Posted inଫୁରସତ

ଏକ ଉଦ୍ଦାମ ଅଭିଯାନର ଅନ୍ୟନାମ : ଲକ୍ଷ୍ମଣ

ଲକ୍ଷ୍ମଣ ମିଶ୍ର ଏକ ଅଭିଯାନର ନାମ, କୈଶୋରରୁ ଉଦ୍ଦାମ ଅଭିଯାନ ଆରମ୍ଭକରି ଜୀବନର କଣ୍ଟକିତ ପଥରେ ରକ୍ତଝରା ପାଦରେ ଦୁର୍ବାର ଭାବରେ ଚାଲିପାରିବାର ଏକ ପ୍ରତିଶବ୍ଦ। ଢେଙ୍କାନାଳର ଭୁବନ ଗାଁରୁ ଅବିଭାଜିତ ଭାରତ ପରେ ପୂର୍ବ ପାକିସ୍ତାନର ଅଧୁନା ବାଂଲାଦେଶର ଆଦିଲପୁର ଯାଇ ସେଠାରେ ସ୍ଥିତି ସୁଦୃଢ଼ କରିପାରିବାର ଏକ ତାରୁଣ୍ୟମୟ ଆସ୍ଫାଳନ ସେ । ତାଙ୍କ ଆତ୍ମଜୀବନୀ ‘ଯାତ୍ରାପଥେ’ ଏକ ସାଧାରଣ ମଣିଷର ଅସାଧାରଣ ପରାକ୍ରମର ପଦଚିହ୍ନ। ସେହି ଲକ୍ଷ୍ମଣ ମିଶ୍ର ଜନ୍ମ ହୁଅନ୍ତି ଭୁବନ ଗାଁରେ ଜାନୁୟାରୀ ୧୯, ୧୯୨୮ ମସିହାରେ । ପିଲାଦିନୁ ସେ ସାଉଁଟିଥିବା ସଫଳତା ଆନନ୍ଦ କି ସନ୍ତୁଷ୍ଟି ଦେଇପାରୁ ନ ଥିଲା ଶକ୍ତ ଶାସନରେ ବିଶ୍ୱାସ କରୁଥିବା ତାଙ୍କ ଆୟୁର୍ବେଦିକ ଡାକ୍ତର ପିତା ହୃଦାନନ୍ଦ ମିଶ୍ରଙ୍କୁ । ସାଧାରଣ ଚଳଣି ଜାଣି ନଥିବା ଲକ୍ଷ୍ମଣ ଛାତ୍ରାବାସରେ ରହି ଅଷ୍ଟମ ଶ୍ରେଣୀରେ କିପରି ଅଧ୍ୟୟନ କରିବେ ଏମିତି କିଛି ପ୍ରଶ୍ନ ଉଠାଇଥିଲେ ତାଙ୍କ ବାପା ଯେତେବେଳକୁ ମେଧାବୀ ଲକ୍ଷ୍ମଣଙ୍କ ଅଧିକରୁ ଅଧିକ ପାଠପଢ଼ା ପାଇଁ ଥିଲା ପ୍ରଭୂତ ଆଗ୍ରହ ।

ବାପାଙ୍କ ତାଡନା କିନ୍ତୁ ତାଙ୍କ କିଶୋର ପ୍ରାଣରେ ସୃଷ୍ଟି କରିଥିଲା ଆହ୍ବାନ । କୈଶୋରର ଉଦ୍ଦାମ ସ୍ପନ୍ଦନ ତାଙ୍କ ଭିତରେ ପ୍ରେରଣା ଦିଏ କିଛି କରିବାକୁ ତ ଅଜଣାର ଆକର୍ଷଣରେ ବସି ପଡ଼ନ୍ତି ସେ କଲିକତାଗାମୀ ରେଳଗାଡ଼ିରେ । ଯେତେବେଳେ ସାରା ବିଶ୍ୱ ଦ୍ୱିତୀୟ ବିଶ୍ବଯୁଦ୍ଧର ଆତଙ୍କରେ ଥରହର ସେତେବେଳେ ତାଙ୍କୁ ଆକର୍ଷିନିଏ ମହା ଜୀବନର ଡାକରା । ମାୟାନଗରୀ କଲିକତା ଦେଇ ବଙ୍କିମଚନ୍ଦ୍ରଙ୍କର ସୁଜଳା ସୁଫଳା ବଙ୍ଗଭୂମିରେ ସେ ଓହ୍ଲାନ୍ତି ଜଶୋର ଜିଲାର ତାଳତୋଳା ଷ୍ଟେଶନରେ। ସେତେବେଳକୁ ୧୯୪୩ର ଦୁର୍ଭିକ୍ଷରେ ଛାରଖାର ବଙ୍ଗ ଆସ୍ତେ ଶ୍ୱାସ ଗ୍ରହଣ କରିବା ଆରମ୍ଭ କରିଥାଏ। ଜଣେ ଆଶ୍ରୟଦାତାଙ୍କ ସହାୟତାରେ ଯାଆନ୍ତି ଆଦିଲପୁର । ସେଇଠି ରୁହନ୍ତି । ଚିତ୍ର ଆଙ୍କନ୍ତି । ସ୍କୁଲରେ ନାମ ଲେଖାନ୍ତି ଓ କରନ୍ତି କେତେ କ’ଣ ।

