ପଥରରେ ଛେଚି ନାବାଳକଙ୍କୁ ହତ୍ୟା

ନିରାକାରପୁର, ୨।୧୦(ଡି.ଏନ୍‌.ଏ.): ନୟାଗଡ଼ ଜିଲା ରଣପୁର ଥାନା ଅଞ୍ଚଳରେ ଜଣେ ନାବାଳକଙ୍କୁ ଗୁରୁବାର ରାତିରେ ପଥରରେ ଛେଚି ହତ୍ୟା କରାଯାଇଛି। ମୃତକ ହେଲେ ଏହି ଥାନା ଅଧୀନ ବେରୁଆଁପଡ଼ା ଗ୍ରାମର ସୌମ୍ୟରଞ୍ଜନ ସାମନ୍ତରାୟ ଓରଫ ରଞ୍ଜନ(୧୭)। ଏହି ଘଟଣାରେ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ପୋଲିସ ଶୁକ୍ରବାର ଜଣେ ଯୁବକଙ୍କୁ ଗିରଫ କରିବା ସହ ବାଇକ୍‌ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ରଣପୁର ଥାନା ଅନ୍ତର୍ଗତ ସୁଅଁାସିସାହିର ରାଜେଶ ପାଣ୍ଡି ଓରଫ ରାଜୁ(୩୦)। ଏନେଇ ଥାନାରେ ଏକ ମାମଲା (ନଂ.୨୧୯/୨୧) ରୁଜୁ ହୋଇଛି। ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ପେଟ୍ରୋଲ ଆଣିବା ପାଇଁ ମନା କରିବାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଜଙ୍କିଆ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ କହିଛନ୍ତି।
ସୂଚନା ମୁତାବକ, ରଣପୁର ଅଞ୍ଚଳରେ ରାଜୁଙ୍କର ଏକ ବାଇକ୍‌ ଗ୍ୟାରେଜ ରହିଛି। ଏହି ଗ୍ୟାରେଜରେ ଗତ ଦେଢ଼ ମାସ ହେବ ରଞ୍ଜନ ହେଲ୍‌ପର ଭାବେ କାମ କରୁଥିଲେ। ଗୁରୁବାର ରାତିରେ ଭୋଜି ପରେ ରାଜୁଙ୍କ ବାଇକ୍‌ରେ ରଞ୍ଜନ ବୁଲୁଥିବା ବେଳେ ଗାଡ଼ିିରୁ ପେଟ୍ରୋଲ ସରିଯାଇଥିଲା। ରାଜୁ କିଛି ବାଟ ଗାଡ଼ିକୁ ଠେଲି ଠେଲି ନେଇଥିଲେ। ଏହାପରେ ପେଟ୍ରୋଲ ଆଣିବାକୁ ରଞ୍ଜନଙ୍କୁ କହିଥିଲେ। ତେବେ ସେ ପେଟ୍ରୋଲ ଆଣିବାକୁ ମନା କରିବାରୁ ରାଜୁ ଉତ୍ତ୍ୟକ୍ତ ହୋଇ ରଞ୍ଜନଙ୍କ ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ରଞ୍ଜନଙ୍କ ମୃତ୍ୟୁ ଘଟିଥିଲା। ପରେ ପ୍ରମାଣ ନଷ୍ଟ କରିବା ପାଇଁ ରାଜୁ ବାଇକ୍‌ (ନଂ. ଓଡି ୦୨ଏଏ ୮୭୯୧)ରେ ପେଟ୍ରୋଲ ଭରିବା ସହ ଏହା ପଛରେ ରଞ୍ଜନଙ୍କୁ ବାନ୍ଧି ଖୋର୍ଦ୍ଧା ଅଭିମୁଖେ ନେଉଥିଲେ। ଜଙ୍କିଆ ଥାନା ନିକଟ ଖେଳପଡ଼ିଆ ପାର୍ଶ୍ୱସ୍ଥ ୧୬ନଂ. ଜାତୀୟ ରାଜପଥରେ ବାଇକ୍‌ଟି ଗୋରୁଙ୍କୁ ଧକ୍କା ଦେବାରୁ ରଞ୍ଜନଙ୍କ ମୃତଦେହ ତଳକୁ ଖସିପଡ଼ିଥିଲା। ସ୍ଥାନୀୟ ଲୋକେ ପହଞ୍ଚି ରାଜୁଙ୍କୁ ଅଟକ ରଖିବା ସହ ପୋଲିସକୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମେଡିକାଲକୁ ପଠାଇଥିଲା। ଏଥିସହ ରାଜୁଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ମୃତକଙ୍କ ପରିବାର ଲୋକଙ୍କୁ ପୋଲିସ ଖବର ଦେଇଥିଲା। ଶୁକ୍ରବାର ଖୋର୍ଦ୍ଧା ସଦର ଏସ୍‌ଡିପିଓ ସୁଶୀଲ କୁମାର ମିଶ୍ର ଥାନାରେ ପହଞ୍ଚି ଅଭିଯୁକ୍ତ ରାଜୁଙ୍କୁ ଖୋର୍ଦ୍ଧା ନେବାବେଳେ ମୃତକଙ୍କ ପରିବାର ଲୋକେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡ଼ିବସିଥିଲେ। ଏଥିଯୋଗୁ ଉତ୍ତେଜନା ଦେଖାଦେଇଥିଲା। ଥାନା ଅଧିକାରୀ ଏବଂ ଏସ୍‌ଡିପିଓ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏନେଇ ମୃତକଙ୍କ ମା’ ଗୀତାଞ୍ଜଳି ସାମନ୍ତରାୟଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁକରି ରାଜୁଙ୍କୁ ଗିରଫ କରିଥିଲା। ରାଜୁଙ୍କୁ ପଚରାଉଚରା ବେଳେ ସେ ଦୋଷ ସ୍ବୀକାର କରିଥିବା ଥାନା ଅଧିକାରୀ ଖୁଣ୍ଟିଆ କହିଛନ୍ତି।