ରଙ୍ଗଖେଳରୁ ଯୁବକଙ୍କୁ ହତ୍ୟା: ୨ ବିଜେଡି ନେତା ଗିରଫ

କୁଚିଣ୍ଡା,୨୮ା୩(ବିରଞ୍ଚତ୍ ଦର୍କା)ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଉଚ୍ଚକାପାଟ ପଞ୍ଚାୟତ କେଛୁପାଣି(ହରିଜନପଡ଼ା)ଠାରେ ମଙ୍ଗଳବାର ହୋଲି ଅବସରରେ ରଙ୍ଗଖେଳରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ସେ ହେଲେ କେଛୁପାଣିର ଚିନ୍ମୟ ହାତୀ (୨୮)। ପୋଲିସ ହତ୍ୟା ଅଭିଯୋଗରେ ବାଉଁଶଲଗା ପଞ୍ଚାୟତ ବାଦପଡ଼ାର ବିଜେଡି ନେତା ମେଘନାଦ ଛତ୍ରିଆ (୩୫) ଓ ଉଚ୍ଚକାପାଟ ପଞ୍ଚାୟତ ବିଜେଡି ସଭାପତି କେଛୁପାଣିର ପ୍ରମୋଦ ମହାନନ୍ଦ (୨୯)ଙ୍କୁ ଗିରଫକରି ବୁଧବାର କୁଚିଣ୍ଡା ଏସ୍‌ଡିଜେଏମ୍‌ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ପୋଲିସ ହତ୍ୟାରେ ବ୍ୟବହୃତ ଛୁରି ଓ ଦୁଇଟି ମୋବାଇଲ ଫୋନ୍‌ ଜବତ କରିଛି। ମୃତକଙ୍କ ଭାଇ ପୁରୁଷୋତ୍ତମ ହାତୀ ଓରଫ ଭରତଙ୍କ ରିପୋର୍ଟ ଆଧାରରେ ପୋଲିସ ଗୋବିନ୍ଦପୁର ଥାନାରେ ଆଇପିସି ଧାରା ୩୪୧/୩୦୨/୩୦୭/୩୪ରେ ମାମଲା (ନଂ.୫୫/୨୪) ରୁଜୁକରି ତଦନ୍ତ ଚଳାଇଛି। ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସରକାରୀ ସହାୟତା ଦାବିରେ ଥାନା ସମ୍ମୁଖରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ବାମରା ତହସିଲଦାର ଦିଲୀପ କୁମାର ପ୍ରଧାନ, କୁଚିଣ୍ଡା ଏସ୍‌ଡିପିଓ ଅମିତାଭ ପଣ୍ଡା, ଗୋବିନ୍ଦପୁର ଆଇଆଇସି ରାଜେନ୍ଦ୍ର କୁମାର ବେହେରା, କୁଚିଣ୍ଡା ଆଇଆଇସି ଦିଲୀପ କୁମାର ସ୍ବାଇଁ, ମହୁଲପାଲି ଓଆଇସି ସୁମିତ ଫିରୋଜ ଏକ୍କା ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ମୃତକଙ୍କ ପରିବାରକୁ ରେଡ୍‌କ୍ରସ୍‌ ପାଣ୍ଠିରୁ ୧୦ହଜାର, ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଓ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨୦ହଜାର ଟଙ୍କା ସହାୟତା ପ୍ରତିଶ୍ରୁତି ଦିଆଯିବାରୁ ଲୋକେ ରାସ୍ତା ଅବରୋଧରୁ ହଟିଥିଲେ।
ଅଭିଯୋଗ ସୂଚନା ଅନୁଯାୟୀ ମଙ୍ଗଳବାର ହୋଲି ଅବସରରେ କେଛୁପାଣିର ଯୁବକମାନେ ନାଚଗୀତ ସହ ରଙ୍ଗ ଖେଳି ଉତ୍ସବ ପାଳନ କରୁଥିଲେ। ଏଥିରେ ବିଜେଡି ପଞ୍ଚାୟତ ସଭାପତି ପ୍ରମୋଦ ମହାନନ୍ଦ ଓ ଚିନ୍ମୟ ମଧ୍ୟ ସାମିଲ ହୋଇଥିଲେ। ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାଚଗୀତ ଚାଲିଥିଲା। ପ୍ରମୋଦ ନାଚଗୀତ ବନ୍ଦ କରିବାକୁ ଯୁବକମାନଙ୍କୁ କୁଆଡ଼େ ମନା କରିଥିଲେ। ଏହାକୁ ନେଇ ପ୍ରମୋଦଙ୍କ ସହ ଯୁବକମାନଙ୍କ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରମୋଦ ବାଦପଡ଼ାର ବିଜେଡି ନେତା ମେଘନାଦ ଛତ୍ରିଆଙ୍କୁ ଫୋନ୍‌ରେ ଡାକିଥିଲେ। ମେଘନାଦ ପହଞ୍ଚତ୍ ନାଚଗୀତ କରୁଥିବା ଯୁବକଙ୍କୁ ଧମକଚମକ ଦେଇଥିଲେ। ଯୁବକମାନେ ଏଥିରେ ରାଗିଯାଇ ତାଙ୍କୁ ଆକ୍ରମଣ କରିଥିଲେ। ପରେ ମେଘନାଦ ଏକ ଛୁରି ସାହାଯ୍ୟରେ ପ୍ରଥମେ ଦୀପକ ସୁନାନୀଙ୍କୁ ଆକ୍ରମଣ କରିଥିଲେ। ଏହା ଦେଖି ଚିନ୍ମୟ ଗହଳି ଭିତରକୁ ପଶି ଛଡ଼ାଇବାକୁ ଉଦ୍ୟମ କରିଥିଲେ। ମାତ୍ର ମେଘନାଦ ତାଙ୍କୁ ମଧ୍ୟ ଛୁରିରେ ଆକ୍ରମଣ କରିଥିଲେ। ଚିନ୍ମୟ ଗୁରୁତର ହୋଇ ତଳେ ପଡ଼ିଯିବା ଦେଖି ମେଘନାଦ ଓ ପ୍ରମୋଦ ସେଠାରୁ ଫେରାର ମାରିଥିଲେ। ଆହତ ଚିନ୍ମୟ ଓ ଦୀପକଙ୍କୁ ପରିବାର ଲୋକେ ପ୍ରଥମେ ଗୋବିନ୍ଦପୁର ମେଡିକାଲକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଉଭୟଙ୍କୁ ସୁନ୍ଦରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଚିନ୍ମୟଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତ ଦୀପକଙ୍କୁ ପରିବାର ଲୋକେ ରାଉରକେଲାର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଛନ୍ତି। ଘଟଣାକୁ ନେଇ କେଛୁପାଣିରେ ଚାପା ଉତ୍ତେଜନା ଲାଗିରହିଛି। ଘଟଣା ଉପରେ ପୋଲିସ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଥିବା ଏସ୍‌ଡିପିଓ ପଣ୍ଡା ପ୍ରକାଶ କରିଛନ୍ତି।