ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର ସ୍ରୋତରେ ପହଁରୁଥିବା ତାଙ୍କ ଭିଡିଓକୁ ନେଇ କିଛି ୟୁଜର୍ସ ତାଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ତୁଳନା କରିଥିଲେ । ଏହାର ଜବାବ ଦେଇଛନ୍ତି ରିଜିଜୁ ।
କିରେନ ରିଜିଜୁ ନିଜ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିଲେ ଯେ, ଯଦି ଆପଣଙ୍କୁ ପହଁରିବା ଆସେ ନାହିଁ, ତେବେ କେବେ ମଧ୍ୟ ଗଭୀର ପାଣିକୁ ଯିବା ଉଚିତ ନୁହେଁ । ଅରୁଣାଚଳ ପ୍ରଦେଶର ନଦୀଗୁଡ଼ିକ ବହୁତ ବଡ଼ ଓ ଗଭୀର ବୋଲି ମଧ୍ୟ ସେ ଉଲ୍ଲେଖ କରିଥିଲେ। ଏହି ଭିଡିଓରେ ରିଜିଜୁଙ୍କୁ ନଦୀକୁ ଡେଇଁବା ପରେ ତୀବ୍ର ସ୍ରୋତରେ ପହଁରୁଥିବା ଦେଖିବାକୁ ମିଳୁଛି । ଭିଡିଓଟି ଦେଖି କିଛି ୟୁଜର୍ସ ତାଙ୍କୁ ରାହୁଲ ଗାନ୍ଧୀଙ୍କ ସହ ତୁଳନା କରିଥିଲେ। ଏହାର ଜବାବରେ ରିଜିଜୁ କହିଛନ୍ତି ଯେ, କିଛି ଲୋକ କହୁଛନ୍ତି ସେ ମଧ୍ୟ ରାହୁଲ ଗାନ୍ଧୀଙ୍କ ଭଳି କରୁଛନ୍ତି । ତେବେ ତାଙ୍କ ପାଇଁ ଏଭଳି କାର୍ଯ୍ୟ କୌଣସି ନୂଆ କଥା ନୁହେଁ, ବରଂ ଏହା ତାଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ବୋଲି ସେ କହିଛନ୍ତି।
Never go to deep water, if you do not know swimming. Many people have drowned in the river. The rivers in Arunachal Pradesh are huge and very deep. pic.twitter.com/ITrb8S3MzN
— Kiren Rijiju (@KirenRijiju) August 23, 2026
ରିଜିଜୁ କହିଛନ୍ତି, ରାହୁଲ ଗାନ୍ଧୀ ହୁଏତ ଏଭଳି କାର୍ଯ୍ୟକଳାପ ପାଇଁ ଟ୍ରେନିଂ ନେଉଥାଇପାରନ୍ତି, କିନ୍ତୁ ତାଙ୍କୁ ଏଥିପାଇଁ କୌଣସି ଟ୍ରେନିଂ ନେବାକୁ ପଡ଼ିନାହିଁ । ପିଲାଦିନରୁ ଏସବୁ ତାଙ୍କ ପାଇଁ ସହଜ ଏବଂ ଖେଳ ଭଳି ରହିଆସିଛି ବୋଲି ସେ ଦାବି କରିଛନ୍ତି। ସେ ଆହୁରି କହିଛନ୍ତି ଯେ ତାଙ୍କ ଜୀବନ ରୋମାଞ୍ଚଭରା ରହିଛି ଏବଂ ସେ ଏଠାକାର ଖେଳାଳି । ତାଙ୍କର ଏହି ଆଥଲେଟିକ୍ କାର୍ଯ୍ୟକଳାପକୁ ନେଇ ସୋସିଆଲ ମିଡିଆରେ ୟୁଜର୍ସମାନେ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ବିଶେଷକରି ରାହୁଲ ଗାନ୍ଧୀଙ୍କ ସହ ତୁଳନା କରାଯିବା ପରେ ରିଜିଜୁଙ୍କ ପ୍ରତିକ୍ରିୟା ଏବେ ଚର୍ଚ୍ଚାର ବିଷୟ ହୋଇଛି ।