ମୁରୁଜରେ ସ୍ବଚ୍ଛତା ବାର୍ତ୍ତା ଦେଲେ କିନ୍ନର

ଭୁବନେଶ୍ୱର,୩୦।୪(ବ୍ୟୁରୋ): ସ୍ବଚ୍ଛତା କ୍ଷେତ୍ରରେ ସ୍ମାର୍ଟସିଟି ଭୁବନେଶ୍ୱରକୁ ଶୀର୍ଷରେ ପହଞ୍ଚାଇବାକୁ ବିଏମ୍‌ସି ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ବଚ୍ଛ ସର୍ବେକ୍ଷଣ-୨୦୨୨ ଆଧାରରେ ସହରକୁ ସ୍ବଚ୍ଛ ରଖିବା ପାଇଁ କିନ୍ନର ସମ୍ପ୍ରଦାୟ ସହରବାସୀଙ୍କୁ ସଚେତନ କରିଛନ୍ତି। ଶୁକ୍ରବାର ବିଏମ୍‌ସି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ବଚ୍ଛତାର ବାର୍ତ୍ତା ଦିଆଯାଇଛି। ଡମଣାସ୍ଥିତ କିନ୍ନର ବସ୍ତିରେ ମୁରୁଜରେ ଭଳିକି ଭଳି ଚିତ୍ର ପ୍ରସ୍ତୁତ କରି ଲୋକଙ୍କୁ ସଚେତନ କରାଯାଇଛି। ଏଥିରେ ପ୍ରାୟ ୪୦ କିନ୍ନର ସାମିଲ ହୋଇଥିଲେ। ତେବେ ପ୍ରସ୍ତୁତ ଚିତ୍ରରେ ସ୍ବଚ୍ଛତାର ଗୁରୁତ୍ୱ ତଥା ପୃଥିବୀ ଉପରେ ଅସ୍ବଚ୍ଛତାର କୁପ୍ରଭାବ ସମ୍ପର୍କରେ ଦର୍ଶାଯାଇଥିଲା। ଏହାସହ ଜଳ ସଂରକ୍ଷଣ, ବୃକ୍ଷରୋପଣ, ପରସ୍ପର ମଧ୍ୟରେ ମୈତ୍ରୀ ଭାବ ପ୍ରଦର୍ଶନ, ଅଳିଆ ଡବା ବ୍ୟବହାର, ପଲିଥିନ ବ୍ୟବହାର ବର୍ଜନ ଆଦି ବିଷୟବସ୍ତୁକୁ ନେଇ ଚିତ୍ର ପ୍ରସ୍ତୁତ କରାଯାଇଥିଲା। କିନ୍ନର ସମ୍ପ୍ରଦାୟକୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ବିଏମ୍‌ସି ପକ୍ଷରୁ ବିଭିନ୍ନ ଯୋଜନାରେ ସୁଯୋଗ ଦିଆଯାଉଛି। ପାର୍କିଂ ଫି’ ଆଦାୟ, ଆବର୍ଜନା ପୃଥକୀକରଣ, ପାନୀୟ ଜଳ କିଓସ୍କ ପରିଚାଳନା ଆଦି ଦାୟିତ୍ୱ ପ୍ରଦାନ କରାଯାଇଛି।