ରାୟଗଡ଼ା ଜିଲା ସଭାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କାଳିରାମ ପୂର୍ବରୁ ୨୦୦୯ରେ ରାୟଗଡ଼ା ବିଧାନ ସଭା ଆସନ ପାଇଁ ଭାଜପାରୁ ପ୍ରାର୍ଥୀ ହୋଇ ୭୮୯୦ ଭୋଟ ପାଇ ଚତୁର୍ଥ ସ୍ଥାନରେ ଏବଂ ୨୦୧୪ ରେ ୧୭୩୫୬ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ତେବେ ସେ ଜାତୀୟସ୍ତରରେ ଆଦିବାସୀ ମୋର୍ଚ୍ଚାର ସମ୍ପାଦକ ରହିବା ସହିତ କୋରାପୁଟ ଲୋକ ସଭା କ୍ଷେତ୍ରରେ ଭାଜପା ଦଳର ସଂଗଠନକୁ ସୁଦୃଢ଼ କରିଥିବାରୁ ଦଳ ଆସ୍ଥା ପ୍ରକଟ କରି ଲୋକସଭା ପାଇଁ ଟିକେଟ ଦେଇଥିବା କର୍ମୀ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

ଆଗାମୀ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କୋରାପୁଟ ଲୋକ ସଭା ଆସନରେ ଭାଜପା ଭଲ ପ୍ରଦର୍ଶନ କରିବ ବୋଲି କାଳୀରାମ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଦିନକୁ ଦିନ ଅଞ୍ଚଳରେ ଭାଜପାର ସମର୍ଥକ ସଂଖ୍ୟା ବଢ଼ିବାରେ ଲାଗିଛି।