ପ୍ରେମିକ ଅନ୍ୟତ୍ର ବିବାହ କରୁଥିବାରୁ ଥାନାରେ ଏମିତି କଲେ ପ୍ରେମିକା

ଭୁବନେଶ୍ୱର,୨୮।୨: କମିଶନରେଟ ପୋଲିସ ଅଧୀନ ବାଲିପାଟଣା ଥାନା ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକ ଜଣକ ଅନ୍ୟତ୍ର ବିବାହ କରୁଥିବା ଖବର ପାଇ ପ୍ରେମିକା ଜଣକ ଥାନାକୁ ଆସି ବିଷ ପିଇଦେଇଥିବା ଜଣାପଡ଼ିଛି। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ, ଜଣେ ୨୪ ବର୍ଷିୟା ଯୁବତୀଙ୍କ ସହ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ସହ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ରହିଥିଲା। ଏପରି କି ଯୁବକ ଜଣକ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଯୁବତୀଙ୍କ ମା’ ଅଭିଯୋଗ କରିଛନ୍ତି। ହେଲେ ଯୁବକ ଜଣକ ଅନ୍ୟତ୍ର ବିବାହ କରୁଥିବା ଯୁବତୀ ଶୁଣିବାକୁ ପାଇଥିଲେ। ଏନେଇ ରବିବାର ସକାଳେ ବାପା ମା’ଙ୍କ ସହ ଯୁବତୀ ଜଣକ ଥାନାକୁ ଆସିଥିଲେ। ସେତିକିବେଳେ ଯୁବତୀ ଜଣକ ପାଖରେ ଲୁଚେଇ ରଖିଥିବା ବିଷ ପିଇ ଦେଇଥିଲେ। ପୋଲିସ ତାଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରତର ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଅଧିକାରୀ ରାଧାକାନ୍ତ ସାହୁ କହିଛନ୍ତି। ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।