ଭୈରବ ନଈକୂଳର ସେହି ଗାଁରେ ଭଲ ଛାତ୍ର ହିସାବରେ ତାଙ୍କର ନାଁ ହୁଏ । ଅଳ୍ପ ଦିନରେ ଶିଖିଯାନ୍ତି ବଙ୍ଗଳା ଭାଷା । କେଉଁ ଜମିଦାର ଘରେ ପୂଜାପାଠ କରନ୍ତି ତ କାହା ଘରେ ରୋଷେଇ । ହିନ୍ଦୁ ମୁସଲମାନ ସମସ୍ତଙ୍କ ମେଳରେ ପ୍ରିୟ ହୋଇଉଠନ୍ତି ଏହି ଲକ୍ଷ୍ମଣ ଠାକୁର । ସ୍ନେହୀ, ସଦାଚାରୀ, ଅଧ୍ୟବସାୟୀ ଲକ୍ଷଣଙ୍କୁ ମିଳିଯାଏ ଅଯାଚିତ ସ୍ନେହ । ଜଣଙ୍କ ଘରୁ ଆର୍ଥିକ ସହାୟତା ନେଇ ସେହି ପ୍ରବାସରେ ସେ ନିଜେ ଖୋଲନ୍ତି ଦୋକାନ । ମୁଢ଼ି, ବିସ୍କୁଟଠାରୁ ଆରମ୍ଭକରି ରନ୍ଧାଖାଦ୍ୟ ବିକ୍ରି କରିବାର ଦାୟିତ୍ୱ ନିର୍ବାହ କରନ୍ତି ।

ଦୋକାନ ବ୍ୟବସାୟ ସହିତ ପାଠପଢ଼ା ଚାଲେ । ଶିକ୍ଷକମାନେ ତାଙ୍କ ଭଳି ମେଧାବୀଙ୍କୁ ଦୋକାନ ନ କରିବାକୁ ପରାମର୍ଶ ଦିଅନ୍ତି କିନ୍ତୁ ସେ ଯେ ସ୍ବାଧୀନଚେତା । ଦୋକାନରେ କାମ ତାଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି କରିପାରେ ନାହିଁ । ତା’ପରେ ଆସେ ଭାରତୀୟ ସ୍ବାଧୀନତା ସଂଗ୍ରାମର ଅନ୍ତିମ କ୍ଷଣ । ୧୯୪୬ ଅଗଷ୍ଟ ୧୬ରେ ପାକିସ୍ତାନର ହିନ୍ଦୁମାରଣ । ଆଦିଲପୁରକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତି ଲକ୍ଷ୍ମଣ ଓ ତାଙ୍କ ବନ୍ଧୁମାନେ ଶାନ୍ତିସେନା ଗଠନ କରି । ଧୀରେଧୀରେ କଲିକତାରେ ଉଭୟ ପକ୍ଷ ମଧ୍ୟରେ ଦଙ୍ଗା ଚାଲେ । ପ୍ରଭାବ ବ୍ୟାପିଯାଏ ଗାଁକୁ ଗାଁ । ଆଦିଲପୁର ଭଳି ଜାଗାରେ ମୁସଲମାନମାନେ ତାଙ୍କୁ ହିନ୍ଦୁଙ୍କ ଖବରଦାତା ଭାବେ ସନ୍ଦେହ କରି ଆକ୍ରମଣ କରନ୍ତି । ତାଙ୍କ ଦୋକାନ ଲୁଣ୍ଠନ କରିବା ପାଇଁ ଆସନ୍ତି ରାତିରେ । କିନ୍ତୁ ସାହସ ଏବଂ ବୁଦ୍ଧିମତ୍ତାର ସହ ସେ ସେମାନଙ୍କୁ ଆପଣାର କରିନିଅନ୍ତି । ବିପଦ ଟଳିଯାଏ ହେଲେ ଜଶୋର ଓ ଖୁଲନା ଅଞ୍ଚଳ ପାକିସ୍ତାନ ହାବୁଡ଼ରେ ପଡେ । ଆରମ୍ଭ ହୁଏ ହିନ୍ଦୁମାନଙ୍କ ପଳାୟନ ।

