ଗାଁ ମଣ୍ଡପରେ ବୃଦ୍ଧଙ୍କ ଗଳା କାଟି ହତ୍ୟା

ପାଟପୁର,୫ା୮- ଗଞ୍ଜାମ ଜିଲା ପାଟପୁର ଥାନା ପ୍ରତାପଗିରି ଗ୍ରାମ କୋଠଘର ମଣ୍ଡପରୁ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଉକ୍ତ ଗ୍ରାମର ଆର୍‌. ଖରଡା ପାତ୍ର (୬୫)। ଖରଡାଙ୍କ ପୁଅ ଭୀମଙ୍କ ଏତଲାକ୍ରମେ ପାଟପୁର ପୋଲିସ ହତ୍ୟା ମାମଲା (ନଂ.୧୮୮/୨୦) ରୁଜୁ କରି ତଦନ୍ତ ଚଳାଇଛି।
ଖରଡା ମଙ୍ଗଳବାର ରାତିରେ ଖାଇ ସାରି ଘରଠାରୁ ପ୍ରାୟ ୨୦୦ ମିଟର ଦୂର କୋଠଘର ମଣ୍ଡପରେ ଶୋଇଥିଲେ। ବୁଧବାର ସକାଳୁ ସେଠାରେ ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବାବେଳେ ଗଳା କଟାଯାଇଥିବା କେତେଜଣ ଲୋକ ଦେଖି ଥାନାକୁ ଜଣାଇଥିଲେ। ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକ ପହଞ୍ଚତ୍ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲେ। ଧାରୁଆ ଅସ୍ତ୍ରରେ ଖରଡାଙ୍କ ଗଳା କାଟି ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲ ପଠାଯାଇଥିବାବେଳେ ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ।