ଛୋଟ ସ୍କୋର ପରେ ବି ଶେଷ ପର୍ଯ୍ୟନ୍ତ ଲଢ଼ିଲା କେକେଆର୍‌

ମୁମ୍ବାଇ,୩୦।୩: ୧୨୮ ରନ୍‌ର ଛୋଟିଆ ସ୍କୋରରେ ଅଲଆଉଟ୍‌ ହେବା ପରେ ବି ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚ୍‌କୁ ଟାଣି ନେଇଥିଲା କୋଲକାତା ନାଇଟ୍‌ ରାଇଡର୍ସ। ଆରମ୍ଭରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ଉମେଶ ଯାଦବ ଏବଂ ଟିମ୍‌ ସୌଦିଙ୍କ ପେସ ଯୋଡ଼ି ୩ ଓଭରରେ ୩ ଝଟ୍‌କା ଦେଇଥିଲେ। ବାଙ୍ଗାଲୋର ୧୭ ରନ୍‌ ମଧ୍ୟରେ ୩ ଉଇକେଟ ହରାଇ ଅତ୍ୟନ୍ତ ସଙ୍କଟରେ ପଡ଼ିଥିଲା। ତା’ ପରେ ଡେଭିଡ୍‌ ଓ୍ବିଲି (୧୮) ଓ ଶେରଫାନେ ରଦରଫର୍ଡ (୨୮), ଶାହବାଜ ଅହମ୍ମଦ (୨୫) ଦଳୀୟ ସ୍କୋରକୁ ୧୦୦ ପାର ନେଇଥିଲେ। କିନ୍ତୁ ସୌଦି ଗୋଟିଏ ଓଭରରେ ଦୁଇ ଉଇକେଟ ନେଇ ବାଙ୍ଗାଲୋରକୁ ଠେଲି ଦେଇଥିଲେ ବ୍ୟାକ୍‌ ଫୁଟ୍‌କୁ। କିନ୍ତୁ ଦୀନେଶ କାର୍ତ୍ତିକ (୧୪) ଏବଂ ହର୍ଶଲ ପଟେଲ (୧୦) ଶେଷ ପର୍ଯ୍ୟନ୍ତ ରହି ଦଳକୁ ଜିତାଇଥିଲେ। ଆରସିବି ୧୯.୨ ଓଭରରେ ୭ ଉଇକେଟ କ୍ଷତିରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଏହି ବିଜୟ ସହ ବାଙ୍ଗାଲୋର ଚଳିତ ଆଇପିଏଲରେ ପଏଣ୍ଟ ଖାତା ଖୋଲିଛି।

କୋଲକାତା ପାଇଁ ସୌଦି ୩, ଉମେଶ ଦୁଇ ଉଇକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ଏବଂ ସୁନିଲ ନାରିନ ଗୋଟିଏ ଲେଖାଏ ଉଇକେଟ ହାତେଇଥିଲେ।

Share