ଏକଦା କଂଗ୍ରେସ ରାଜନୀତିରେ ବିଶ୍ୱାସୀ ଲକ୍ଷ୍ମଣ ସାମ୍ୟବାଦୀ ରାଜନୀତି ଆଡକୁ ଢଳନ୍ତି । ସେହି ଦୁଃସମୟରେ ମଧ୍ୟ ସେଠାକାର ବିବିଏନ ହାଇସ୍କୁଲରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ସମାପ୍ତ କରନ୍ତି । ପରୀକ୍ଷା କିନ୍ତୁ ଦେବାକୁ ପଡେ କଲିକତାରେ । ଦୋକାନ ସମେତ ଆପଣାର ସମସ୍ତ ଅର୍ଜନକୁ ବନ୍ଧୁମାନଙ୍କ ଭିତରେ ବାଣ୍ଟି ଦେଇ ସେ ଫେରି ଆସନ୍ତି କଲିକତା । ବିଭାଜନ ପରର ଦୁଃସ୍ଥିତି ଦେଖି ଭାଙ୍ଗିପଡନ୍ତି । ସ୍ବାଧୀନଚେତା ଲକ୍ଷ୍ମଣ କାହାର ସହାୟତା ନନେଇ ଭୋକଶୋଷରେ ବୁଲନ୍ତି କଲିକତା ମହାନଗରରେ ।

ଶେଷରେ ପୂର୍ବବଙ୍ଗରୁ ଆସିଥିବା ତାଙ୍କର ଏକ ବନ୍ଧୁ ପରିବାରର ସହାୟତାରେ ସେ ପାଠ ପଢ଼ନ୍ତି, ସ୍ନାତକ ହୁଅନ୍ତି ଓ ୧୯୪୮ମସିହାରେ କଲିକତାର ସଚିବାଳୟରେ ଚାକିରି ଜୀବନ ଆରମ୍ଭ କରନ୍ତି। ପୂର୍ବ ପାକିସ୍ତାନରୁ ଆଗତ ଶହ ଶହ ଶରଣାର୍ଥୀଙ୍କ ଥଇଥାନ ପାଇଁ ପ୍ରାଣମୂର୍ଚ୍ଛା ଲାଗିପଡନ୍ତି । ନିଜ ଦରମା ନିଃଶେଷ କରି ନିଜ ହାତରେ ରୋଷେଇ କରି ସେମାନଙ୍କ ପାଇଁ ଗଢ଼ନ୍ତି ଲାଲଗଡ଼ ଭଳି କଲୋନୀ । ସେତେବେଳକୁ ପୂର୍ବ ପାକସ୍ତାନରୁ ଆସିଥିବା ହିନ୍ଦୁ ଶରଣାର୍ଥୀମାନେ ପୋକମାଛି ପରି କଲିକତାର ରାସ୍ତାଘାଟରେ ସାଲୁବାଲୁ ହେଉଥାନ୍ତି । ସ୍ବାଧୀନ ଭାରତର ରାଜନେତାମାନେ ସେମାନଙ୍କର ସମସ୍ୟା ଅପେକ୍ଷା କ୍ଷମତାର ମହୁ ଚାଟିବାରେ ବ୍ୟସ୍ତ ଥାଆନ୍ତି । ଲକ୍ଷ୍ମଣ କିନ୍ତୁ ଅପନ୍ତରା ସନ୍ତସନ୍ତିଆ ଜାଗାରେ ସେମାନଙ୍କ ପାଇଁ ଝୁମ୍ପୁଡି ଗଢିବାରେ ବ୍ୟସ୍ତ ଥାଆନ୍ତି । ନିଜର ପରିଚିତ ପରିବାରଗୁଡିକୁ ଏକାଠି କରନ୍ତି । ସେମାନଙ୍କ ଭୋକପାଣିର ବ୍ୟବସ୍ଥା କରନ୍ତି ।
ସେମାନଙ୍କ ପିଲାଙ୍କୁ ପାଠ ପଢ଼ାଇ ଶିକ୍ଷିତ କରେଇବାକୁ ଚେଷ୍ଟା କରନ୍ତି । ବ୍ୟକ୍ତିଗତ ସ୍ତରରେ ଏହି ଉଦ୍ୟମ ସୀମିତ ଓ ପ୍ରତୀକାତ୍ମକ ମନେ ହୋଇପାରେ ।

