ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ ଉଦଯାପିତ ହୋଇଯାଇଛି। ମଙ୍ଗଳବାର ପୂର୍ବାହ୍ନରେ ପ୍ରହଲ୍ଲାଦ ନାଟକର ପରିବେଷଣ ଭିତ୍ତିକ କର୍ମଶାଳା ଅନୁଷ୍ଠିତ ହୋଇଥିଲା, ଯାହାକୁ ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।
ରାଜ୍ୟ ସଂସ୍କୃତି ବିଭାଗର ପ୍ରାକ୍ତନ ଉପନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ନିଶଙ୍କଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମଶାଳାରେ ଦିଗପହଣ୍ଡି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ସାହିତ୍ୟିକ ତଥା ସଂସ୍କୃତି ଗବେଷକ ଡ଼. ଲମ୍ବୋଦର ପାଣିଗ୍ରାହୀ, ଲୋକ ସଂସ୍କୃତି ଗବେଷକ ମନ୍ମଥ କୁମାର ଶତପଥୀ, ଐତିହାସିକ ଡ଼. ଅନନ୍ତରାମ କର କୌଣ୍ଡିନ୍ୟ ଏବଂ ଭାରତ ଲୀଳା ଲୋକନାଟ୍ୟ ଗୁରୁ ସନ୍ତୋଷ କୁମାର ପାଢ଼ୀ ପ୍ରମୁଖ ଯୋଗଦେଇ ପୌରାଣିକ ପ୍ରହଲ୍ଲାଦ ନାଟକ ବା ରାଜା ନାଟକର ଉତ୍ପତ୍ତି, ଇତିବୃତ୍ତ ଓ ରାଗରାଗିଣୀ ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷକରି, ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଲାଭ କରିଥିବା ୯୯ ବର୍ଷ ବୟସ୍କ ପ୍ରହଲ୍ଲାଦ ନାଟକ ଗୁରୁ ପଦ୍ମଶ୍ରୀ ସିମାଞ୍ଚଳ ପାତ୍ର ଏହି ବୟସରେ ମଧ୍ୟ ପ୍ରହଲ୍ଲାଦ ନାଟ ପରିବେଷଣ କରି ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ।
ସେହିପରି ଅପରାହ୍ନରେ ଦିଗପହଣ୍ଡି ସନ୍ଥ ଅରକ୍ଷିତ ଦାସ ବସଷ୍ଟାଣ୍ଡରୁ ଏକ ଭବ୍ୟ ଲୋକକଳା ଶୋଭାଯାତ୍ରା ବାହାରିଥିଲା, ଯାହାକୁ ଦାସକାଠିଆ ଲୋକନୃତ୍ୟ ଗୁରୁ ବିପିନ ବିହାରୀ ଦାଶ ଏବଂ କମିଟିର ଉପାଧ୍ୟକ୍ଷ ବିଶ୍ବନାଥ ଚୌଧୁରୀ ପରିଚାଳନା କରିଥିଲେ। ରାତିରେ ଆୟୋଜିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲାପାଳ ଭି. କିର୍ତ୍ତୀ ଭାସନ ଯୋଗଦେଇ ଖେମୁଣ୍ଡି ଅଞ୍ଚଳର ସାଂସ୍କୃତିକ ବୈଭବକୁ ବିଶ୍ୱ ଦରବାରରେ ପ୍ରଚାର ଓ ପ୍ରସାର ପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଦିଗପହଣ୍ଡି ସହରରେ ଖୁବ୍ ଶୀଘ୍ର ଏକ ଆଧୁନିକ ସଂସ୍କୃତି ଭବନ ନିର୍ମାଣ କରାଯିବ ବୋଲି ସେ ଘୋଷଣା କରିଥିଲେ।
ଏହି ସାଂସ୍କୃତିକ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଗବେଷକ ଡ଼. ଅନନ୍ତରାମ କର କୌଣ୍ଡିନ୍ୟ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଜିଲା ସଂସ୍କୃତି ଅଧିକାରୀ ଅଦିତି ଆଚାର୍ଯ୍ୟ, ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ, ବିଡ଼ିଓ ଅନାମିକା ପାଣ୍ଡେ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଏବଂ ବଡ଼ଖେମୁଣ୍ଡି ରାଜକୁମାର ସିଦ୍ଧାନ୍ତ ଗଙ୍ଗଦେବ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ସଭାରେ ସଭାପତିତ୍ୱ କରିଥିବାବେଳେ ଆଇନଜୀବି କୁରେଶୁ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପରିଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।