ନୂଆଦିଲ୍ଲୀ,୨୩।୧୧: ଟି-୨୦ କ୍ରିକେଟରେ ନୂଆ ଇତିହାସ ରଚିଛନ୍ତି ୱେଷ୍ଟଇଣ୍ଡିଜ୍ର ପୂର୍ବତନ ଧୂଆଁଧାର ବ୍ୟାଟର କିରନ ପୋଲାର୍ଡ। ଟି-୨୦ ଫର୍ମାଟରେ ୧୫ ହଜାର ରନ ପୂରଣ କରିବାରେ ସେ ବିଶ୍ୱର ଦ୍ୱିତୀୟ ଖେଳାଳି ହୋଇଛନ୍ତି। ଏହି ତାଲିକାରେ ଇଂଲଣ୍ଡର ଜୋସ ବଟଲର ପ୍ରଥମ ସ୍ଥାନରେ ରହିଛନ୍ତି।
ବର୍ତ୍ତମାନ ଅନ୍ତର୍ଜାତୀୟ ଲିଗ ଟି-୨୦ରେ ଏମଆଇ ଏମିରେଟ୍ସର ନେତୃତ୍ୱ ନେଉଛନ୍ତି ପୋଲାର୍ଡ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ରେ ଡେଜର୍ଟ ଭାଇପର୍ସ ବିପକ୍ଷରେ ସେ ୧୫ ରନ କରି ଏହି ଐତିହାସିକ ମାଇଲଖୁଣ୍ଟ ଛୁଇଁଛନ୍ତି। ମ୍ୟାଚ ପୂର୍ବରୁ ତାଙ୍କୁ ୧୫ ହଜାର ରନ ପୂରଣ କରିବା ପାଇଁ ମାତ୍ର ୧ ରନ ଆବଶ୍ୟକ ଥିଲା।
ଏହି ମ୍ୟାଚ ପରେ ପୋଲାର୍ଡଙ୍କ ମୋଟ ଟି-୨୦ ରନ ସଂଖ୍ୟା ୧୫,୦୧୪ରେ ପହଞ୍ଚିଛି। ଅନ୍ୟପକ୍ଷରେ ଜୋସ ବଟଲରଙ୍କ ନାମରେ ୧୫,୦୬୨ ରନ ରହିଛି। ଅର୍ଥାତ୍ ବଟଲରଙ୍କଠାରୁ ପୋଲାର୍ଡ ମାତ୍ର ୪୮ ରନ ପଛରେ ଅଛନ୍ତି। ଆଗାମୀ ମ୍ୟାଚ୍ଗୁଡ଼ିକରେ ଏହି ବ୍ୟବଧାନ ଦୂର କରି ପୋଲାର୍ଡ ଏକ ନମ୍ବର ସ୍ଥାନ ହାସଲ କରିବାର ସୁଯୋଗ ରହିଛି।
ଟି-୨୦ରେ ସର୍ବାଧିକ ରନ କରିଥିବା ଶ୍ରେଷ୍ଠ ୧୦ ବ୍ୟାଟର
୧. ଜୋସ ବଟଲର ୧୫,୦୬୨ ରନ
୨. କିରନ ପୋଲାର୍ଡ ୧୫,୦୧୪ ରନ
୩. ଆଲେକ୍ସ ହେଲ୍ସ ୧୪,୫୮୧ ରନ
୪. କ୍ରିସ ଗେଲ ୧୪,୫୬୨ ରନ
୫. ଡେଭିଡ ୱାର୍ଣ୍ଣର ୧୪,୪୧୧ ରନ
୬. ବିରାଟ କୋହଲି ୧୪,୨୧୮ ରନ
୭. ଜେମ୍ସ ଭିନ୍ସ ୧୪,୨୧୮ ରନ
୮. ସୋଏବ ମଲିକ ୧୩,୫୭୧ ରନ
୯. କ୍ୱିଣ୍ଟନ ଡି’କକ ୧୩,୦୪୬ ରନ
୧୦. ଫାଫ ଡୁ ପ୍ଲେସିସ ୧୨,୭୮୪ ରନ
କିରନ ପୋଲାର୍ଡଙ୍କ ଟି-୨୦ କ୍ୟାରିୟର ମଧ୍ୟ ବେଶ ଚମତ୍କାର। ସେ ଏପର୍ଯ୍ୟନ୍ତ ୭୫୫ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଏହା ସହ ସେ ଏହି ଫର୍ମାଟରେ ସର୍ବାଧିକ ମ୍ୟାଚ ଖେଳିଥିବା ଖେଳାଳି। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ୱେଷ୍ଟଇଣ୍ଡିଜ୍ର ସୁନୀଲ ନାରାୟଣ ଅଛନ୍ତି। ସେ ୬୧୮ଟି ମ୍ୟାଚ ଖେଳିଛନ୍ତି।
ପୋଲାର୍ଡ ୬୭୨ଟି ଇନିଂସରେ ବ୍ୟାଟିଂ କରି ୩୧.୬୭ ହାରରେ ଏବଂ ୧୫୦.୮୪ ଷ୍ଟ୍ରାଇକ ରେଟ୍ରେ ୧୫,୦୧୪ ରନ ସଂଗ୍ରହ କରିଛନ୍ତି। ଏଥିରେ ୨ଟି ଶତକ ଓ ୭୧ଟି ଅର୍ଦ୍ଧଶତକ ରହିଛି। ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୦୪ ରନ।
କେବଳ ବ୍ୟାଟିଂ ନୁହେଁ, ବୋଲିଂରେ ମଧ୍ୟ ପୋଲାର୍ଡଙ୍କ ରେକର୍ଡ ଉଲ୍ଲେଖନୀୟ। ସେ ୪୩୬ଟି ଇନିଂସରେ ବୋଲିଂ କରି ୨୫.୩୬ ହାରରେ ୩୪୧ଟି ଉଇକେଟ ନେଇଛନ୍ତି। ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ୪/୧୫ ରହିଥିବା ବେଳେ ୮ ଥର ଇନିଂସରେ ୪ଟି ଉଇକେଟ ନେବାର ସଫଳତା ହାସଲ କରିଛନ୍ତି।
ଟି-୨୦ କ୍ରିକେଟ୍ରେ ନିଜର ଧମାକାଦାର ବ୍ୟାଟିଂ ଓ ଉପଯୋଗୀ ବୋଲିଂ ପାଇଁ ପରିଚିତ ପୋଲାର୍ଡ ଏବେ ଜୋସ ବଟଲରଙ୍କ ରେକର୍ଡ ଭାଙ୍ଗିବାଠାରୁ ମାତ୍ର ୪୮ ରନ ଦୂରରେ ଅଛନ୍ତି।