Categories: ରାଜ୍ୟ

ବକେୟା ଟିକସ ଆଦାୟ କରିବେ କିନ୍ନର

ଭୁବନେଶ୍ୱର,୫ା୧(ବ୍ୟୁରୋ): କରୋନା ମହାମାରୀ ସମୟରେ ବିଏମ୍‌ସିର ରାଜସ୍ବ ହାନି ହୋଇଛି। ବହୁ କୋଟି ଟଙ୍କାର ଟିକସ ବାବଦ ଅର୍ଥ ବକେୟା ପଡ଼ିଛି। ତେବେ ଏହି ରାଜସ୍ବ ଆଦାୟ ପାଇଁ ବିଏମ୍‌ସି ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ବକେୟା ଟିକସ ଆଦାୟ କରିବାକୁ କିନ୍ନରମାନଙ୍କ ସହଯୋଗ ଲୋଡ଼ିଛି ବିଏମ୍‌ସି। କିନ୍ନରଙ୍କ ଦୁଇଟି ଗୋଷ୍ଠୀ ଆଦାୟ କରିବେ ୧୮ କୋଟି ଟଙ୍କାର ରାଜସ୍ବ ଆଦାୟ କରିବେ।

୧୮କୋଟି ହୋଲ୍ଡିଂ ଟ୍ୟାକ୍ସ ବକେୟା ପଡ଼ିଛି। ଏହି ଅର୍ଥ ଆଦାୟ କରିବାକୁ କିନ୍ନରଙ୍କୁ ଅନୁମତି ମିଳିବା ପରେ ସେମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ପୂର୍ବ ଭଳି ପୁଣି ସ୍ବୀକୃତି ଓ ପରିଚୟ ଭଳି ଦୁଇଟି କିନ୍ନର ଏସ୍‌ଏଚ୍‌ଜିଙ୍କ ସହିତ ବିଏମସି ଚୁକ୍ତି କରିଛି। ପ୍ରତ୍ୟେକ ଏସ୍‌ଏଚ୍‌ଜି ୯ କୋଟି ଲେଖାଏ ଆଦାୟ କରିବେ।

କରୋନା ପୂର୍ବରୁ ପ୍ରାୟ ସାଢ଼େ ୩କୋଟି ଟଙ୍କାର ବକେୟା ରାଜସ୍ବ ସଂଗ୍ରହ କରି ସଫଳତା ହାସଲ କରିଥିଲେ ଦୁଇଟି କିନ୍ନର ଗୋଷ୍ଠୀ । କେବଳ ଟିକସ ଆଦାୟ କ୍ଷେତ୍ରରେ ନୁହେଁ ବରଂ ପାର୍କିଂ ଆଦାୟ ଭଳି ଅନେକ କାର୍ଯ୍ୟ କିନ୍ନରଙ୍କୁ ସରକାର ଯୋଗାଇଛନ୍ତି। ଫଳରେ କିନ୍ନରଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାରେ ବେଶ ସହାୟକ ହୋଇପାରିଛି । ଯେଉଁଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ସମେତ ବିଏମସି କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି ଉଭୟ କିନ୍ନର ଗୋଷ୍ଠୀ। ବୁଧବାରଠାରୁ ଏହି ଟିକସ ଆଦାୟ କରାଯିବ।