ବିବାହରେ ବିଫଳ ହେବାରୁ ପ୍ରେମିକାଙ୍କୁ ହତ୍ୟା

ବରଗଡ଼ ଅଫିସ, ୧୯।୩: ବରଗଡ଼ ଜିଲା ବିଜେପୁର ଥାନା ଅଧୀନ ସାଇପାଲି ଗ୍ରାମର ଏକ କୂଅ ଭିତରୁ ଶନିବାର ଜଣେ ଯୁବତୀ ପଦ୍ମିନୀ ଛତ୍ରିଆ(୨୫)ଙ୍କ ମୃତଦେହ ଉଦ୍ଧାର ହେବା ଘଟଣାର ପର୍ଦ୍ଦାଫାଶ ହୋଇଛି । ବିବାହ କରିବାରେ ବିଫଳ ହେବା ପରେ ମୃତା ଯୁବତୀଙ୍କ ହତାଶ ପ୍ରେମିକ ତଥା ଗ୍ରାମର ଚନ୍ଦ୍ରଶେଖର ସେଠ(୨୮) ତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ କୂଅ ଭିତରକୁ ଫିଙ୍ଗିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି। ପୋଲିସ ଅଭିଯୁକ୍ତ ତନ୍ଦ୍ରଶେଖରଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ସୋହେଲା ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ବିଜେପୁର ଥାନାରେ ଦଫା ୩୬୪, ୩୦୨, ୨୦୧ ଆଇପିସିରେ ଏକ ମାମଲା (ନଂ.୫୯/୨୩) ରୁଜୁ ହୋଇଛି।
ପ୍ରକାଶ ଯେ, ପଦ୍ମିନୀ ଏବଂ ଚନ୍ଦ୍ରଶେଖରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ଇତିମଧ୍ୟରେ ପଦ୍ମିନୀଙ୍କ ବିବାହ ଅନ୍ୟତ୍ର ସ୍ଥିର ହୋଇଥିବା ବେଳେ ଗତ ୧୫ତାରିଖରୁ ପଦ୍ମିନୀ ନିଖୋଜ ହୋଇଯାଇଥିଲେ। ଚନ୍ଦ୍ରଶେଖର ତାଙ୍କୁ ଅପହରଣ କରି ନେଇଥିବା ପଦ୍ମିନୀଙ୍କ ପରିବାର ଲୋକେ ବିଜେପୁର ଥାନାରେ ଏତଲା ଦେଇଥିଲେ। ଏହାପରେ ପୋଲିସ ଉକ୍ତ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିବା ସହିତ ଚନ୍ଦ୍ରଶେଖରଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ପଦ୍ମିନୀଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହକୁ ଗାଁ ଉପକଣ୍ଠ ଏକ କୂଅ ଭିତରକୁ ଫିଙ୍ଗି ଦେଇଥିବା ନେଇ ଚନ୍ଦ୍ରଶେଖର ପୋଲିସ ଆଗରେ ସ୍ବୀକାର କରିବା ସହିତ ଘଟଣାସ୍ଥଳ ଦେଖାଇଥିଲେ। ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ପୋଲିସ ସେଠାରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସେହିପରି ଅନୁସନ୍ଧାନୀ କୁକୁର ଘଟଣାସ୍ଥଳକୁ ପହଞ୍ଚତ୍ ଥିବାବେଳେ ସାଇଣ୍ଟିଫିକ ଟିମ୍‌ ଉପସ୍ଥିତିରେ ମୃତଦେହର ପଞ୍ଚନାମା ମଧ୍ୟ କରାଯାଇଥିଲା। ରବିବାର ଅଭିଯୁକ୍ତ ଚନ୍ଦ୍ରଶେଖରଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ବିଜେପୁର ଥାନା ଅଧିକାରୀ ସନୟ କୁମାର ନାଏକ ଏହାର ତଦନ୍ତ କରୁଛନ୍ତି।