ଅଣ୍ଡା ତରକାରି ପାଇଁ ମା’ଙ୍କୁ ହତ୍ୟା

ଝାରସୁଗୁଡ଼ା ଅଫିସ,୨୩।୧୧: ଝାରସୁଗୁଡ଼ା ଜିଲା ସଦର ଥାନା ଅଧୀନ ଇବ୍‌ ଗ୍ରାମର ଜାମୁଆଁପାଲିରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ରାଜେନ୍ଦ୍ର ଭୋଏ (୨୭) ନାମକ ଯୁବକ ମା’ କୁମୁଦିନୀ ଭୋଏ(୫୫)ଙ୍କୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ମଙ୍ଗଳବାର ମୃତ ମହିଳାଙ୍କ ଦିଅର ହେମସାଗର ଭୋଏ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଆଇପିସି ଦଫା ୩୦୨ରେ ଏକ ମାମଲା (ନଂ.୨୦୮/୨୧) ରୁଜୁ କରିଛି। ଅଭିଯୁକ୍ତ ରାଜେନ୍ଦ୍ରଙ୍କୁ ପୋଲିସ ଗିରଫ କରି ଏକ ଧାରୁଆ ଅସ୍ତ୍ର ଜବତ କରିଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଖବରପାଇ ଏସ୍‌ଡିପିଓ ନିର୍ମଳ ମହାପାତ୍ର ଓ ଆଇଆଇସି ସୁଚିସ୍ମିତା ମହାନ୍ତି ସାଇଣ୍ଟିଫିକ୍‌ ଟିମ୍‌ ସହ ଗ୍ରାମରେ ତଦନ୍ତ କରି ଫେରିଛନ୍ତି।

ସୂଚନା ଅନୁଯାୟୀ ଅଭିଯୁକ୍ତ ରାଜେନ୍ଦ୍ର ଦିନମଜୁରିଆ ଭାବେ କାମ କରନ୍ତି। ସୋମବାର ସେ କାମ କରିବାକୁ ଯାଇ ସନ୍ଧ୍ୟାରେ ଅଣ୍ଡାଧରି ଘରକୁ ଫେରିଥିଲେ। ମା’ଙ୍କୁ ଅଣ୍ଡା ତରକାରି ରାନ୍ଧିବା ପାଇଁ କହିଥିଲେ। ହେଲେ ମା’ ଆଉ ରାନ୍ଧି ପାରିବି ନାହିଁ କାଲି ରାନ୍ଧିଦେବାକୁ କହିଥିଲେ। ଏତିକିରେ ରାଜେନ୍ଦ୍ର ଉତ୍‌କ୍ଷିପ୍ତ ହୋଇ ଘରେ ଥିବା ଏକ ଧାରୁଆ ଅସ୍ତ୍ରରେ ମା’ଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।