ବଲାଙ୍ଗୀର,୩ା୭(ବୀରେନ୍ଦ୍ର କୁମାର ଝାଙ୍କର):ମହାରାଷ୍ଟ୍ରର ନାସିକଠାରେ ଗତ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୧୪ତମ ସିଙ୍ଗା, ମାକାନ, ପ୍ରି-ଟିନ୍, ପ୍ରି-ଜୁନିୟର ଓ ଜାତୀୟ ଜୁନିୟର ପେନ୍ଚାକ୍ ସିଲାଟ୍ ଚମ୍ପିୟନଶିପ୍ ୨୦୨୬ରେ ବଲାଙ୍ଗୀର ଜିଲାର ଉଦୟମାନ ଖେଳାଳି ଖୁସିରାମ ସେଠ ସବ୍-ଜୁନିୟର ଟୁଙ୍ଗାଲ ବିଭାଗରେ ରୌପ୍ୟ ପଦକ ଜିତି ବଲାଙ୍ଗୀର ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।
ନିକଟରେ ଅତିରିକ୍ତ ଜିଲାପାଳ ଡ. ବିଜୟାନନ୍ଦ ସେଠୀ ଏବଂ ଉପଜିଲାପାଳ ଆଲୋକ କୁମାର ପଟେଲ ପ୍ରମୁଖ ଖୁସିରାମଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବଷ୍ୟତ କାମନା କରିଥିଲେ। ପେନ୍ଚାକ୍ ସିଲାଟ୍ ଆସୋସିଏଶନ ବଲାଙ୍ଗୀର ଜିଲା ସଭାପତି ମହେନ୍ଦ୍ର କୁମାର ଦର୍ଜୀ ଓ ପ୍ରଶିକ୍ଷକ ମାଷ୍ଟର ପ୍ରଶାନ୍ତ ପାତ୍ର ମଧ୍ୟ ଖୁସିରାମଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଜାତୀୟ ପେନ୍ଚାକ୍ ସିଲାଟ୍ ପ୍ରତିଯୋଗିତାରେ ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳର ୧୯୦୦ରୁ ଊର୍ଦ୍ଧ୍ୱ ଖେଳାଳି ଅଂଶଗ୍ରହଣ କରିଥିଲେ।