ଦିଗପହଣ୍ଡି,୨୯|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଯୁକ୍ତ ୨ ଏବଂ ଯୁକ୍ତ ୩ ଜାତୀୟ ସେବା ଯୋଜନା(ଏନଏସଏସ) ୟୁନିଟ ପକ୍ଷରୁ କଲେଜ ପରିସରରେ ବୁଧବାର ସ୍ୱତନ୍ତ୍ର ବୃକ୍ଷ ଚାରା ରୋପଣ ଅଭିଯାନ ଓ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ. ଅସିତ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ “ବୃକ୍ଷ ଚାରା ରୋପଣ କରି ସବୁଜ ପଦକ୍ଷେପ ମାଧ୍ୟମରେ ପୃଥିବୀକୁ ସୁସ୍ଥ ରଖିବା” ଶୀର୍ଷକ ସଚେତନତା ସଭାରେ ଅତିଥି ଭାବେ ଦିଗପହଣ୍ଡି ବନ ବିଭାଗ ରେଞ୍ଜର ଦିବ୍ୟରଞ୍ଜନ ସାହୁ, ଫରେଷ୍ଟର ସନ୍ତୋଷ ବିଷୋୟୀ ରତ୍ନ, ସିବାନୀ ଗୌଡ଼ ପ୍ରମୁଖ ମଞ୍ଚାସିନ ଥିଲେ।ଜଳବାୟୁର ପରିବର୍ତ୍ତନ ରୋକିବା ଏବଂ ପରିବେଶର ସୁରକ୍ଷା ପାଇଁ ବୃକ୍ଷ ଚାରା ରୋପଣ ଓ ତାର ସୁରକ୍ଷା ଜରୁରୀ ଅଟେ । ସାମ୍ପ୍ରତିକ ସମୟରେ ଅମ୍ଳଜାନ ଅଭାବକୁ ପୂରଣ କରିବାକୁ ହେଲେ ପର୍ଯ୍ୟାପ୍ତ ବୃକ୍ଷରୋପଣ କରାଯିବା ସହ ପରିବେଶ ସନ୍ତୁଳନ ପାଇଁ ଆମେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ। ସମସ୍ତ ଛାତ୍ରୀଛାତ୍ର ,ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ବ୍ୟାପକ ବୃକ୍ଷ ଚାରା ରୋପଣ କରିବାକୁ ରେଞ୍ଜର ପରାମର୍ଶ ଦେବା ସହ ବୃକ୍ଷ ଚାରା ରୋପଣର ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ଛାତ୍ରୀଛାତ୍ର ମାନଙ୍କୁ ସଚେତନ କରାଇଥିଲେ। ଏହାପରେ କଲେଜ ପରିସରରେ ଅତିଥି ବୃନ୍ଦ ,ଅଧ୍ୟାପିକା ଅଧ୍ୟାପକ ଓ ଛାତ୍ରୀ ଛାତ୍ର ମାନେ ମିଶି ବିଭିନ୍ନ କିସମର ବୃକ୍ଷ ଚାରା ରୋପଣ କରିଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ଯୁକ୍ତ ୩ ୟୁନିଟ ଶାଖାର ପ୍ରୋଗ୍ରାମ ଅଫିସର ଅଧ୍ୟାପିକା କୁମାରୀ ଅଞ୍ଜଳି ମଣ୍ଡଳ ପରିଚାଳନା କରିଥିଲେ। ପରିଶେଷରେ ଯୁକ୍ତ ୨ ଏନଏନଏସ ଶାଖାର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଡ. କୈଳାସ ଚନ୍ଦ୍ର ଦିୱାନ ବେହେରା ଜଙ୍ଗଲୀକରଣ ଏବଂ ବୃକ୍ଷ ସୁରକ୍ଷାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।