ବାତ୍ୟା ‘ଅକ୍ୱାନ’କୁ ନେଇ ଖୋର୍ଦ୍ଧା ଜିଲା ପ୍ରଶାସନ ପ୍ରସ୍ତୁତ: ୩୧୩ ଆଶ୍ରୟସ୍ଥଳ କାର୍ଯ୍ୟକ୍ଷମ, ୫୬ ଗର୍ଭବତୀଙ୍କୁ ସ୍ଥାନାନ୍ତର

ଖୋର୍ଦ୍ଧା,୧୯ା୧୧(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜିଲାପାଳ ଅମ୍ରିତ ଋତୁରାଜ ସୂଚନା ଦେଇଛନ୍ତି।

ଜିଲା ଜରୁରୀକାଳିନ କାର୍ଯ୍ୟାଳୟ (ଡିଇଓସି) ପକ୍ଷରୁ ନଭେମ୍ବର ୧୮ ତାରିଖ ରାତି ୧୨ଟା ୩୦ ସୁଦ୍ଧା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜିଲାରେ ମୋଟ୍‌ ୭,୦୫୬ ଜଣଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି।

ବାତ୍ୟା ଆଶ୍ରୟ ପାଇଁ ଜିଲାରେ ମୋଟ୍‌ ୩୭୯ଟି ସୁରକ୍ଷିତ ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଥିବାବେଳେ ସେଥିମଧ୍ୟରୁ ୩୧୩ଟି କାର୍ଯ୍ୟକ୍ଷମ ରହିଛି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ଜରୁରୀ ସେବା ପାଇଁ ଖୋର୍ଦ୍ଧା ଉପଖଣ୍ଡରେ ୩ଟି ଏବଂ ଭୁବନେଶ୍ୱର ଉପଖଣ୍ଡରେ ୭ଟି ଓଏଫ୍‌ଡିସି ଟିମ୍‌ ନିୟୋଜିତ ହୋଇଛନ୍ତି। ସେହିପରି ଅଗ୍ନିଶମ ବିଭାଗର ଖୋର୍ଦ୍ଧା ଉପଖଣ୍ଡରେ ୮ଟି ଓ ଭୁବନେଶ୍ୱର ଉପଖଣ୍ଡରେ ୧୦ଟି ଟିମ୍‌ ପ୍ରସ୍ତୁତ ରହିଛନ୍ତି।

ଜିଲାର ସମସ୍ତ ବ୍ଲକରେ ବରିଷ୍ଠ ଅଧିକାରୀଙ୍କ ସହ ଉପଜିଲାପାଳ ଓ ସହକାରୀ ଜିଲାପାଳମାନଙ୍କୁ ନିୟୋଜିତ କରାଯାଇଛି। ଜିଲା ନିୟନ୍ତ୍ରଣ କକ୍ଷ ମଧ୍ୟ କାର୍ଯ୍ୟକ୍ଷମ ରହିଛି। ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ମାଛଧରା ଡଙ୍ଗା, ପର୍ଯ୍ୟଟକ ଡଙ୍ଗା ଓ ବାଣିଜ୍ୟିକ ଡଙ୍ଗା ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଏଥିସହ ସ୍କୁଲ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକୁ ନଭେମ୍ବର ୨୧ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।

ରିପୋର୍ଟ ଅନୁଯାୟୀ, ଜିଲାରେ ହାରାହାରି ୪.୭୩ ମିଲିମିଟର ବର୍ଷା ହୋଇଥିବାବେଳେ ପବନର ବେଗ ସ୍ବାଭାବିକ ରହିଛି। ଏପର୍ଯ୍ୟନ୍ତ ଓଡ୍ରାଫ୍‌ର ଗୋଟିଏ ଟିମ୍‌ ମଧ୍ୟ ନିୟୋଜିତ ହୋଇନାହିଁ। ତେବେ ଦୁଇଟି ଓଡ୍ରାଫ୍‌ ଟିମ୍‌ ପାଇଁ ଅନୁରୋଧ କରାଯାଇଛି। ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମଧ୍ୟ ମୁତୟନ ହୋଇନାହାନ୍ତି। ସେହିପରି ଏପର୍ଯ୍ୟନ୍ତ କୌଣସି ମାଗଣା ରନ୍ଧାଖାଦ୍ୟ କେନ୍ଦ୍ର ଆରମ୍ଭ ହୋଇନାହିଁ।

Dharitri – Odisha’s No.1 Odia Daily

Share