ବାତ୍ୟା ମୁକାବିଲା ପାଇଁ କୋରାପୁଟ ପ୍ରଶାସନ ପ୍ରସ୍ତୁତ:  ୧୬ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଉପରେ ରହିଛି ନଜର…

କୋରାପୁଟ,୧୯ା୧୧(ଅମିତାଭ ବେହେରା ) ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’କୁ ନେଇ ସଜାଗ ହୋଇଛି କୋରାପୁଟ ଜିଲା ପ୍ରଶାସନ। ବାତ୍ୟା ମୁକାବିଲା, ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଏ ନେଇ ଗୁରୁବାର ଜିଲାପାଳ ମନୋଜ ସତ୍ୟଓ୍ବାନ୍‌  ମହାଜନଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଜରୁରୀକାଳୀନ ସମୀକ୍ଷା ବୈଠକ ହୋଇଥିଲା।ଜିଲାର ପାଞ୍ଚଟି ବ୍ଲକ୍‌ରେ ମୋଟ ୨୦୮ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ବୋରିଗୁମ୍ମାରେ ୩୨, ଜୟପୁରରେ ୧୧୩, କୋରାପୁଟରେ ୧୨, ନାରାୟଣପାଟଣାରେ ୨୩ ଓ ବନ୍ଧୁଗାଁରେ ୨୮ଟି ଆଶ୍ରୟସ୍ଥଳୀ ରହିଛି। ସେଠାରେ ପାନୀୟ ଜଳ, ଶୁଖିଲା ଖାଦ୍ୟ, ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଛି। ଜିଲାର ୧୬ଟି ସମ୍ଭାବ୍ୟ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଓ ନିମ୍ନାଞ୍ଚଳ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। କୁନ୍ଦ୍ରା ଓ କୋଟପାଡ଼ ଅଞ୍ଚଳରେ  ଲୋକଙ୍କ ସ୍ଥାନାନ୍ତରଣ ଆରମ୍ଭ ହୋଇଥିବାବେଳେ ନାରାୟଣପାଟଣା ଓ ଲକ୍ଷ୍ମୀପୁରର ଭୂସ୍ଖଳନ ପ୍ରବଣ ଗ୍ରାମଗୁଡ଼ିକ ଉପରେ ମଧ୍ୟ ନଜର ରଖାଯାଇଛି। ଜରୁରୀକାଳୀନ ଉଦ୍ଧାର ପାଇଁ ଜେସିବି, ଟ୍ରାକ୍ଟର ଓ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଛି।
ସେହିପରି ପୌରାଞ୍ଚଳଗୁଡ଼ିକରେ ଡ୍ରେନ୍‌ ସଫେଇ, ଗଛର ଡାଳ କାଟିବା ଓ ରାସ୍ତା ଅବରୋଧ ହଟାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ସ୍ୱାସ୍ଥ୍ୟ, ଯୋଗାଣ, ପାନୀୟ ଜଳ ଓ ବିଦ୍ୟୁତ୍‌ ବିଭାଗକୁ ସମନ୍ୱୟ ରଖି କାମ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ ଜିଲାର ୮୪ ଗ୍ରାମର ମୋଟ ୨୦ହଜାର ୫୩୨ ଜଣଙ୍କୁ ବିଭିନ୍ନ ଆଶ୍ରୟ ସ୍ଥଳକୁ ଅଣାଯିବାକୁ ଜିଲା ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ରଖିଥିବାବେଳେ ବର୍ତ୍ତମାନ ସୁଧା ୨ ହଜାର ୪୬୪ ଜଣଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇ ସେମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଥିବା ଏଡିଏମ ତପନ କୁମାର ନାୟକ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଆକୱାନ ପ୍ରଭାବରୁ ଜିଲାର ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ଜାରି ରହିଛି। ଜନସାଧାରଣ ଆତଙ୍କିତ ନ ହୋଇ ପ୍ରଶାସନର ସତର୍କତା ଓ ପରାମର୍ଶ ପାଳନ କରିବା ସହ ଆବଶ୍ୟକସ୍ଥଳେ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଯିବାକୁ ପ୍ରଶାସନ ଅନୁରୋଧ କରାଯାଇଛି।
Dharitri – Odisha’s No.1 Odia Daily

Share