Categories: ଖେଳ

ଫର୍ମ ଫେରିବା ସଙ୍କେତ ଦେଲେ କୋହଲି

କେପ୍‌ ଟାଉନ,୧୩।୧: ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ଫର୍ମକୁ ଫେରିଥିବା ସଙ୍କେତ ଦେଇଛନ୍ତି। ପ୍ରଥମ ଇନିଂସରେ ୨୦୧ ବଲ ଖେଳି ୭୯ ରନ୍‌ ଖେଳିଥିବା ୩୩ ବର୍ଷୀୟ ବ୍ୟାଟର ଦ୍ବିତୀୟ ପାଳିରେ ଏପର୍ଯ୍ୟନ୍ତ ୨୮ ରନ୍‌ କରି ଅପରାଜିତ ଅଛନ୍ତି। ରନ୍‌ ଅଧିକ କରି ନ ଥିଲେ ମଧ୍ୟ ସେ ୧୨୭ ବଲର ସମ୍ମୁଖୀନ ହୋଇଛନ୍ତି। ପ୍ରାୟ ୪ ବର୍ଷ ପରେ ଉଭୟ ଇନିଂସରେ ୧୦୦ରୁ ଊର୍ଦ୍ଧ୍ୱ ବଲ ଖେଳିବାକୁ ସକ୍ଷମ ହୋଇଛନ୍ତି କୋହଲି। ଅନ୍ତିମ ଥର ୨୦୧୮ରେ ସେ ଗୋଟିଏ ଟେଷ୍ଟର ଉଭୟ ଇନିଂସରେ ଶହେରୁ ଅଧିକ ବଲ ଖେଳିଥିଲେ।

ତେବେ ତୃତୀୟ ଦିନର ପ୍ରଥମ ସେସନ ଶେଷ ସୁଦ୍ଧା ଭାରତ ୪ ଉଇକେଟ ହରାଇ ୧୩୦ ରନ୍‌ କରିଛି। ଫଳରେ କୋହଲିଙ୍କ ନେତୃତ୍ୱାଧୀନ ଦଳ ଏବେ ୧୪୩ ରନ୍‌ରେ ଆଗୁଆ ଥିବା ବେଳେ ହାତରେ ଆହୁରି ଅଛି ୬ ଉଇକେଟ। କୋହଲିଙ୍କ ସହ ରିଷଭ ପନ୍ତ (୫୧) କ୍ରିଜ୍‌ରେ ଅଛନ୍ତି।

Share