କେସିଙ୍ଗା,୧୦।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଞ୍ଚଳରେ ଗୁରୁବାର ମଧ୍ୟରାତ୍ରିରୁ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବିଜୁଳି ଯୋଗୁ ସମଗ୍ର ଅଞ୍ଚଳ ଅନ୍ଧକାରମୟ ହୋଇପଡ଼ିଛି। ଲଗାଣ ବର୍ଷା ଯୋଗୁ ବିଶେଷକରି ଗ୍ରାମାଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଘରୁ ବାହାରିବା ମଧ୍ୟ ଲୋକଙ୍କ ପାଇଁ ମୁସ୍କିଲ ହୋଇପଡ଼ିଛି।
ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଗ୍ରାମର ରାସ୍ତାରେ ଆଣ୍ଠୁଏ ପାଣି ବହୁଛି। ଫଳରେ ଗମନାଗମନରେ ବାଧା ସୃଷ୍ଟି ହୋଇଛି। କେସିଙ୍ଗା ବ୍ଲକର ବାଲସି ଗ୍ରାମର ମୁଖ୍ୟ ରାସ୍ତାରେ ମଧ୍ୟ ଆଣ୍ଠୁଏ ପାଣି ପ୍ରବାହିତ ହେଉଥିବା ଜଣାପଡ଼ିଛି।
ଏହି ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଚଳିତ ବର୍ଷ ପ୍ରାୟ ୯ ହଜାର ହେକ୍ଟର ଜମିରେ ଧାନ ଏବଂ ୧୦ ହଜାର ହେକ୍ଟର ଜମିରେ କପା ଚାଷ କରାଯାଇଛି। ବର୍ତ୍ତମାନ କପା ଗଛଗୁଡ଼ିକ ୨ରୁ ୩ ଫୁଟ ଉଚ୍ଚ ହୋଇଥିବା ବେଳେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ କପା ହୁଡ଼ା ଧୋଇଯିବା ଆଶଙ୍କା ଦେଖାଦେଇଛି। ଫଳରେ କପା ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି।
ସୂଚନା ଅନୁଯାୟୀ, କେସିଙ୍ଗା ବ୍ଲକରେ ୧୩.୬ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ନର୍ଲା ବ୍ଲକରେ ୪୯ ମିମି ଏବଂ ଲାଞ୍ଜିଗଡ଼ରେ ସର୍ବାଧିକ ୫୪ ମିମି ବର୍ଷା ହୋଇଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଏଭଳି ଭାବେ ଲଗାଣ ବର୍ଷା ଜାରି ରହିଲେ ଧାନ, କପା, କାନ୍ଦୁଲ ଓ ମକା ଆଦି ବିଭିନ୍ନ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ରାସ୍ତାଘାଟରେ ପାଣି ବଢ଼ିବାରେ ଲାଗିଥିବାରୁ ଗ୍ରାମାଞ୍ଚଳରେ ଯାତାୟାତ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
Dharitri – Odisha’s No.1 Odia Daily

