ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଖୋର୍ଦ୍ଧା ଅଗ୍ନିଶମ ବିଭାଗ ସଜାଗ

ଖୋର୍ଦ୍ଧା,୧୯ା୧୧(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ପାଇଁ ଖୋର୍ଦ୍ଧା ଜିଲା ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଜିଲା ଅଧୀନରେ ଥିବା ୭ଟି ଅଗ୍ନିଶମ କେନ୍ଦ୍ରରେ ସମସ୍ତ କର୍ମଚାରୀ, ଆବଶ୍ୟକୀୟ ଯନ୍ତ୍ରପାତି ଓ ଯାନବାହନକୁ ପ୍ରସ୍ତୁତ ରଖାଯାଇଛି। ଏଥିସହ ଜରୁରୀ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲା ମୁଖ୍ୟାଳୟରେ ଦୁଇଟି ଅତିରିକ୍ତ ଟିମ୍‌ ମଧ୍ୟ ପ୍ରସ୍ତୁତ ରଖାଯାଇଛି।

ବାତ୍ୟା ସମୟରେ ରାସ୍ତା ଅବରୋଧ ହେଲେ ତାହାକୁ ତୁରନ୍ତ ହଟାଇବା ଏବଂ ରାସ୍ତା ଉପରେ ଭାଙ୍ଗି ପଡ଼ିଥିବା ଗଛଗୁଡ଼ିକୁ କାଟି ଯାତାୟାତ ସ୍ବାଭାବିକ କରିବା ବିଭାଗର ପ୍ରାଥମିକତା ରହିବ। ଏଥିସହ କଚ୍ଚା ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ଜଳବନ୍ଦୀ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର ଏବଂ ପ୍ରଶାସନର ରିଲିଫ କାର୍ଯ୍ୟରେ ଅଗ୍ନିଶମ ବିଭାଗ ସକ୍ରିୟ ସହଯୋଗ କରିବ।

ଉଦ୍ଧାର କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ଆସ୍କା ଲାଇଟ୍‌, ଲାଇଫ ବୟ ଜ୍ୟାକେଟ, ପାଣି ନିଷ୍କାସନ ପମ୍ପ ସମେତ ସମସ୍ତ ଆଧୁନିକ ଯନ୍ତ୍ରପାତି ପ୍ରସ୍ତୁତ ରଖାଯାଇଛି।  ଏଥିସହ ଉଦ୍ଧାର କାର୍ଯ୍ୟ ପାଇଁ କଟର ମେଶିନ ମଧ୍ୟ ଉପଲବ୍ଧ ରହିଛି। ଜରୁରୀକାଳିନ ସହାୟତା ଆବଶ୍ୟକ ହେଲେ ଜନସାଧାରଣ ୧୧୨ ନମ୍ବରକୁ ଫୋନ୍‌ କରିପାରିବେ। ଖବର ପାଇବା ମାତ୍ରେ ଅଗ୍ନିଶମ ଟିମ୍‌ ତ୍ୱରିତ ଘଟଣାସ୍ଥଳରେ ପହଞ୍ଚି ସେବା ଯୋଗାଇଦେବ। ଏଥିପାଇଁ ୨୪ ଘଣ୍ଟିଆ ଟିମ୍‌ ସଜାଗ ରହିଥିବାବେଳେ ନିୟନ୍ତ୍ରଣ କକ୍ଷ (କଣ୍ଟ୍ରୋଲ ରୁମ) ମଧ୍ୟ କାର୍ଯ୍ୟକ୍ଷମ ଓ ପ୍ରସ୍ତୁତ ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବାତ୍ୟାଜନିତ ଯେକୌଣସି ଜରୁରୀ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ନେବାକୁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ସଜାଗ ରହିଥିବା ଖୋର୍ଦ୍ଧା ଅଗ୍ନିଶମ କେନ୍ଦ୍ରର ଷ୍ଟେଶନ ଅଧିକାରୀ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share