ମୋବାଇଲ ପାଇଁ କବାଡ଼ିଆଙ୍କୁ ହତ୍ୟା

ସମ୍ବଲପୁର,୧୪ା୩(ପ୍ରମୋଦ ବହିଦାର)ସାମାନ୍ୟ ଏକ ମୋବାଇଲ ପାଇଁ ଜଣେ କବାଡ଼ିଆବାଲାଙ୍କୁ ହତ୍ୟା କରାଯିବା ଘଟଣା ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ କତରବଗା ଥାନା ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ପୋଲିସ ବୁଧବାର ଏକ ଜଙ୍ଗଲ ମଧ୍ୟରୁ ହତ୍ୟାର ଶିକାର ହୋଇଥିବା ଯୁବକଙ୍କ ମୃତଦେହକୁ ମାଟିତଳୁ ଜବତ କରିଛି। ପୋଲିସ ସୂଚନା ଅନୁସାରେ ରେଙ୍ଗାଲି ଅଞ୍ଚଳରେ କବାଡ଼ିଆ ଦୋକାନ କରିଥିବା ଉତ୍ତରପ୍ରଦେଶର ମୂଳବାସିନ୍ଦା ମହମ୍ମଦ ୱାରିସ ନାମକ ବ୍ୟକ୍ତିଙ୍କ ଘରେ ତାଙ୍କ ବଡ଼ଶାଳକ ମହମ୍ମଦ ଫିରୋଜ ରହୁଥିଲେ। ଗତ ମାର୍ଚ୍ଚ ୭ରୁ ସେ ନିଖୋଜ ହୋଇଯାଇଥିଲେ। ଏ ନେଇ ଭିଣୋଇ ୱାରିସ ଶାସନ ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲା ଆଧାରରେ ପୋଲିସ ଏକ ମାମଲା ରୁଜୁକରି ଖୋଳତାଡ଼ ଆରମ୍ଭ କରିଥିଲା। ଶେଷରେ ଫିରୋଜଙ୍କ ମୋବାଇଲ ଟ୍ରାକିଂ କରି ପୋଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚତ୍ବାରେ ସକ୍ଷମ ହୋଇଥିଲା।
ଏ ସମ୍ପର୍କରେ ସଦର ଏସ୍‌ଡିପିଓ ତୋଫାନ ବାଗଙ୍କ ସୂଚନା ଅନୁସାରେ ଉକ୍ତ ଘଟଣାରେ ସମ୍ପୃକ୍ତ କତରବଗାର ବୀରେଶ ବଢ଼େଇ ଓ ଜଣେ ନାବାଳକଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ସୂଚନା ଅନୁସାରେ କତରବଗା ଥାନା ଅନ୍ତର୍ଗତ ଝରଣପାଲି ଗ୍ରାମ ଗଡ଼ପାଟିଏନ୍‌ ଜଙ୍ଗଲ ମଧ୍ୟରେ ପୋତାଯାଇଥିବା ଫିରୋଜଙ୍କ ମୃତଦେହକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମାଟିତଳୁ ଜବତ କରାଯାଇଛି। ଏହାବାଦ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। କେବଳ ମୋବାଇଲ ଲୁଟିବା ଉଦ୍ଦେଶ୍ୟରେ ଫିରୋଜଙ୍କୁ ହତ୍ୟା କରାଯାଇଛି। ସେ ଆହୁରି କହିଛନ୍ତି, ଗତ ମାର୍ଚ୍ଚ ୭ରେ ଫିରୋଜଙ୍କୁ କିଛି ଲୁହା ସାମଗ୍ରୀ ବିକ୍ରି କରିବାକୁ ଅଭିଯୁକ୍ତମାନେ ଫୋନ୍‌ କରି ଡାକିଥିଲେ। ଫିରୋଜ ଏକ ମୋପେଡ୍‌ ଯୋଗେ ସେମାନଙ୍କ ନିକଟକୁ ବାହାରିଥିଲେ। ହେଲେ କେଉଁ ସ୍ଥାନକୁ ଯିବାକୁ ହେବ ଜାଣି ନ ଥିବା କହିବାରୁ ଅଭିଯୁକ୍ତ ନାବାଳକ ଜଣକ ମୋପେଡ୍‌ରେ ବସି ତାଙ୍କୁ ବାଟ କଢ଼ାଇ ନେଇଥିଲେ। ସେଠାରେ ପହଞ୍ଚତ୍ଲା ବେଳକୁ ପୂର୍ବରୁ ଜଗି ରହିଥିବା ବୀରେଶ ଏକ ବାଡ଼ିରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଫିରୋଜ ଜୀବନ ବିକଳରେ ସେଠାରୁ ଦୌଡ଼ି ପଳାଇବାକୁ ଉଦ୍ୟମ କରି ନିକଟରେ ଥିବା ଏକ ଗାତରେ ଖସିପଡ଼ିଥିଲେ। ଗାତରେ ପଡ଼ିଯିବା ପରେ ଅଭିଯୁକ୍ତମାନେ ତାଙ୍କ ମୁଣ୍ଡକୁ ପଥରେ ଛେଚି ହତ୍ୟାକରି ଉକ୍ତ ଗାତରେ ହିଁ ପୋତିଦେଇଥିଲେ। ଫିରୋଜଙ୍କ ମୋବାଇଲକୁ ନେଇଯିବା ସହ ତାଙ୍କ ମୋପେଡ୍‌କୁ ଲୁଚାଇ ଦେଇ ଅଭିଯୁକ୍ତ ଦ୍ୱୟ ସେଠାରୁ ଫେରାର ହୋଇଯାଇଥିଲେ। ଘଟଣାକୁ ନେଇ କତରବଗା ଥାନାରେ ଏକ ମାମଲା ରୁଜୁକରାଯାଇ ଅଭିଯୁକ୍ତ ବୀରେଶଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳକ ଅଭିଯୁକ୍ତଙ୍କୁ ଜୁଭେନାଇଲ କୋର୍ଟରେ ହାଜର କରାଯାଇଛି। ଏହାସହ ଫିରୋଜଙ୍କ ମୋବାଇଲ କ୍ରୟ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖାଯାଇଛି। ଏଥିରେ ତାଙ୍କର ସମ୍ପ୍‌ୃକ୍ତି ନେଇ ତଦନ୍ତ ଚାଲିଛି। ପ୍ରମାଣିତ ହେଲେ ତାଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯିବ ବୋଲି ଏସ୍‌ଡିପିଓ ବାଗ୍‌ କହିଛନ୍ତି।