କିନ୍ନର ମେଘନାଙ୍କ ସଂଘର୍ଷ କଥା କହିବ ‘ଟି’

ଭୁବନେଶ୍ୱର,୨୦।୧୧ (ବ୍ୟୁରୋ): ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକ ଦେଖିବାକୁ ପାଇବେ କିନ୍ନରଙ୍କ ସଂଘର୍ଷମୟ ଜୀବନ କାହାଣୀ। କିନ୍ନର ମେଘନା ସାହୁଙ୍କ ଜୀବନକୁ ନେଇ ପ୍ରସ୍ତୁତ ହେଉଛି ଚଳଚ୍ଚିତ୍ର ‘ଟି’। ମେଘନା କିଭଳି ଛୋଟବେଳୁ ଅବହେଳା ଓ ଘୃଣାର ଶିକାର ହୋଇଥିଲେ, କେଉଁ ପରିସ୍ଥିତିରେ ଭୁବନେଶ୍ୱର ଓ ଦିଲ୍ଲୀରେ ସେକ୍ସ ଓ୍ବାର୍କର ଭାବେ କାମ କରିଥିଲେ, ତାଙ୍କର ପ୍ରେମ କାହାଣୀ ସହ ଜୀବନରେ ଘଟିଥିବା ସମସ୍ତ ଘଟଣା ଅଘଟଣକୁ ଦର୍ଶକମାନେ ଏହି ଚଳଚ୍ଚିତ୍ର ମାଧ୍ୟମରେ ଦେଖିବାକୁ ପାଇବେ। ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ଏହା ରିଲିଜ୍‌ ହେବା ସହ ଶୁଟିଂ ମଧ୍ୟ କରାଯିବ ବୋଲି ଚଳଚ୍ଚିତ୍ର ନିର୍ଦ୍ଦେଶକ ଜିତେଶ କୁମାର ପରିଡ଼ା ଶୁକ୍ରବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ମେଘନାଙ୍କ ଚରିତ୍ରରେ ଅଭିନେତା ଦେବ ପରଦାକୁ ଆସୁଥିବାବେଳେ ଏଥିରେ ଅଭିନେତ୍ରୀ ଉଷସୀ ମିଶ୍ର କିନ୍ନର ମୀରା ପରିଡାଙ୍କ ଭୂମିକା ତୁଲାଇବେ। ଫିଲ୍ମକୁ କେବଳ ଓଡ଼ିଶା ନୁହେଁ, ବିଭିନ୍ନ ରାଜ୍ୟରେ ରିଲିଜ୍‌ କରାଇବାର ଯୋଜନା ରହିଛି। ଆସନ୍ତା ୨୧ରୁ ଫିଲ୍ମର ଶୁଟିଂ ଆରମ୍ଭ ହେବ। ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ହର ରଥ, ରଣବୀର, ପ୍ରସନ୍ନଜିତ୍‌ ଏବଂ ଅନ୍ୟମାନେ ରହିଛନ୍ତି। ଏହି ଅବସରରେ ଚଳଚ୍ଚିତ୍ରର ପୋଷ୍ଟର ଉନ୍ମୋଚିତ ହୋଇଥିଲା। ବୁଦ୍ଧମନ୍ଦିରଠାରେ ଆୟୋଜିତ ଏହି ସମ୍ମିଳନୀରେ ନିର୍ଦ୍ଦେଶକ ଜିତେଶ, ମୀରା ପରିଡା, ମେଘନା ମିଶ୍ର, ଚଳଚ୍ଚିତ୍ରର ଅଭିନେତାମାନେ ଉପସ୍ଥିତ ଥିଲେ।