ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ ସ୍ଥାନୀୟ ହାଇସ୍କୁଲ ମିନିଷ୍ଟାଡିୟମରେ ଦ୍ୱି-ଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ଶନିବାର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି।

ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍‌ର ସଭାପତି କୁରେଶୁ ମହାରଣାଙ୍କ ସଂଯୋଜନାରେ ଆୟୋଜିତ ଏହି ଉଦଘାଟନୀ ସଭାରେ ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମିନିଷ୍ଟାଡିୟମର ବହୁବିଧ ଉନ୍ନତି ପାଇଁ ପ୍ରତିଶ୍ରୁତି ଦେବା ସହ ଟୁର୍ନାମେଣ୍ଟକୁ ଉଦଘାଟନ କରିଥିଲେ। ଏହି ଉତ୍ସବରେ ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, କାଉନସିଲର ଦୀପକ ମିଶ୍ର, ପୂର୍ବତନ କାଉନସିଲର ଅଳକ ନାଥ ମିଶ୍ର ଏବଂ ଆଇନଜୀବୀ ହରପ୍ରସାଦ ରଥ, ଏନ୍ଏସି ଉପାଧ୍ୟକ୍ଷାଙ୍କ ପ୍ରତିନିଧି କେ.କୁନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଟୁର୍ନାମେଣ୍ଟର ପ୍ରଥମ ଦିବସରେ ମୋଟ ୭ଟି ଟିମ୍ ଭାଗ ନେଇ ରୋମାଞ୍ଚକର ମ୍ୟାଚ୍ ଖେଳିଥିଲେ। ପ୍ରଥମ ମ୍ୟାଚ୍ ବ୍ରହ୍ମପୁରର ପତିତପାବନ ଫୁଟବଲ କ୍ଲବ୍ ଓ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଯାହାକି ନିର୍ଦ୍ଧାରିତ ସମୟରେ ଅମିମାଂସିତ ରହିବାରୁ ପେନାଲ୍ଟି ଶୁଟଆଉଟ୍‌ରେ ପତିତପାବନ ଟିମ୍ ବିଜୟୀ ହୋଇଥିଲା। ସେହିପରି ଭଞ୍ଜନଗର ଫୁଟବଲ କ୍ଲବ୍ ଓ ବ୍ରହ୍ମପୁର ୟୁନାଇଟେଡ୍ ଫୁଟବଲ କ୍ଲବ୍ ମଧ୍ୟରେ ହୋଇଥିବା ଦ୍ୱିତୀୟ ମ୍ୟାଚ୍ ମଧ୍ୟ ଅମିମାଂସିତ ରହିବା ପରେ ବ୍ରହ୍ମପୁର ୟୁନାଇଟେଡ୍ ଟିମ୍ ପେନାଲ୍ଟି ଜରିଆରେ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା। ତୃତୀୟ ମ୍ୟାଚ୍ ବ୍ରହ୍ମପୁରର ନଟରାଜ ଫୁଟବଲ କ୍ଲବ୍ ଓ ପଦ୍ମନାଭପୁର ଫୁଟବଲ କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ନଟରାଜ ଟିମ୍ ୨ ଗୋଲ୍ ସ୍କୋର କରି ବିଜୟୀ ହୋଇଥିଲା। ଚତୁର୍ଥ ମ୍ୟାଚ୍ ଗଜପତି ଜିଲା ଚନ୍ଦ୍ରଗିରିର ତିବ୍ବତିଆନ୍ ପୋଟଲା ଫୁଟବଲ କ୍ଲବ୍ ଓ ଗୋଳାବନ୍ଧ ଗ୍ରାମର ଲିଓ ଫୁଟବଲ କ୍ଲବ୍ ମଧ୍ୟରେ ହୋଇଥିଲା, ଯେଉଁଥିରେ ପୋଟଲା ଫୁଟବଲ ଟିମ୍ ୨ଟି ଗୋଲ୍ କରି ପରବର୍ତ୍ତୀ ରାଉଣ୍ଡକୁ ପ୍ରବେଶ କରିଥିଲା।

ବ୍ରହ୍ମପୁରର ବିଶିଷ୍ଟ ଫୁଟବଲ ଖେଳାଳୀ ରମେଶ ସାହୁ ଓ ଜିତୁ ପାତ୍ର ସମସ୍ତ ମ୍ୟାଚ୍‌ରେ ରେଫରି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍‌ର ସମ୍ପାଦକ ସଞ୍ଜୟ ଗୌଡ଼ଙ୍କ ସମେତ କାର୍ଯ୍ୟକର୍ତ୍ତା ସିଲୁ ପାଣିଗ୍ରାହୀ, ବବୁଲ ମିଶ୍ର, ଶୁଭାଶିଷ ବିଷୋୟୀ, ରୋସନ ଥାପ୍ପା, ବୈକୁଣ୍ଠ ସ୍ବାଇଁ, ରୋସନ ମହାରଣା, ଦୀପକ ସ୍ବାଇଁ ଏବଂ ଆଲୋକ ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ।

ଆୟୋଜକଙ୍କ ସୂଚନା ଅନୁଯାୟୀ, ରବିବାର ଟୁର୍ନାମେଣ୍ଟର ଦ୍ୱିତୀୟ ତଥା ଅନ୍ତିମ ଦିବସରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ବ୍ରହ୍ମପୁରର ପତିତପାବନ ଫୁଟବଲ କ୍ଲବ୍ ଓ ୟୁନାଇଟେଡ୍ କ୍ଲବ୍ ବ୍ରହ୍ମପୁର ମଧ୍ୟରେ ଅନୁଷ୍ଠିତ ହେବ। ସେହିପରି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଚନ୍ଦ୍ରଗିରି ତିବ୍ବତିଆନ୍ ପୋଟଲା ଫୁଟବଲ କ୍ଲବ୍ ଓ ବ୍ରହ୍ମପୁର ନଟରାଜ ଫୁଟବଲ କ୍ଲବ୍ ମଧ୍ୟରେ ଖେଳାଯିବ ବୋଲି ଜଣାପଡିଛି।

Dharitri – Odisha’s No.1 Odia Daily

Share