ଦିଗପହଣ୍ଡି/ଚିକିଟି,୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ଗଡ଼ ବ୍ଲକ କାର୍ଯ୍ୟାଳୟ ନିକଟ ମା ‘ ରତ୍ନେଶ୍ଵରୀ ମନ୍ଦିରରୁ କିଙ୍ଗକୋବ୍ରା ଉଦ୍ଧାର କରାଯାଇଛି । ପ୍ରାୟ ୧୨ ଫୁଟ ଲମ୍ବର ଏକ ଅହିରାଜ ସାପକୁ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଦେଇଥିବା ଜଣାପଡିଛି ।
ଅହିରାଜ ସାପଟି ମନ୍ଦିର ପରିସରରେ ରହି ଗର୍ଜନ କରୁଥିବା ବେଳେ ସ୍ଥାନୀୟ କିଛି ବ୍ୟକ୍ତି ସାପଟିକୁ ପ୍ରଥମେ ଦେଖିଥିଲେ । ଖବର ପ୍ରଚାରିତ ହେବାପରେ ସାପ ଦେଖିବାକୁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ହୋଇଥିଲା। କିଛି ବ୍ୟକ୍ତି ଏନେଇ ଚିକିଟି ସ୍ନେକ ହେଲ୍ପଲାଇନ ସଦସ୍ୟ ଙ୍କୁ ଜଣାଇଥିଲେ। ସ୍ନେକ ହେଲ୍ପ ଲାଇନ ସଦସ୍ୟ ସେଠାରେ ପହଞ୍ଚି ସାପଟିକୁ ଧରିବାକୁ ଚେଷ୍ଟା କରିବା ବେଳେ ସାପଟି ମନ୍ଦିର ରୋଷଶାଳା ଭିତରକୁ ପଶି ଯାଇଥିଲା।
ବହୁ କଷ୍ଟରେ ସେଠାରୁ ଉଦ୍ଧାର କରିବା ବେଳେ ପୁଣି ସାପଟି ଖସିଯାଇ ମନ୍ଦିର ଗର୍ଭଗୃହ ମା’ଙ୍କ ଆସ୍ଥାନ ସ୍ଥଳ ଭିତରକୁ ଚାଲିଯାଇଥିଲା। ପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅତ୍ୟନ୍ତ ସନ୍ତର୍ପଣ ସହକାରେ ପୁରୁଷ ପ୍ରଜାତିର ଅହିରାଜ ( କିଙ୍ଗକୋବ୍ରା ) କୁ ଧରି ନିକଟସ୍ଥ ଜଙ୍ଗଲରେ ସୁରକ୍ଷିତ ଅବସ୍ଥାରେ ଛାଡି ଦେଇଥିବା ଜଣାପଡ଼ିଛି। ଅପରପକ୍ଷରେ ନିକଟସ୍ଥ ଜଙ୍ଗଲରୁ ଅହିରାଜ ସାପ ଗୁଡିକ ବାରମ୍ବାର ଜନବସତି ଅଞ୍ଚଳକୁ ଚାଲି ଆସୁଥିବାର କାରଣ ଜଣାପଡୁନାହିଁ। ପାହାଡ଼ରେ ବେଆଇନ ପଥର ବ୍ଲାଷ୍ଟିଂ ଏବଂ ବ୍ୟାପକ ଜଙ୍ଗଲ କ୍ଷୟ ଯୋଗୁଁ ଅହିରାଜ ସାପ ଗୁଡ଼ିକ ଜନବସତିକୁ ଚାଲି ଆସୁଥିବା ଜୀବ ବିଜ୍ଞାନୀମାନଙ୍କ ସହ ଆଲୋଚନାରୁ ଜଣାପଡ଼ିଛି ।