ହେଲେ ଏହାର ଗୁଣଗତ ମୂଲ୍ୟ ବହୁତ । ବିଭାଜନ ପରେ ସେ ମଧ୍ୟ ଥରେ ଦୁଇଥର ପୂର୍ବ ପାକିସ୍ତାନ ଯାଆନ୍ତି । ଜମିଦାର ପରିବାରର ଯେଉଁ ମହିଳା ତାଙ୍କୁ ଆତ୍ମୀୟର ସ୍ନେହ ଦେଇଥିଲେ ତାଙ୍କର ଶବ ସତ୍କାର ଓ କ୍ରିୟାକର୍ମ କରି ଫେରନ୍ତି । ମଝିରେ ଥରେ ଅଧେ ଆସନ୍ତି ନିଜ ଗାଁ ଭୁବନକୁ । ଶେଷରେ ୧୯୬୪ରେ ଓଡ଼ିଶାକୁ ଫେରି ଲକ୍ଷ୍ମୀଧର ମ୍ୟୁନିସିପାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରନ୍ତି । ଗରିବ ଓ ମେଧାବୀ ଛାତ୍ରଙ୍କୁ ନିଜ ଘରେ ରଖି ହାତରନ୍ଧା ଖୁଆଇ ପାଠପଢାନ୍ତି । ସ୍ବାଧୀନ ଭାରତର ଶିକ୍ଷିତ ଲୋକେ ହୁଏତ ଧୀରେ ଧୀରେ ଆତ୍ମପରାୟଣ ହୋଇ ଉଠୁଛନ୍ତି ହେଲେ ଲକ୍ଷ୍ମଣ ମିଶ୍ର ଶିକ୍ଷିତ ସମ୍ପ୍ରଦାୟ ଆଗରେ ଏକ ଉଦାହରଣ । ଜଣେ କପର୍ଦ୍ଦକଶୂନ୍ୟ କିଶୋର ଯିଏ ନିଷ୍ଠା ବଳରେ କେତେ କାମ କରିପାରେ ସେ ତା’ର ମାନଦଣ୍ଡ । ସେବା , କର୍ତ୍ତବ୍ୟ, ନିଷ୍ଠା ଏବଂ ସ୍ବାଭିମାନର ପ୍ରତୀକ ଲକ୍ଷ୍ମଣ ମିଶ୍ର ଆମ ପାଇଁ ସର୍ବକାଳୀନ ପ୍ରେରଣା ହୋଇ ରହିବେ ନିଶ୍ଚୟ ।

-ମାନମୟୀ ରଥ
ସେଣ୍ଟ ଜାଭିୟର୍ସ କିଡ୍ସ, ବାଲିପୁଟ, ପୁରୀ
ମୋ:୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ହିମସ୍ଖଳନ ପରେ ଟ୍ରେନ ଦୁର୍ଘଟଣା, ଅନେକେ ଆହତ

ଗପ୍ପେନଷ୍ଟାଇନ,୧୬।୨: ସୋମବାର ଦକ୍ଷିଣ ସ୍ବିଜରଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗପ୍ପେନଷ୍ଟାଇନ ଗାଁ ନିକଟରେ ହିମସ୍ଖଳନ ପରେ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri