କିଡ୍‌ନୀ ରୋଗ ନେଲା ଆଉ ଜଣଙ୍କ ଜୀବନ, ଚିକିତ୍ସାରେ ସର୍ବସ୍ବାନ୍ତ ବସୁଦେବଙ୍କ ପରିବାର

ଅମରପାଲି,୬ା୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେଉଛି। ଏହି ରୋଗରେ ଆକ୍ରାନ୍ତ ହୋଇ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ପରିବାର ଏବେ ଅସହାୟ ହୋଇପଡ଼ିଛି। ଦୀର୍ଘଦିନ ଧରି ରୋଗ ସହ ସଂଘର୍ଷ କରିବା ଏବଂ ଧାରକରଜ କରି ଚିକିତ୍ସା କରାଇବା ପରେ ଶେଷରେ ଆଖି ବୁଜିଛନ୍ତି ବହଳପଦର ଗ୍ରାମର ବସୁଦେବ ପଧାନ (୫୦)। ତାଙ୍କ ମୃତ୍ୟୁ ପରେ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି।

ସୂଚନା ଅନୁସାରେ, ବୀରମହାରାଜପୁର ବ୍ଲକ ବହଳପଦର ଗ୍ରାମର ବସୁଦେବ ଜଣେ ସାଧାରଣ ଚାଷୀ। ସେ ଦୀର୍ଘଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ଥିଲେ। ପ୍ରାୟ ପାଞ୍ଚ ମାସ ହେବ ସୋନପୁର ମେଡିକାଲରେ ତାଙ୍କର ଡାଇଲେସିସ୍‌ ଚାଲିଥିଲା। ଏହା ପୂର୍ବରୁ ସମ୍ବଲପୁର, ବୁର୍ଲା, କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ଚିକିତ୍ସାଳୟରେ ସେ ଚିକିତ୍ସିତ ହୋଇଥିଲେ। ଚିକିତ୍ସା ପାଇଁ ପରିବାର ଧାରକରଜ କରି ସର୍ବସ୍ବାନ୍ତ ହୋଇପଡ଼ିଥିଲେ।

ତିନି ଦିନ ପୂର୍ବରୁ ବସୁଦେବଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲକୁ ନିଆଯାଇଥିଲା। ସେଠାରୁ ବୁଧବାର ସନ୍ଧ୍ୟାରେ ତାଙ୍କୁ ଘରକୁ ଅଣାଯାଇଥିଲା। ମାତ୍ର ଘରେ ପହଞ୍ଚିବା ପରେ ପୁଣି ସୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ବୀରମହାରାଜପୁର ମେଡିକାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା।

ପୂର୍ବାହ୍ନରେ ମୃତଦେହ ଗ୍ରାମକୁ ଅଣାଯିବା ପରେ ଶୋକାକୁଳ ପରିବେଶରେ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ଏକମାତ୍ର ପୁତ୍ର କାହ୍ନା(୧୯) ମୁଖାଗ୍ନି ଦେଇଥିଲେ। ମୃତ୍ୟୁ ଖବର ପାଇ ଝିଅ, ଜ୍ୱାଇଁଙ୍କ ସମେତ ଆତ୍ମୀୟସ୍ବଜନ ଓ ଅଞ୍ଚଳବାସୀ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ। ବସୁଦେବଙ୍କ ପତ୍ନୀ ସନ୍ଧ୍ୟାରାଣୀ ପଧାନ ଓ ଏକମାତ୍ର ପୁଅ ଏବେ ଅସହାୟ ହୋଇପଡ଼ିଛନ୍ତି।

ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗର ପ୍ରାଦୁର୍ଭାବକୁ ନେଇ ଏବେ ଚିନ୍ତା ବଢ଼ିଛି। ଅଞ୍ଚଳର ପ୍ରାୟ ସବୁ ଗ୍ରାମରେ ଲୋକେ ଏହି ରୋଗରେ ଆକ୍ରାନ୍ତ ହୋଇ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଅଭିଯୋଗ ହେଉଛି। ଶତାଧିକ ଲୋକ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ସେମାନଙ୍କୁ ସରକାରୀ ସ୍ତରରେ ଆବଶ୍ୟକ ସହାୟତା ମିଳୁ ନ ଥିବା ଅଭିଯୋଗ ହୋଇଛି।

କିଛିଦିନ ପୂର୍ବରୁ କେନଝିରିଆପାଲି ପଞ୍ଚାୟତର ଏକ ଗ୍ରାମରେ ଗୋଟିଏ ପରିବାରର ସ୍ବାମୀ ଓ ସ୍ତ୍ରୀ କିଛିଦିନର ବ୍ୟବଧାନରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ସେହି ସମୟରେ ଗ୍ରାମର ଜଣେ ୩୫ ବର୍ଷୀୟ ଯୁବକଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ସେହିପରି ବହଳପଦର ପଞ୍ଚାୟତର ଏକ ଗ୍ରାମରେ ମଧ୍ୟ ଦୁଇ ମାସ ମଧ୍ୟରେ ଗୋଟିଏ ପରିବାରର ସୱାମୀ ଓ ସ୍ତ୍ରୀ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଆଖି ବୁଜିଥିବା ଜଣାପଡ଼ିଛି।

ବସୁଦେବଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗର ପ୍ରକୃତ କାରଣ ଚିହ୍ନଟ ପାଇଁ ପ୍ରଶାସନ ତ୍ୱରିତ ପଦକ୍ଷେପ ନେବାକୁ ଦାବି ହେଉଛି। ଅଞ୍ଚଳରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ଏବଂ ଲଗାତର ମୃତ୍ୟୁ ଘଟୁଥିବା ଘଟଣାକୁ ଗୁରୁତ୍ୱର ସହ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯାଞ୍ଚ, ସ୍ବାସ୍ଥ୍ୟ ଶିବିର ଓ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share