କିଟ୍‌, କିସ୍‌ ମହିଳା କର୍ମଚାରୀଙ୍କୁ ମାଗଣାରେ କୋଭିଡ୍‌ ଟିକା ଦିଆଯିବ

ଭୁବନେଶ୍ୱର, ୧୦।୩(ବ୍ୟୁରୋ): କିଟ୍‌ ଅନୁଷ୍ଠାନ ସମୂହ ଓ କିସ୍‌ରେ କାର୍ଯ୍ୟରତ ସମସ୍ତ ମହିଳା କର୍ମଚାରୀଙ୍କୁ କିଟ୍‌ ପକ୍ଷରୁ ମାଗଣା କୋଭିଡ୍‌ ଟିକା ଯୋଗାଇ ଦିଆଯିବ। ଏ ନେଇ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସୋମବାର ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଘୋଷଣା କରିଛନ୍ତି। କିଟ୍‌ ଓ କିସ୍‌ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ନୂଆଦିଲ୍ଲୀରୁ ଭର୍ଚୁଆଲ ମୋଡ୍‌ରେ ଯୋଗଦେଇ କହିଥିଲେ, ମହିଳାମାନେ ଯେତେ ସଶକ୍ତ ହେବେ ସମାଜ, ରାଜ୍ୟ ଓ ଦେଶ ସେତେ ପ୍ରଗତି କରିବ। କିଟ୍‌ ଓ କିସ୍‌ର ଅଗ୍ରଗତିରେ ମହିଳା କର୍ମଚାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କିଟ୍‌ ଓ କିସ୍‌ରେ ମହିଳାଙ୍କୁ ଅଧିକ ନିଯୁକ୍ତି ସୁଯୋଗ ଦିଆଯିବାଠାରୁ ଆରମ୍ଭ କରି ଅନେକ ଉଚ୍ଚ ଓ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ ସମ୍ପାଦନ ପାଇଁ ସୁଯୋଗ ଦିଆଯାଇଛି। ଏହି ଅବସରରେ କିଟ୍‌, କିସ୍‌ ଓ କିମ୍ସର ସମସ୍ତ ମହିଳା କର୍ମଚାରୀଙ୍କୁ ମାଗଣା କରୋନା ଟିକା ଦିଆଯିବା ସହ ଏ ବାବଦ ସମସ୍ତ ଅର୍ଥ କିଟ୍‌ ବହନ କରିବ ବୋଲି ସାମନ୍ତ ଘୋଷଣା କରିଛନ୍ତି। ଏଥିସହ କିଟ୍‌ରେ ଏକ ମହିଳା ଫୋରମ୍‌ ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ସାଧାରଣ ସମ୍ପାଦକ ତଥା ଭାରତୀୟ ସ୍କାଉଟ୍‌ ଓ ଗାଇଡ୍‌ର ରାଷ୍ଟ୍ରୀୟ କମିଶନର-ରେଞ୍ଜର୍ସ ଡ. ପଙ୍କଜ ମିଲ ଯୋଗଦେଇ କହିଥିଲେ, ମହିଳାଙ୍କ ପାଇଁ ସ୍ବତନ୍ତ୍ର ସ୍କୁଲ୍‌, କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲାଯାଇଥିବାରୁ ଅଧିକ ସଂଖ୍ୟକ ଛାତ୍ରୀ ଶିକ୍ଷାଲାଭ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ମହିଳାଙ୍କୁ ସଶକ୍ତୀକରଣ କରିବା ପାଇଁ ସଚେତନତା ଆବଶ୍ୟକ ଏବଂ ସେମାନଙ୍କୁ ସୁଯୋଗ ଦିଆଗଲେ ଏହାର ସଦୁପଯୋଗ କରିପାରିବେ। କିଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ପ୍ରମୁଖ ମହିଳାଙ୍କୁ ଶିକ୍ଷା ଓ ଉପଯୁକ୍ତ ସୁଯୋଗ ତଥା ସତେଚନତା ଉପରେ ଗୁରୁତ୍ୱାରୋପ କରିଥିଲେ। ଶେଷରେ କିଟ୍‌ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ଧନ୍ୟବାଦ ଦେଇଥିଲେ।