‘ଖୋର୍ଦ୍ଧାକୁ ଐତିହ୍ୟ ସହର ଘୋଷଣା କରାଯାଉ’

ଖୋର୍ଦ୍ଧା ଅଫିସ,୨୪।୧୧: ପାଇକ ସଂଗ୍ରାମ ଓଡ଼ିଆ ଜାତିର ଅସ୍ମିତା। ଇତିହାସକୁ ଭୁଲିଲେ ଐତିହ୍ୟ ନଷ୍ଟ ହୋଇଯିବ। ବ୍ରିଟିଶ୍‌ ସରକାରଙ୍କ ବିରୋଧରେ ୧୮୦୪ ରେ ଜୟୀ ରାଜଗୁରୁଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଯୁଦ୍ଧ, ୧୮୧୭ରେ ଗଣଯୁଦ୍ଧରେ ପରିଣତ ହୋଇଥିଲା। ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଥମ ଶହୀଦର ଆଖ୍ୟା ପ୍ରଦାନ କରିନାହାନ୍ତି। ସେ ଜଣେ ସ୍ବାଧୀନତା ସଂଗ୍ରାମୀ ବୋଲି ମଧ୍ୟ ଗ୍ରହଣ କରିନାହାନ୍ତି। ଜୟୀଙ୍କ ସଂଗ୍ରାମମୟ ଜୀବନୀ ସମ୍ପର୍କରେ କୌଣସି ଡକ୍ୟୁମେଣ୍ଟାରି କିମ୍ବା ଫିଲ୍ମ ମଧ୍ୟ ନିର୍ମାଣ ହୋଇନାହିଁ। ଇତିହାସରେ ଜୟୀଙ୍କୁ ଉପଯୁକ୍ତ ସ୍ଥାନ ଦିଆଯାଇନାହିଁ। ଭାରତୀୟ ମୁକ୍ତି ସଂଗ୍ରାମରେ ଖୋର୍ଦ୍ଧା ମାଟିର ବିଶେଷ ଅବଦାନ ରହିଛି। ଖୋର୍ଦ୍ଧାକୁ ଐତିହ୍ୟ ସହର ଭାବେ ଘୋଷଣା କରାଯାଉ ବୋଲି ଐତିହ୍ୟ ବିଶାରଦ ଡ.ସୁରେନ୍ଦ୍ର ମିଶ୍ର କହିଛନ୍ତି। ସୋମବାର ଜୟୀ ରାଜଗୁରୁ ସ୍ମୃତି ସମାରୋହ ପକ୍ଷରୁ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଜୟୀ ରାଜଗୁରୁଙ୍କ ୨୮୨ତମ ଜୟନ୍ତୀ ସମାରୋହରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଡ. ମିଶ୍ର ଏହା କହିଛନ୍ତି।
ମିଶ୍ର ଆହୁରି କହିଛନ୍ତି ଯେ, ଓଡ଼ିଆ ଜାତିର ଗୌରବ, ସଂସ୍କୃତିର ସୁରକ୍ଷା ଲାଗି ପାଇକମାନେ ବ୍ରିଟିଶ୍‌ ବିରୋଧରେ ସଶସ୍ତ୍ର ସଂଗ୍ରାମ କରିଥିଲେ। ଏହା ବିଦ୍ରୋହର ଆଖ୍ୟା ଦିଆଯାଇଛି। ବାସ୍ତବରେ ଏହା ଥିଲା ବିଟ୍ରିଶ ସହ ଯୁଦ୍ଧ। ଇତିହାସରେ ପାଇକ ସଂଗ୍ରାମକୁ ଠିକ୍‌ ଭାବେ ପରିବେଷଣ କରାଯାଇ ନାହିଁ। ଫଳରେ ଆମ ଐତିହ୍ୟ, ଗୌରବ ବିଶ୍ୱ ଦରବାରରେ ଅବହେଳିତ ଅବସ୍ଥାରେ ରହିଛି। ପାଇକ ବିଦ୍ରୋହର ୨ଶହ ପୂର୍ତ୍ତି ପାଳନ କରାଗଲା। କିନ୍ତୁ ଯେଉଁ ପାଇକମାନେ ଏ ମାଟି ଲାଗି ପ୍ରାଣବଳି ଦେଇଥିଲେ, ସେମାନଙ୍କୁ ସମ୍ମାନ ଦିଆଗଲା ନାହିଁ। ସେମାନଙ୍କ ଗ୍ରାମକୁ ଐତିହ୍ୟ ଗ୍ରାମର ମାନ୍ୟତା ଦେବା ଲାଗି ସେ ଦାବି କରିଥିଲେ। ସଂସଦ ସଭାପତି ଡ.ଧୀରେନ୍ଦ୍ର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ଶିକ୍ଷାବିତ୍‌ ବୃନ୍ଦାବନ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଐତିହ୍ୟ ଗବେଷକ ଡ. ଗୋପାଳକୃଷ୍ଣ ଦାସ ସମ୍ମାନିତ ଅତିଥିଭାବେ ଯୋଗଦେଇ ଜୟୀ ରାଜଗୁରୁଙ୍କ ପାଇକ ସଂଗ୍ରାମ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ବକ୍ତାଭାବେ ପ୍ରଫେସର ନାରାୟଣ ରାଓ ଜୟୀଙ୍କ ରଣନୀତିକୁ ଚାଣକ୍ୟ ନୀତି ସହ ତୁଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଗବେଷକ, ସାମାଜିକ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।